କଟକ, ୦୨/୦୮: ଦେଶୀ ମଦର ହବ୍ ବୋଲାଉଥିବା ଆଠଗଡ଼ କୋରଙ୍ଗା ଗ୍ରାମର ଦେଶୀ ମଦ ଭାଟି ଉପରେ ଶନିବାର ଚଢାଉ ହୋଇଛି । ବାରମ୍ବାର ଚଢାଉ ଓ ମଦ ନଷ୍ଟ କରାଯାଉଥିଲେ ମଧ୍ୟ ଦେଶୀ ମଦ ମାଫିଆମାନେ ଜବରଦସ୍ତ ମଦ କାରବାର କରୁଥିଲେ। ରାଜ୍ୟର ବିଭିନ୍ନ ଅଂଚଳକୁ ଏହି ଗ୍ରାମରୁ ମଦ ଚାଲାଣ ହେଉଥିଲା। ତେବେ ପ୍ରଶାସନ ତରଫରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ନେଇ ଦୀର୍ଘ ଦିନ ଧରି ଦାବି ହୋଇଆସୁଥିଲା। ଆଠଗଡ ଉପଜିଲ୍ଲାପାଳ ପ୍ରହଲ୍ଲାଦ ଶର୍ମାଙ୍କ ନେତୃତ୍ୱରେ ଆଜି କୋରଙ୍ଗା ଗ୍ରାମରେ ଥିବା ମଦଭାଟି ଉପରେ ମିଳିତ ଚଢାଉ କରାଯାଇଥିଲା।
କୋରଙ୍ଗା ଗାଁରେ ଥିବା ମଦଭାଟି ଉପରେ ବୁଲ୍ଡୋଜର ଚଢାଇ ନଷ୍ଟ କରାଯାଇଛି। ଆଠଗଡ଼ ଉପଜିଲ୍ଲାପାଳଙ୍କ ସମେତ ଡିଏସପିଙ୍କ ନେତୃତ୍ୱରେ ଏହି ଚଢାଉ ଚାଲିଛି । ଚଢାଉରେ ଅବକାରୀ ବିଭାଗ ସହ ବନ ବିଭାଗ ମଧ୍ୟ ସାମିଲ ହୋଇଛନ୍ତି । ଚଢାଉ କରି ମଦ ଭାଟି, ମଦ ତିଆରି ହେଉଥିବା ଆଡ୍ଡା ନଷ୍ଟ କରାଯାଉଥିବା ସୂଚନା ମିଳିଛି । ଘଟଣାରେ ଏବେ ସୁଦ୍ଧା କାହାକୁ ଗିରଫ କରାଯାଇନାହିଁ । ବେଆଇନ ଦେଶୀ ମଦ ଚଳାଉଥିବା ଅଭିଯୋଗରେ ଆଗକୁ ମାମଲା କରାଯିବ ବୋଲି ପୁଲିସ ସୂଚନା ଦେଇଛି।