ପୁରୀ,୦୮/୦୭: ଅଧରପଣା  ହାଣ୍ଡି ଭଙ୍ଗା ହେବା ପରେ କୌଣସି  ବ୍ୟକ୍ତି ଅଧର ପଣା ସଂଗ୍ରହ କରିବେ  ନାହିଁ ବୋଲି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ  ବ୍ୟବସ୍ଥାବଳିରେ ନିୟମ କରିଥିଲା । ତେବେ  ରଥ ତଳେ ରହି ଅନେକ ସେବାୟତ ଏହି  ପଣା ସଂଗ୍ରହ କରିଥିଲେ । ଅନ୍ୟପଟେ ମହାପ୍ରଭୁଙ୍କୁ ସମର୍ପଣ ପରେ ଅଧରପଣା  ଭର୍ତ୍ତି ହାଣ୍ଡି ଭଙ୍ଗା ଯିବା ପରେ ଏହା  ବଡ଼ଦାଣ୍ଡରେ ଝରଣା ଭଳି ଭ୍ରମ ସୃଷ୍ଟି  କରିଥିଲା । ମହାପ୍ରଭୁଙ୍କ ଅଧରାମୃତ ପାଇ  ରଥ ପାଶ୍ୱର୍ ଦେବତାଙ୍କ ସମେତ ସମସ୍ତ  ଅଶରୀର ଓ ଧରଣୀ ରାଣୀ ତୃପ୍ତ ହୋଇଛନ୍ତି ।

ସୋମବାର ରାତି ୮ଟା ୩୫ ମିନିଟ୍‌ରୁ  ୯ଟା ୧୦ ମଧ୍ୟରେ ଅଧରପଣା ନୀତି  ସମ୍ପନ୍ନ ହୋଇଥିଲା । ଶ୍ରୀବିଗ୍ରହଙ୍କୁ ଭୋଗ ଲାଗିଲା ପରେ ହାଣ୍ଡିଗୁଡିକ ରଥ ଉପରେ ଗଡ଼ାଇ ଭଙ୍ଗାଯାଇଥିଲା । ରଥର ପାର୍ଶ୍ବ ଦେବାଦେବୀ, ଅଶରୀର ତଥା  ଚଣ୍ଡୀଚାମୁଣ୍ଡାଙ୍କ ଉଦ୍ଦେଶ୍ୟରେ ଅଧର  ହାଣ୍ଡି ଗୁଡିକୁ ଭଙ୍ଗା ଯାଉଥିବା କୁହାଯାଏ । ଠାକୁରଙ୍କୁ ପୂଜା କରାଯାଇଥିବା ପଣା  ପାଇଲେ ଏମାନେ ସନ୍ତୁଷ୍ଟ ହୁଅନ୍ତି  ବୋଲି ବିଶ୍ୱାସ ରହିଛି । ରଥରୁ ଅଧର ପଣା ବୋହି ବଡ଼ଦାଣ୍ଡରେ ଭାସିଥିଲା । ଅତ୍ୟନ୍ତ ଶ୍ରଦ୍ଧାର ସହ ଦର୍ଶନାର୍ଥୀମାନେ ବଡ଼ଦାଣ୍ଡରୁ ଠାକୁରଙ୍କ ପଣା ସଂଗ୍ରହ କରିଥିଲେ । ଅନ୍ୟ ପଟେ ରଥ ତଳେ ରହି ସେବାୟତମାନେ ଅଧରପଣା ସଂଗ୍ରହ କରୁଥିବା ଦେଖିବାକୁ ମିଳିଥିଲା