ବ୍ରହ୍ମପୁର ୩୧/୧୦ : ପୀତବାସ ପଣ୍ଡା ହତ୍ୟା ମାମଲା। ବ୍ରହ୍ମପୁର ଜେଲ୍ରୁ ସ୍ଥାନାନ୍ତର ହେଲେ ପୂର୍ବତନ ମେୟର ତଥା ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଶିବ ଶଙ୍କର ଦାଶ (ପିଣ୍ଟୁ) । କଡ଼ା ସୁରକ୍ଷା ବଳୟରେ ବ୍ରହ୍ମପୁର ଜେଲରୁ ଫୁଲବାଣୀ ଜେଲ ଅଭିମୁଖେ ତାଙ୍କୁ ନିଆଯାଉଛି। ଦିନ ପ୍ରାୟ ୧୧ ଟା ୩୦ ରେ ସେ ଫୁଲବାଣୀରେ ପହଞ୍ଚି ଛନ୍ତି । ପୀତବାସ ହତ୍ୟା ମାମଲାରେ ପିଣ୍ଟୁ ଗିରଫ ହୋଇ ବ୍ରହ୍ମପୁର ଜେଲରେ ରହୁଥିଲେ।
ବ୍ରହ୍ମପୁର ଜେଲ୍ରେ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ତାଙ୍କୁ ସ୍ଥାନାନ୍ତର କରିବାକୁ ବ୍ରହ୍ମପୁର ଏସ୍ଡିଜେଏମ୍ କୋର୍ଟରେ ଆବେଦନ କରାଯାଇଥିଲା । ବ୍ରହ୍ମପୁର ଜେଲ୍ ଅଧୀକ୍ଷକଙ୍କ ଆବେଦନକୁ କୋର୍ଟ ଗ୍ରହଣ କରି ଫୁଲବାଣୀ ଜେଲ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ସୂଚନା ଅନୁଯାୟୀ, ପିଣ୍ଟୁଙ୍କ ଘନିଷ୍ଠ ଶାନ୍ତି ମିଶ୍ରଙ୍କୁ ହତ୍ୟା କରାଯାଇଥିଲା । ଏହି ମାମଲାର ଅଭିଯୁକ୍ତମାନଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ହୋଇସାରିଥିବା ବେଳେ ସେମାନେ ଏବେ ବ୍ରହ୍ମପୁର ଜେଲ୍ରେ ଅଛନ୍ତି । ୮ଜଣଙ୍କୁ ଜେଲ୍ ହୋଇଥିବା ବେଳେ ୫ଜଣ ଜାମିନ୍ରେ ମୁକୁଳିଛନ୍ତି । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଥିବା ମଉଜ ମିଶ୍ର ଓ ଦୁଇଜଣ ସହଯୋଗୀ ବ୍ରହ୍ମପୁର ଜେଲ୍ରେ ଅଛନ୍ତି । ତେଣୁ ପିଣ୍ଟୁଙ୍କ ଜୀବନ ପ୍ରତି ସେଠାରେ ବିପଦ ରହିଥିବା ଦର୍ଶାଇ ବ୍ରହ୍ମପୁର ଜେଲ୍ ଅଧୀକ୍ଷକ ତାଙ୍କୁ ଅନ୍ୟ ଜେଲ୍କୁ ସ୍ଥାନାନ୍ତର କରିବାକୁ କୋର୍ଟକୁ ନିବେଦନ କରିଥିଲେ ।