ନୂଆଦିଲ୍ଲୀ,୦୫/୦୯: ଆସନ୍ତା ୧୩ ତାରିଖରୁ ଟୋକିଓରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ । ବିଶ୍ୱ ଆଥଲେଟିକ୍ସର ଏହି ମହାପର୍ବ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଅଲିମ୍ପିକ୍ସ ପଦକ ବିଜେତା ତଥା ଡିଫେଣ୍ଡିଂ ଚାମ୍ପିଅନ ନୀରଜ ଚୋପ୍ରାଙ୍କୁ ଛାଡ଼ି ଏଏଫ୍ଆଇ (ଆଥଲେଟିକ୍ସ ଫେଡେରେସନ୍ ଅଫ୍ ଇଣ୍ଡିଆ) ପକ୍ଷରୁ ୧୯ ଜଣିଆ ଦଳ ଘୋଷଣା କରାଯାଇଛି । ଯେଉଁ ଦଳରେ ୫ ଜଣ ମହିଳା ରହିଛନ୍ତି । ଡିଫେଣ୍ଡିଂ ଚାମ୍ପିଅନ ଭାବରେ ନୀରଜକୁ ୱାଇଲ୍ଡ କାର୍ଡ ଏଣ୍ଟ୍ରି ମିଳିଛି। ତେଣୁ ଏହି ସଂସ୍କରଣରେ ୨୦ ଜଣ ଭାରତୀୟ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଛନ୍ତି ।
ପ୍ରଥମ ଥର ଜାଭେଲିନରେ ୪ ଜଣ ବିଶ୍ୱ ଆଥଲେଟିକ୍ସ ଇତିହାସରେ ପୂର୍ବରୁ କେବେ ୪ ଜଣ ଭାରତୀୟ ଜାଭେଲିନ ଥ୍ରୋରେ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇନଥିଲେ। ଏଥର ପ୍ରଥମ ଥର ନୀରଜଙ୍କୁ ମିଶାଇ ୪ ଜଣ ପ୍ରତିନିଧିତ୍ୱ କରିବେ । ସେମାନେ ହେଲେ ରୋହିତ ଯାଦବ, ସଚିନ ଯାଦବ ଓ ୟଶ ବୀର ସିଂ । ରୋହିତଙ୍କୁ ଆୟୋଜକଙ୍କ ପକ୍ଷରୁ ଆମନ୍ତ୍ରଣ କରାଯାଇଛି । କିନ୍ତୁ ସଚିନ ଓ ୟଶବୀର ବିଶ୍ୱ ମାନ୍ୟତା ଅନୁସାରେ ଯୋଗ୍ୟତା ହାସଲ କରିଛନ୍ତି ।
୨୦୨୩ ସଂସ୍କରଣରେ ନୀରଜ ୮୮.୧୭ ମିଟର ଥ୍ରୋ କରି ସ୍ୱର୍ଣ୍ଣ ଜିତିଥିଲେ । ପାକିସ୍ତାନର ଅର୍ଶଦ ନଦୀମ (୮୭.୮୨ ମିଟର) ରୌପ୍ୟ ଏବଂ ଚେକ୍ ଗଣରାଜ୍ୟର ଜାକୁବ ଭାଦଲେଚ (୮୬.୬୭ ମିଟର) ବ୍ରୋଞ୍ଜ ଜିତିଥିଲେ । ଗତ ଅଲିମ୍ପିକ୍ସରେ ନଦୀମ ସ୍ୱର୍ଣ୍ଣ ଜିତିଥିଲେ । ଟୋକିଓରେ ମଧ୍ୟ ସେ ଅଂଶ ଗ୍ରହଣ କରିବେ । ନୀରଜ ଓ ନଦୀମଙ୍କ ମଧ୍ୟରେ ଟାଇଟଲ ପାଇଁ କଡ଼ା ଟକ୍କର ହେବ ବୋଲି ଆଶା କରାଯାଉଛି ।
ଅନିମେଶ ରଚିଲେ ଇତିହାସ ପୂର୍ବରୁ ପୁରୁଷ ବର୍ଗରେ କୌଣସି ଭାରତୀୟ ୨୦୦ ମିଟରରେ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇନଥିଲେ । କିନ୍ତୁ ପ୍ରଥମ ଥର ଅନିମେଶ କୁଜୁର ଏହି ଇଭେଣ୍ଟରେ ଯୋଗ୍ୟତା ହାସଲ କରି ଇତିହାସ ରଚିଛନ୍ତି । ଯଦିଓ ସେ ସିଧାସଳଖ ଯୋଗ୍ୟତା ହାସଲ କରି ନାହାନ୍ତି, ମାତ୍ର ବିଶ୍ୱ ମାନ୍ୟତା ଅନୁସାରେ ତାଙ୍କୁ ଟୋକିଓ ଟିକେଟ୍ ମିଳିଛି । ଅନିମେଶଙ୍କ ଶ୍ରେଷ୍ଠ ଟାଇମିଂ ରହିଛି ୨୦.୩୨ ସେକେଣ୍ଡ । ଉଭୟ ୨୦୦ ଓ ୧୦୦ ମିଟରରେ (୧୦.୧୮ ସେକେଣ୍ଡ) ସେ ଜାତୀୟ ରେକର୍ଡର ଅଧିକାରୀ ରହିଛନ୍ତି ।
ଆହତ ଯୋଗୁ ବଞ୍ଚିତ
ଭାରତ ପୂର୍ବାପେକ୍ଷା ଏଥର ବଡ଼ ଦଳ ଟୋକିଓ ପଠାଉଛି । କିନ୍ତୁ ଆହତ ଯୋଗୁ ଦେଶର କିଛି ଶ୍ରେଷ୍ଠ କ୍ରୀଡ଼ାବିତ ବିଶ୍ୱ ଚାମ୍ପିଅନସିପ୍ ଖେଳିବାର ସୁଯୋଗ ହାତଛଡ଼ା କରିଛନ୍ତି। ସେମାନେ ହେଲେ ଏସିଆଡ୍ ଚାମ୍ପିଅନ ଓ ଜାତୀୟ ରେକର୍ଡଧାରୀ ୩୦୦୦ ମିଟର ଷ୍ଟିପଲଚେଜର ଅବିନାଶ ସାବଲେ, ମହିଳା ହେପଟାଥଲନରେ ଏସିଆନ ଚାମ୍ପିଅନ ନନ୍ଦିନୀ ଆଗାସାରା ଏବଂ ରେସୱାକର ଆକାଶଦୀପ ସିଂ । ଏମାନେ ଯୋଗ୍ୟତା ହାସଲ କରିଥିଲେ ବି ଆହତ ଯୋଗୁ ବଞ୍ଚିତ ହୋଇଛନ୍ତି । ପଦକ ଆଶା ଜାଭେଲିନରେ ନୀରଜଙ୍କ ଠାରୁ ଏକ ପଦକ ନିଶ୍ଚିତ ରହିଛି । ଅନ୍ୟମାନେ ଯଦି ନିଜ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦିଅନ୍ତି, ତେବେ ଗୁଲବୀର ସିଂ, ପ୍ରବୀଣ ଚିତ୍ରାଭେଲ ଓ ପାରୁଲ ଚୌଧୁରୀ ପଦକ ଦୌଡ଼ରେ ସାମିଲ ହୋଇପାରନ୍ତି ।
ଭାରତୀୟ ଦଳ ପୁରୁଷ: ନୀରଜ ଚୋପ୍ରା-ଜାଭେଲିନ, ଗୁଲବୀର ସିଂ -୫୦୦୦ ମିଟର, ପ୍ରବୀଣ ଚିତ୍ରାଭେଲ-ଟ୍ରିପଲ ଜମ୍ପ, ଅବଦୁଲ୍ଲା ଅବୁବେକର-ଟ୍ରିପଲ ଜମ୍ପ, ସର୍ଭେସ କୁଶାରେ-ହାଇ ଜମ୍ପ, ଅନିମେଶ କୁଜୁର-୨୦୦ ମିଟର, ସଚିନ ଯାଦବ, ଜାଭେଲିନ, ୟଶ ବୀର ସିଂ-ଜାଭେଲିନ, ମୂରଲୀ ଶ୍ରୀଶଙ୍କର-ଲଙ୍ଗ ଜମ୍ପ,ସର୍ଭିନ ସେବାଷ୍ଟିଆନ-୨୦ କି.ମି ରେସୱାକ, ରାମ ବାବୁ-୩୫ କି.ମି ରେସୱାକ, ଗୁଲବୀର ସିଂ-୧୦୦୦୦ ମିଟର, ସନ୍ଦୀପ କୁମାର-୩୫ କି.ମି ରେସୱାକ, ରୋହିତ ଯାଦବ-ଜାଭେଲିନ ଓ ତେଜାସ ଶିର୍ଷେ-୧୧୦ ମିଟର ହର୍ଡଲ୍ସ ।
ମହିଳା: ପାରୁଲ ଚୌଧୁରୀ-୩୦୦୦ ମିଟର ଷ୍ଟିପଲଚେଜ, ଅନୁ ରାଣୀଜାଭେଲିନ, ପ୍ରିୟଙ୍କା ଗୋସ୍ୱାମୀ-୩୫ କି.ମି ରେସୱାକ, ଅଙ୍କିତା-୩୦୦୦ ମିଟର ଷ୍ଟିପଲଚେଜ ଏବଂ ପୂଜା-୧୫୦୦ ଓ ୮୦୦ ମିଟର ।