ଭୁବନେଶ୍ୱର,୧୦/୦୨: କନ୍ଧରା ବ୍ରିଜ୍‌ ତଳକୁ ଖସି ପଡ଼ିଲା ବାଲି ବୋଝେଇ ହାଇଓ୍ଵା । ହାଇୱାର ଇଞ୍ଜିନର ଉପର ଭାଗଟି ତଳକୁ ଓଲଟି ଡାଲାଟି ଉପରକୁ ହୋଇ ଝୁଲି ପଡିଛି । ଫଳରେ କ୍ୟାବିନ୍‌ ଭିତରେ ଚାପି ହୋଇ ରହିଛନ୍ତି ଡ୍ରାଇଭର । ଖବର ପାଇ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ରେଢାଖୋଲ ପୋଲିସ ଏବଂ ଅଗ୍ନିଶମ ବାହିନୀ । ସମ୍ୱଲପୁର ଜିଲ୍ଲା ରେଢ଼ାଖୋଲ ଥାନା କନ୍ଧରା ବ୍ରିଜ୍‌ରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ଏକ ବାଲି ବୋଝେଇ ହାଇୱା ବୌଦ୍ଧ- ରେଢାଖୋଲ ରାସ୍ତାର‌ କନ୍ଧରା ବ୍ରିଜ୍‌ ଉପରେ ଯାଉଥିଲା । ଏହି ସମୟରେ ହଠାତ୍ ଟ୍ରକ୍‌ଟି ପୋଲ ତଳକୁ ଖସି ପଡ଼ିଥିଲା । ଫଳରେ ହାଇୱାର ଇଞ୍ଜିନର ଉପର ଭାଗଟି ତଳକୁ ଓ ଡାଲାଟି ଉପରକୁ ହୋଇ ଝୁଲି ପଡ଼ିଥିଲା । ଟ୍ରକ୍‌ଟି ଝୁଲି ପଡ଼ିବା ଫଳରେ କ୍ୟାବିନ ଭିତରେ ଡ୍ରାଇଭର ଚାପି ହୋଇ ଯାଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ରେଢ଼ାଖୋଲ ପୋଲିସ ଏବଂ ଅଗ୍ନିଶମ ବାହିନୀର ଏକ ଟିମ୍‌ ପହଞ୍ଚି କଟର୍‌ ସାହାଯ୍ୟରେ କାଟି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।