ବ୍ରହ୍ମପୁର,୧୬/୧୦: ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ଘଟଣାରେ ପୁଲିସ ସମସ୍ତ ସନ୍ଦିଗ୍ଧଙ୍କୁ ଜେରା କରିବା ପରେ ସୁପାରି କିଲର୍କୁ ଚିହ୍ନଟ କରି ସାରିଥିଲା । ବାହାର ରାଜ୍ୟରେ ତାକୁ କାବୁ କରାଯାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି ।
ବ୍ରହ୍ମପୁର ଏସ୍ପି ଡା.ସର୍ବଣା ବିବେକ ଏମ୍ଙ୍କ ନେତୃତ୍ୱରେ ଗଠନ ହୋଇଥିବା ପୁଲିସ ଟିମ୍ ଅପରାଧୀମାନଙ୍କୁ ଚିହ୍ନଟ ପରେ ସେମାନଙ୍କ ଫୋନ୍ କଲ୍ ଟ୍ରାକ୍ କରି ଲୋକେସନ୍ ବାହାର କରିଥିଲେ । ତିନି ରାଜ୍ୟରେ ଏବେ ବ୍ରହ୍ମପୁର ପୁଲିସର ୩ଟି ଟିମ୍ ଅଛନ୍ତି । ବ୍ରହ୍ମପୁରରୁ ଜଣକୁ ପୁଲିସ ଉଠାଇ ପଚରାଉଚରା କରୁଛି । ସଂପୃକ୍ତ ଯୁବକଙ୍କ ଜରିଆରେ ଟଙ୍କା କାରବାର ହୋଇଥିବା କୁହାଯାଉଛି । ବିଶାଖାପାଟଣାରୁ ବି ଜଣକୁ ପୁଲିସ ଉଠାଇନେଇଛି । ପୀତବାସଙ୍କ ଦ୍ୱାଦଶାହ ପୂର୍ବରୁ ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇପାରେ ବୋଲି ଅନୁମାନ କରାଯାଉଛି ।
ହତ୍ୟାକାଣ୍ଡରେ ବିହାର ଲିଙ୍କ୍ ଥିବା ସୁରାକ୍ ପାଇଛି ପୁଲିସ । ଗଞ୍ଜାମ ଜିଲ୍ଲାର ଜଣେ ଅପରାଧୀ କିଛିବର୍ଷ ହେଲା ବିହାର- ପଶ୍ଚିମବଙ୍ଗ ସୀମା ଅଞ୍ଚଳରେ ରହୁଥିଲେ । ହତ୍ୟାରେ ସହଯୋଗ କରିବାକୁ ତାଙ୍କୁ ଡକାଯାଇଥିବା ପୁଲିସ ଏବେ ସନ୍ଧାନ ପାଇଛି । ସମସ୍ତ ଅପରାଧୀ ଧରାପଡିବା ପରେ ଷଡ଼ଯନ୍ତ୍ରର ଖୁଲାସା କରିବ ପୁଲିସ । ସୁପାରି ପଛରେ ଜିଲ୍ଲାର ଜଣେ ପୁରୁଣା ମଦ ବ୍ୟବସାୟୀ ସଂପୃକ୍ତ ଥିବା ବି ଚର୍ଚ୍ଚା ହେଉଛି । ପୁଲିସ ସଂପୃକ୍ତ ବ୍ୟବସାୟୀକୁ ଧରିବା ପାଇଁ ବାହାର ରାଜ୍ୟରେ ଡେରା ପକାଇଛି ।
ଅପରାଧୀ ୨୦ଦିନ ପୂର୍ବରୁ ପୀତବାସଙ୍କୁ ହତ୍ୟା କରିବାକୁ ବ୍ଲୁପ୍ରିଣ୍ଟ୍ କରିଥିଲେ । ପୀତବାସଙ୍କ ପିଛା ବି କରିଥିଲେ । ତାଙ୍କ ଗତିବିଧିକୁ ଲକ୍ଷ୍ୟ କରିବା ପରେ କୁମାର ପୂର୍ଣ୍ଣିମାରେ ହତ୍ୟା କରିବାକୁ ସ୍ଥିର କରିଥିଲେ । ହତ୍ୟା କରିବା ପରେ ସେମାନେ ଗଞ୍ଜାମ ଜିଲ୍ଲାରେ ହିଁ ଥିଲେ । ଏବେ ସେମାନେ ବିଭିନ୍ନ ରାଜ୍ୟକୁ ଫେରାର ହୋଇଯାଇଛନ୍ତି । ଅନ୍ୟପକ୍ଷରେ ପୀତବାସ ପଣ୍ଡାଙ୍କ ଜଣେ ନିକଟତମ ବ୍ୟକ୍ତିଙ୍କୁ ପୁଲିସ ବାରମ୍ବାର ପଚରାଉଚରା କରିଛି । ହତ୍ୟାକାଣ୍ଡ ପରେ ସେ ପୁଲିସ ପାଖରେ ଭିନ୍ନ ଭିନ୍ନ ବୟାନ ଦେବା ଏବଂ ତାଙ୍କ କଥାରେ ତାଳମେଳ ନଥିବାରୁ ଭୁବନେଶ୍ୱର ରସୁଲଗଡ଼ରେ ଥିବା ଷ୍ଟେଟ୍ ଫରେନ୍ସିକ୍ ସାଇନ୍ସ ଲାବରୋଟାରୀରେ ତାଙ୍କର ପଲିଗ୍ରାଫ୍ ଟେଷ୍ଟ୍ କରିଛି ପୁଲିସ ।
ସୂଚନାଯୋଗ୍ୟ ୨୦୨୫ ଅକ୍ଟୋବର ୬ ତାରିଖ କୁମାର ପୂର୍ଣ୍ଣିମା ରାତିରେ ଆଇନଜୀବୀ ପୀତବାସ ପଣ୍ଡା ତାଙ୍କ ଚାମ୍ବରରୁ ଫେରି ନୂଆ ବସ୍ଷ୍ଟାଣ୍ଡରେ ଥିବା ଭୂପତି ହୋଟେଲକୁ ଯାଇଥିଲେ । ସେଠାରୁ ଖାଦ୍ୟ ପାର୍ସଲ ନେଇ ଘରକୁ ଯାଉଥିବା ବେଳେ ରାତି ପ୍ରାୟ ୧୦ଟାରେ ବୈକୁଣ୍ଠନଗର ବୁଲାଣିରେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ ଦୁର୍ବୃତ୍ତ।