ଚାନ୍ଦବାଲି,୧୬/୧୦: ଯୌତୁକ ଲୋଭରେ ଶାଶୁଘରଲୋକେ କରିଲେ ବୋହୂର ହତ୍ୟା । ଏଭଳି ଅଭିଯୋଗ ଆଣିଛନ୍ତି ମହିଳାଙ୍କ ବାପା । ମୃତକ ସେରପୁର ଗ୍ରାମର ଶରତ ନାୟକଙ୍କ ଝିଅ ଖିରାଦୀ ତନୟା ନାୟକ ବୋଲି ଜଣାପଡ଼ିଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଧିନ ପାଞ୍ଚପଡା ଗ୍ରାମରେ ଏମିତି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ।
ସୂଚନା ମୁତାବକ,ସେରପୁର ଗ୍ରାମର ଶରତ ନାୟକଙ୍କ ଝିଅ ଖିରାଦୀ ତନୟା ନାୟକ ଚାନ୍ଦବାଲି ପାଞ୍ଚପଡା ଗ୍ରାମର ସୁବାସ ସାହୁଙ୍କ ପୁଅ ରତିରଞ୍ଜନ ସାହୁଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ । ଯୌତୁକ ବାବଦକୁ ଏକ ଲକ୍ଷ ଟଙ୍କା ସାଙ୍ଗକୁ ସମସ୍ତ ସୁନା ଅଳଙ୍କାର ମଧ୍ୟ୍ୟ ଦେଇଥିଲେ ଖିରାଦୀଙ୍କ ବାପା । ହେଲେ ବାହାଘର ତିନି ବର୍ଷ ନପୂରୁଣୁ ଶାଶୁ, ଶ୍ୱଶୁର ଓ ସ୍ୱାମୀ ମିଶି ବୋହୂକୁ ପ୍ରତ୍ୟେକ ଦିନ ମାଡ ମାରିବା ସହିତ ଆହୁରି ଅଧିକ ଦୌତୁକ ଦାବି କରି ଆସୁଥିଲେ ବୋଲି ଅଭିଯୋଗ କରିଛନ୍ତି ଝିଅର ବାପଘରଲୋକେ । ଝିଅର ବାପ କହିଛନ୍ତି ଏଥିରେ ମୋ ଝିଅ ପ୍ରତିବାଦ କରିବାରୁ ସପରିବାର ମିଶି ମୋ ଝିଅକୁ ଜୀବନରୁ ମାରି ଦେଇଛନ୍ତି । କୋଳରେ ତାର ଦୁଇ ବର୍ଷର କନ୍ୟା ସନ୍ତାନ ଟିଏ ମଧ୍ୟ ଅଛି ।
ଉକ୍ତ ଅଭିଯୋଗ ଆଧାରରେ ଘଟଣା ସ୍ଥଳରେ ଚାନ୍ଦବାଲି ଥାନା ଅଧିକାରୀ ପଞ୍ଚାନନ ମହାନ୍ତି ପହଞ୍ଚି ତଦନ୍ତ ଚଳାଇଛନ୍ତି । ଏହା ସହ ସ୍ୱାମୀକୁ ଥାନାକୁ ଆଣି ତଦନ୍ତ ଆରମ୍ବ କରିବା ସହିତ ଶବ ବ୍ୟବଛେଦ ପାଇଁ ପଠାଇଛନ୍ତି ।