ନୂଆଦିଲ୍ଲୀ ୧୬/୧୧: ଗତ ଶୁକ୍ରବାର ଥିଏଟରକୁ ଆସିଛି ବହୁ ପ୍ରତୀକ୍ଷିତ ଐତିହାସିକ ଆକ୍ସନ୍ ଫିଲ୍ମ ‘ଗ୍ଲାଡିଏଟର-୨’ । ୨୦୦୦ ମସିହାରେ ମୁକ୍ତିପ୍ରାପ୍ତ ମୂଳ ଫିଲ୍ମର ଏହା ସିକ୍ୱେଲ । ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ପଲ ମେସ୍କାଲ, ଡେନ୍ଜେଲ ୱାଶିଂଟନ୍, ପେଡ୍ରୋ ପାସ୍କାଲ ଓ ଜୋସେଫ କ୍ୱିନ୍ । ଭୟଙ୍କର ଆକ୍ସନ୍, ରାଜନୈତିକ ଷଡ୍ଯନ୍ତ୍ର ଓ ଦମ୍ଦାର ଅଭିନୟ ପାଇଁ ‘ଗ୍ଲାଡିଏଟର-୨’କୁ ଦର୍ଶକ ବର୍ଷର ଅନ୍ୟତମ ଶ୍ରେଷ୍ଠ ଫିଲ୍ମ ବୋଲି କହିଛନ୍ତି । ରିଡ୍ଲି ସ୍କଟ୍ଙ୍କ ନିର୍ଦ୍ଦେଶନାକୁ ସିକ୍ୱେଲର ସବୁଠୁ ବଡ଼ ଉପଲବ୍ଧି ବୋଲି ଫ୍ୟାନ୍ କହିଛନ୍ତି । ସ୍କଟ୍ ଫିଲ୍ମର ସହ-ପ୍ରଯୋଜନା ଦାୟିତ୍ୱ ମଧ୍ୟ ନିର୍ବାହ କରିଛନ୍ତି । ଫିଲ୍ମରେ ପଲ୍ ମେସ୍କାଲ ଲୁସିଅସ୍ ଭୂମିକାରେ ଅଭିନୟ କରିଛନ୍ତି, ଯିଏକି ଲୁସିଲା ଓ ମାକ୍ସିମସ୍ଙ୍କ ପୁଅ ।
ଏହି ରୋମାଞ୍ଚକାରୀ ନାଟକଟି ପ୍ରାଚୀନ ରୋମ ଉପରେ ଆଧାରିତ । ଲୁସିଅସ୍ର କାହାଣୀ ଉପରେ ଫିଲ୍ମଟି ପର୍ଯ୍ୟବସିତ, ଯିଏକି ରୋମ ସମ୍ରାଟ ମାର୍କସ ଅରେଲିଅସ୍ଙ୍କ ନାତି ଓ କିମ୍ବଦନ୍ତୀ ବ୍ୟକ୍ତିତ୍ୱ ମାକ୍ସିମସ୍ଙ୍କ ପୁଅ । ଜେନେରାଲ ମାର୍କସ ଆକାସିୟସ୍ଙ୍କ ନେତୃତ୍ୱାଧୀନ ରୋମାନ ଆର୍ମି ଦ୍ୱାରା ଅନୁପ୍ରବେଶ ପରେ ଲୁସିଅସ୍ ଗ୍ଲାଡିଏଟର ପାଲଟିଛି । ଆକାସିୟସ୍ଙ୍କଠୁ ସେ ପ୍ରତିଶୋଧ ନେବାକୁ ଚେଷ୍ଟା କରିଛି ଏବଂ ଜଣେ ଗ୍ଲାଡିଏଟର ଭାବେ ଯୁଦ୍ଧ କରିଛି । ଗତ ୧୪ ତାରିଖରେ ଫିଲ୍ମଟି ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଏବଂ ୧୫ ତାରିଖରେ ବ୍ରିଟେନରେ ମୁକ୍ତିଲାଭ କରିଛି । ଫିଲ୍ମକୁ ଦର୍ଶକୀୟ ଆଦୃତି ମିଳିଛି । ଏହା ରିଡ୍ଲି ସ୍କଟ୍ଙ୍କ ଅସ୍କାର ୱିନିଂ ଫିଲ୍ମ ବୋଲି ଫ୍ୟାନ୍ କହିଛନ୍ତି । ସମୀକ୍ଷକମାନେ ମଧ୍ୟ ଏହାକୁ ଭଲ ରେଟିଂ ଦେଇଛନ୍ତି । ଆସନ୍ତା ୨୨ ତାରିଖରେ ଏହା ଆମେରିକାରେ ମୁକ୍ତିଲାଭ କରିବ ।
''ବକ୍ସ ଅଫିସରେ ଲାଟେଷ୍ଟ ଖବର ଏବଂ ପ୍ରତି ଓ୍ୱିକେଣ୍ଡରେ ରିଲିଜ ହେଉଥିବା ଫିଲ୍ମର ରିଭ୍ୟୁ ବିଷୟରେ ଜାଣିବାକୁ ଦେଖନ୍ତୁ ଏହି ଭିଡିଓ''