ନୂଆଦିଲ୍ଲୀ,୮।୧୦:  ବରିଷ୍ଠ ଆଇପିଏସ୍ ଅଧିକାରୀ ଏଡିଜିପି ଓ୍ବାଇ.ପୁରନ୍ କୁମାରଙ୍କ ଆତ୍ମହତ୍ୟା ମାମଲା ଖୁବ୍ ଚର୍ଚ୍ଚାରେ ରହିଛି। ହରିୟାଣା ପୋଲିସ ଓ ପ୍ରଶାସନରେ ଏହାକୁ ନେଇ ସୃଷ୍ଟି ହୋଇଛି ହଟଚମଟ।୨୦୦୧ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀଙ୍କ ପାଖରୁ ୮ ପେଜ୍‌ର ସୁସାଇଡ୍ ନୋଟ୍ ମିଳିଛି। ଯେଉଁଥିରେ ସେ ନିଜର ପୁରା ସମ୍ପତ୍ତି ନିଜ ପତ୍ନୀଙ୍କ ନାଁରେ କରିଦେଇଛନ୍ତି। ଏହା ସହ ସେ ନିଜ କ୍ୟାରିୟରରେ ସହିଥିବା ଉତ୍ପୀଡନ ଓ ଭେଦଭାବର ଅନୁଭବ ଲେଖିଛନ୍ତି। ଏହା ସହ, ୮ ଆଇପିଏସ୍ ଓ ୨ ଆଇଏଏସ୍‌ ଅଧିକାରୀ ସହକର୍ମୀଙ୍କ ବିରୋଧରେ ଲଗାତାର ମାନସିକ ଓ ପ୍ରଶାସନିକ ଚାପ ଦେଉଥିବା ଅଭିଯୋଗ କରିଛନ୍ତି।

ସୁସାଇଡ୍ ନୋଟ୍‌ରେ ବହୁ ବରିଷ୍ଠ ଅଧିକାରୀଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସବୁଠାରୁ ଅଧିକ ଟାର୍ଗେଟ ସେ ହରିୟାଣାର ପୂର୍ବତନ ଡିଜିପିକୁ କରିଛନ୍ତି। ନୋଟ୍‌ରେ ଲେଖିଛନ୍ତି ଜାତିବାଦ, ପୋଷ୍ଟିଂରେ ଭେଦଭାବ, ଏସିଆରରେ ହେରଫେର, ସରକାରୀ ବାସଭବନ ନମିଳିବା ଓ ପ୍ରଶାସନିକ ଅଭିଯୋଗ ପରେ ବି ଅଣଦେଖା କରାଯାଇଛି।

ଆତ୍ମହତ୍ୟା ପରେ ପୁରନ କୁମାରଙ୍କ ପ୍ୟାଣ୍ଟ ପକେଟ୍‌ରୁ ଏହି ସୁସାଇଡ୍ ନୋଟ୍ ମିଳିଛି। ପୋଲିସ ଘଟଣାସ୍ଥଳର ଭିଡିଓଗ୍ରାଫି ଓ ଫଟୋଗ୍ରାଫି କରିଛି। ଫରେନସିକ୍ ଟିମ୍ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରମାଣ ଏକାଠି କରିଛି। ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଲୋକଙ୍କୁ ପଚରା ଉଚରା ମଧ୍ୟ କରାଯାଉଛି।