ପୁରୀ,୦୭/୦୭: ବିବିଧ ସୁସ୍ୱାଦୁ ଜିନିଷରେ ରଥ ଉପରେ ପ୍ରସ୍ତୁତ ହେବ ଅଧରପଣା । ରଥର  ବିରାଜିତ ସମସ୍ତ ଦେବାଦେବୀଙ୍କ ସମେତ ଯୋଗିନୀଗଣ ମହାପ୍ରଭୁଙ୍କ ଏହି ଅଧର ଚୁମ୍ବିତ ପଣା ପିଇ ଶାନ୍ତି ପାଇବେ ।  ଶ୍ରୀଜିଉମାନଙ୍କୁ ସମର୍ପିତ ହେବା ପରେ ଅଧରପଣା ଭର୍ତ୍ତି  ହାଣ୍ଡିକୁ ରଥ ଉପରେ ଭାଙ୍ଗି ଦିଆଯାଏ । ତେବେ ଅନେକ  ସେବାୟତ ଏହି ଅଧରାମୃତକୁ ରଥ ଉପରେ କିମ୍ବା ରଥ ତଳେ ରହି  ସଂଗ୍ରହ କରି ନିଅନ୍ତି । ଅନେକ ସମୟରେ ହାଣ୍ଡି ଭଙ୍ଗା ଯିବା ପୂର୍ବରୁ  ମଧ୍ୟ ପଣା ହାଣ୍ଡିରୁ ପଣା ବୋହି ନିଅନ୍ତି ସେବାୟତ ।

ମହାପ୍ରଭୁଙ୍କ  ଅଧରପଣା ଲାଗିର ଦିବ୍ୟ ମୁର୍ହୂତ୍ତକୁ ଏହି ସମୟର ଗଣମାଧ୍ୟମ  ଯୋଗେ ବିଶ୍ୱର କୋଟି କୋଟି ଶ୍ରଦ୍ଧାଳୁ ଦେଖି ଆତ୍ମ ବିଭୋର ହୁଅନ୍ତି । ଏହି ସମୟରେ ରଥ ଉପରେ ଏଭଳି ଅପ୍ରୀତିକର  ସ୍ଥିତିକୁ ନେଇ ବୁଦ୍ଧିଜୀବୀମାନେ ଉଦ୍‌ବେଗ ପ୍ରକାଶ କରନ୍ତି ।  ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ରଥ ଉପରେ ଅଧର  ପଣା ହାଣ୍ଡି ଭଙ୍ଗା ହେବା ପରେ କୌଣସି ବ୍ୟକ୍ତି ଅଧର ପଣା  ସଂଗ୍ରହ କରିବେ ନାହିଁ ବୋଲି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ବ୍ୟବସ୍ଥାବଳିରେ ନିୟମ କରିଛି । ପୂଜାପଣ୍ଡା, ମହାସୁଆର ଓ  ଦଇତାପତି ନିଯୋଗ ଏଥିପ୍ରତି ଯତ୍ନବାନ ହେବାକୁ କୁହାଯାଇଛି ।