ଭୁବନେଶ୍ବର,୬।୧୨ : ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ମୟୂରଭଞ୍ଜ ଜିଲ୍ଲା ବଡସାହି ବ୍ଲକ ତଲପଡା ଆକାଉଣ୍ଟାଣ୍ଟ-କମ-ଡାଟା ଏଣ୍ଟ୍ରି ଅପରେଟର ହେମନ୍ତ କୁମାର ବେହେରା । ଏମଜିଏନଆରଜିଏସ ଯୋଜନାରେ ଓ୍ବାର୍କ ଅର୍ଡର ଦେବା ପାଇଁ ଜଣେ ଚାଷୀଙ୍କ ନିକଟରୁ ୨୫୦୦ ଟଙ୍କା ଲାଞ୍ଚ ନେଉଥିଲେ।

ଏମଜିଏନଆରଜିଏସ ଯୋଜନାରେ ଜଣେ ଚାଷୀଙ୍କୁ ଫାର୍ମ ପୋଖରୀ ମଞ୍ଜୁର ହୋଇଥିଲା। କାର୍ଯ୍ୟାଦେଶ ପ୍ରଦାନ ପାଇଁ ଓ୍ବାର୍କ ଅର୍ଡର ଆବଶ୍ୟକ ହୋଇଥିବାରୁ କୋଡ୍ ଜେନେରେଟ୍ କରିବା ପାଇଁ ଶ୍ରୀ ବେହେରାଙ୍କୁ ହିତାଧିକାରୀ ଅନୁରୋଧ କରି ଆସୁଥିଲେ। ଶ୍ରୀ ବେହେରା ହିତାଧିକାରୀଙ୍କଠାରୁ ୨୫୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ଲାଞ୍ଚ ଦେବାକୁ ସେ ନିଜର ଅକ୍ଷମତା ପ୍ରକାଶ କରିଥିଲେ। କିନ୍ତୁ କ୍ତ ଶ୍ରୀ ବେହେରା ହିତାଧିକାରୀଙ୍କୁ ଦାବି କରାଯାଇଥିବା ଲାଞ୍ଚ ଦେବାକୁ ଜିଦ୍ ଧରିଥିଲେ। ଅନ୍ୟ କୌଣସି ଉପାୟ ନପାଇ ହିତାଧିକାରୀ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ପୂର୍ବରୁ ମଧ୍ୟ ଶ୍ରୀ ବେହେରାଙ୍କ ବିରୁଦ୍ଧରେ ଅନ୍ୟ ହିତାଧିକାରୀଙ୍କଠାରୁ ଲାଞ୍ଚ ନେବାର ଅଭିଯୋଗ ଭିଜିଲାନ୍ସକୁ ଆସିଥିଲା। ହିତାଧିକାରୀଙ୍କଠାରୁ ୨୫୦୦ ଟଙ୍କା ଶ୍ରୀ ବେହେରା ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ମାଡି ବସିଥିଲେ। ତାଙ୍କ ନିକଟରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରିଥିଲେ।