ନୂଆଦିଲ୍ଲୀ ୧୫/୦୪: ମଧ୍ୟପ୍ରଦେଶର ଭୋପାଳରେ ସବୁଠୁ ବଡ଼ ସରକାରୀ ହସ୍ପିଟାଲ ହମିଦିୟାର ମନରୋଗ ବିଭାଗରେ ଏଭଳି ଘଟଣା ସାମ୍ନାକୁ ଆସିଛି, ଯାହା ଡାକ୍ତରଙ୍କୁ ବି ଚିନ୍ତାରେ ପକାଇଛି । ହମିଦିୟା ହସ୍ପିଟାଲକୁ ଗତ ୧ ବର୍ଷରେ ଏଭଳି ୫ ଯୁବକ ଚିକିତ୍ସା ପାଇଁ ଆସିଛନ୍ତି, ଯେଉଁମାନଙ୍କୁ ରକ୍ତ ନେବାର ନିଶା ହୋଇଯାଇଛି । ଏପର୍ଯ୍ୟନ୍ତ ମଦ, ସିଗାରେଟ୍ ଓ ଡ୍ରଗ୍ସ ଭଳି ନିଶା ବିଷୟରେ ଆପଣ ଶୁଣିଥିଲେ । କିନ୍ତୁ ଏହା ଏକ ନୂଆ ଓ ବିପଦପୂର୍ଣ୍ଣ ଟ୍ରେଣ୍ଡକୁ ଇଙ୍ଗିତ କରିଛି । ଏଠାରେ କିଛି ଯୁବକ ରକ୍ତର ତତ୍ତ୍ୱକୁ ହିଁ ଶକ୍ତି ବଢ଼ାଇବାର ମାଧ୍ୟମ ମାନୁଛନ୍ତି ।
ଡାକ୍ତରଙ୍କ ଅନୁସାରେ, ଏମାନଙ୍କ ବୟସ ୧୮ରୁ ୨୫ ବର୍ଷ ମଧ୍ୟରେ ଏବଂ ଏ ମାମଲାରେ ଏକ ସମାନ ପ୍ୟାଟର୍ନ ଦେଖିବାକୁ ମିଳିଛି । ପରିବାର ଏ ବିଷୟରେ ଜାଣିବା ପରେ ସେମାନଙ୍କ ଗତିବିଧି ଉପରେ ରୋକ ଲଗାଇଛନ୍ତି । ଅନେକ ଦିନ ଧରି ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରାଗଲା । କିନ୍ତୁ ଏହା ପରେ ସେମାନେ ଚିଡ଼ିଚିଡ଼ା ଓ ଆକ୍ରାମକ ହୋଇଗଲେ । ସ୍ଥିତି ବିଗିଡ଼ିବା ପରେ ପରିବାର ସେମାନଙ୍କୁ ମନରୋଗ ବିଶେଷଜ୍ଞଙ୍କ ପାଖକୁ କାଉନସିଲିଂ ପାଇଁ ନେଲେ । ଡାକ୍ତରଙ୍କ ପ୍ରାରମ୍ଭିକ ଯାଞ୍ଚରୁ ୩ ମୁଖ୍ୟ କାରଣ ସାମ୍ନାକୁ ଆସିଲା- ଜାଣିବାର ଇଚ୍ଛା, ଭୁଲ ସୂଚନା ଓ ଅବୈଧ ମାଧ୍ୟମଗୁଡ଼ିକର ଉପଲବ୍ଧତା ।
ସୂଚନାଯୋଗ୍ୟ, ସୋସିଆଲ ମିଡିଆରେ ପ୍ରସାରିତ କିଛି ଭିଡିଓ ଏହି ପ୍ରବୃତ୍ତିକୁ ବଢ଼ାଉଛି, ଯେଉଁଥିରେ ଦାବି କରାଯାଉଛି ଯେ ପ୍ଲାଜ୍ମା କିମ୍ବା ଅନ୍ୟ ରକ୍ତ ତତ୍ତ୍ୱ ଗ୍ରହଣ କରିବା ଦ୍ୱାରା ଶକ୍ତି ବଢ଼େ । ଚାପ ହ୍ରାସପାଏ ଓ ଶରୀରରେ ଉର୍ଜ୍ଜା ଆସେ । କିନ୍ତୁ ବିଶେଷଜ୍ଞମାନେ ଏହି ଦାବିକୁ ସମ୍ପୂର୍ଣ୍ଣ ଭୁଲ ବୋଲି କହୁଛନ୍ତି । ଡାକ୍ତରଙ୍କ ଅନୁସାରେ, କୌଣସି ପ୍ରକାର ଚିକିତ୍ସକୀୟ ଆବଶ୍ୟକତା ବିନା ରକ୍ତ ନେବା ଅତ୍ୟନ୍ତ ବିପଦପୂର୍ଣ୍ଣ ହୋଇପାରେ । ଏହା ଦ୍ୱାରା ସଂକ୍ରମଣ, ଆଲର୍ଜି, ଫୁଲା ଓ ଗମ୍ଭୀର ରୋଗର ବିପଦ ବଢ଼େ । ଅର୍ଥାତ୍ ଯେଉଁ ଲାଭର ଆଶାରେ ଏହି ପଦକ୍ଷେପ ନିଆଯାଉଛି, ତାହା କେବଳ ଏକ ଭ୍ରମ । ଏହାର କ୍ଷତି ଅତ୍ୟନ୍ତ ଗମ୍ଭୀର ହୋଇପାରେ ।
ଆହୁରି ପଢ଼ନ୍ତୁ...Iran-Us war : ଖାଦ୍ୟ ସୁରକ୍ଷା ଆହ୍ୱାନ, ଜୀବନ ଜୀବିକା ଦୁର୍ବଳ... ଯୁଦ୍ଧ ପ୍ରଭାବରେ ମାନବ ବିକାଶ ଅଗ୍ରଗତି ହରାଇବ ଭାରତ
ହମିଦିୟା ହସ୍ପିଟାଲର ମନରୋଗ ବିଶେଷଜ୍ଞ ଡା. ଜୟ ପ୍ରକାଶ ଅଗ୍ରୱାଲଙ୍କ ଅନୁସାରେ, ଯୁବପିଢ଼ି ଯାହାକୁ ଶକ୍ତି ମନେକରୁଛନ୍ତି, ତାହା କେବଳ ଏକ କାଳ୍ପନିକ ସୁଖ । ଏହାର ବାସ୍ତବିକ ପରିଣାମ ଅତ୍ୟନ୍ତ ବିପଦପୂର୍ଣ୍ଣ । ଏଥିଯୋଗୁ ଗ୍ୟାଙ୍ଗ୍ରିନ୍ର ବିପଦ ବଢ଼ିପାରେ ଅର୍ଥାତ୍ ଅଙ୍ଗ ସଢ଼ିପାରେ । ଏଥିସହ ହେପାଟାଇଟିସ୍ ଓ ଏଚ୍ଆଇଭି ଭଳି ଗମ୍ଭୀର ରୋଗର ବିପଦ ମଧ୍ୟ ବଢ଼େ । ଅନ୍ୟପକ୍ଷେ, ଡାକ୍ତରଙ୍କ ପରାମର୍ଶ ବିନା ରକ୍ତ ନେବା ‘ଏନାଫିଲେକ୍ଟିକ୍ ଶକ୍’ ଦେଇପାରେ । ଶରୀରର ଆଭ୍ୟନ୍ତର ଅଙ୍ଗ ଗମ୍ଭୀର ରୂପେ ଫୁଲିଯାଇପାରେ ।