କଟକ, ୦୨/୦୩: ବହୁ ସମୟରେ ଗାଡ଼ି ଡ୍ରାଇଭରଙ୍କ ସତର୍କତା ଅଭାବରୁ ଦୁର୍ଘଟଣା ଘଟୁଛି । କେତେବେଳେ ଗାଡ଼ି ଡ୍ରାଇଭରଙ୍କ ନିଦ ଲାଗି ଯାଉଥିବାରୁ ଦୁର୍ଘଟଣା ଘଟୁଛି ତ ଆଉ କେତେବେଳେ ମଦପିଇ ବେପରୁଆ ଢଙ୍ଗରେ ଗାଡ଼ି ଚଳାଉଥିବାରୁ ଦୁର୍ଘଟଣାମାନ ଘଟୁଛି । ଏହି ଡ୍ରାଇଭରଙ୍କ ଉପରେ ନଜର ରଖିବା ଲାଗି ପ୍ରତ୍ୟେକ ଗାଡ଼ିରେ ‘ଆଡଭାନ୍ସ ଡ୍ରାଇଭର ଆସିଷ୍ଟାନସ ସିଷ୍ଟମ୍ (ଆଦାସ୍)’ ଲଗାଇବା ପାଇଁ ପଦକ୍ଷେପ ନେବାକୁ ପରିବହନ କମିସନର ରାଜ୍ୟ ପରିବହନ ପ୍ରାଧିକରଣ କମିସନରଙ୍କୁ ଚିଠି ଲେଖିଛନ୍ତି । ଯେଉଁ ଗାଡ଼ି ମାଲିକମାନେ ଏହି ‘ଆଦାସ୍’ ଡିଭାଇସ୍ ଲଗାଇବେ ସେମାନଙ୍କୁ ରାଜ୍ୟ ସରକାର ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦେବେ ବୋଲି କୁହାଯାଇଛି ।
ଚିଠିରେ କୁହାଯାଇଛି, କ୍ରୁଟ୍ ଏବଂ ଓଏସ୍ଆର୍ଟିସି ପକ୍ଷରୁ ଚାଲୁଥିବା ବସ୍ଗୁଡ଼ିକରେ ଏହି ‘ଆଦାଦ୍’ ଡିଭାଇସ୍ ଲଗାଯାଇଛି । କିନ୍ତୁ ଘରୋଇ ବସ୍ଗୁଡ଼ିକରେ ‘ଆଦାସ୍’ ଲଗାଯାଇନାହିଁ । ରାଜ୍ୟରେ ସର୍ବାଧିକ ସଂଖ୍ୟକ ବସ୍ ଘରୋଇ ବସ୍ ମାଲିକଙ୍କ ଦ୍ୱାରା ପରିଚାଳିତ । ଏହି ପରିପ୍ରେକ୍ଷୀରେ ‘ଆଦାସ୍’ ଲଗାଇବା ପାଇଁ ଏକ ନିର୍ଦ୍ଦିଷ୍ଟ ଗାଇଡ୍ଲାଇନ୍ ଜାରି କରିବାକୁ ପରିବହନ ବିଭାଗ ସଚିବ ଉଷା ପାଢ଼ୀ ଏସ୍ଟିଏକୁ ନିର୍ଦ୍ଦେଶ ଦେଇଛନ୍ତି । ଆଦାସ୍ ଲଗାଇବା ପାଇଁ ଭେଣ୍ଡର ଚୟନ କରିବା, ଯେଉଁ ଭେଣ୍ଡରମାନେ ଏହି ଆଦାସ୍ ଡିଭାଇସ୍ ଲଗାଇବେ ସେମାନେ କିପରି ସବ୍ସିଡି ଅର୍ଥ ପାଇବେ ସେ ସଂକ୍ରାନ୍ତରେ ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି କରିବାକୁ କୁହାଯାଇଛି। ଅପରେଟରମାନଙ୍କୁ ସବ୍ସିଡି ପ୍ରଦାନ ଲାଗି ୱେବ୍ ପୋର୍ଟାଲ ଖୋଲାଯିବ। ଯେଉଁଥିରେ କେଉଁମାନେ ସବ୍ସିଡି ପାଇଲେ ତାଲିକା ରହିବ । ମାର୍ଚ୍ଚ ୩ ତାରିଖ ପୂର୍ବରୁ ଏହି ଗାଇଡ୍ଲାଇନ୍ ଜାରି କରିବାକୁ କୁହାଯାଇଛି । ‘ଆଦାସ’ ଲାଗିବା ପାଇଁ ନିର୍ଦ୍ଦେଶାବଳୀ ଆସିବା ପରେ ତୁରନ୍ତ ନିର୍ଦ୍ଦେଶାନାମା ଜାରି ହେବ ବୋଲି ଏସ୍ଟିଏର ଜଣେ ଅଧିକାରୀ କହିଛନ୍ତି ।