ନୂଆଦିଲ୍ଲୀ, ୨୯/୦୫ : ଦୁଇ ଭାଗ ହେଉଛି ଆଫ୍ରିକା। ମାଟି ତଳେ ସୃଷ୍ଟି ହେଲାଣି ୩୫୦୦ କିମିର ଲମ୍ଵା ଫାଟ। ଆଗ୍ନେୟଗିରି ଉଦଗୀରଣ ଓ ଭୂକମ୍ପ ଯୋଗୁଁ ବଢୁଛି ରିଫ୍ଟ ସିଷ୍ଟମ୍‌। ପୃଥିବୀ ଗଭୀରରୁ ନିର୍ଗତ ସୁପର୍‌ପ୍ଲମ୍‌ରୁ ବଢ଼ୁଛି ଅଗ୍ନି ଉଦ୍‌ଗୀରଣ ଓ ଭୂକମ୍ପ। ଏହି ସୁପର୍‌ପ୍ଲମ୍‌ର ଉପସ୍ଥିତିକୁ ସ୍ପଷ୍ଟ କରିଛି କେନିଆ, ମଲାୱି ଓ ଲାଲ୍‌ ସାଗରରେ ମିଳିଥିବା ଗ୍ୟାସ୍‌ଗୁଡ଼ିକର ରାସାୟନିକ ଚିହ୍ନ। ୩.୫ କୋଟି ବର୍ଷ ତଳୁ ଆରମ୍ଭ ହୋଇଥିବା ପ୍ରକ୍ରିୟା ଏବେବି ଜାରି ରହିଛି। ଭବିଷ୍ୟତରେ ସୃଷ୍ଟି ହୋଇପାରେ ଆଉ ଏକ ମହାସାଗର। ଜିଓଫିଜିକାଲ ରିସର୍ଚ୍ଚ ଲେଟର୍ସ ଅଧ୍ୟୟନରୁ ବଡ଼ ଖୁଲାସା। 

ଆଫ୍ରିକା ମହାଦ୍ୱୀପରେ ଘଟୁଥିବା ଏହି ପ୍ରକ୍ରିୟାକୁ ପୂର୍ବ ଆଫ୍ରିକା ରିଫ୍ଟ ସିଷ୍ଟମ୍‌ ବା ଇଏଆର୍‌ଏସ୍‌ କୁହାଯାଉଛି। ଏହା ପୃଥିବୀର ସବୁଠୁ ବଡ଼ ସକ୍ରିୟ ମହାଦ୍ୱୀପୀୟ ରିଫ୍ଟ ସିଷ୍ଟମ୍‌। ଯାହା ଆଫ୍ରିକାକୁ ଦୁଇ ଭାଗରେ ବାଣ୍ଟୁଛି। ଏହା ଉତ୍ତର-ପୂର୍ବ ଆଫ୍ରିକାର ଲାଲ୍‌ ସାଗରରୁ ଦକ୍ଷିଣ ଆଫ୍ରିକାର ମୋଜାମ୍ବିକ ପର୍ଯ୍ୟନ୍ତ ବ୍ୟାପିଛି। ଏହା ଇଥିଓପିଆରେ ଏର୍ଟା ଏଲେ ଆଗ୍ନେୟଗିରି ଭଳି ଗତିବିଧିକୁ ବଢ଼ାଇଛି। ଏହା ଦ୍ୱାରା ଲାଭା ହ୍ରଦ ସୃଷ୍ଟି ହୋଇଛି । ଏହା ଉତ୍ତପ୍ତ, ତରଳ ଚଟାଣର ଏକ ବିଶାଳ ସ୍ଥଳୀ। ଯାହା ପୃଥିବୀର ମାଣ୍ଟେଲ ଓ କୋର୍‌ ମଧ୍ୟରୁ ଆରମ୍ଭ ହୁଏ । ୨୯୦୦ କିମି ଗଭୀରରୁ ଆସୁଥିବା ଏହି ସୁପର୍‌ପ୍ଲମ୍‌ ଉପରକୁ ଉଠି ଆଫ୍ରିକାର ଠୋସ୍‌ ଲିଥୋସ୍ଫିୟର ଉପରେ ଚାପ ପକାଉଛି। ଲିଥୋସ୍ଫିୟରକୁ ଏହା ଭାଙ୍ଗୁଛି। ଯାହା ଦ୍ୱାରା ଫାଟ ଓ ଆଗ୍ନେୟଗିରି ଗତିବିଧି ବଢୁଛି। 

ଏହି ପ୍ରକ୍ରିୟା ତୀବ୍ର ଗତିରେ ବଢୁଥିଲେ ବି ଆଫ୍ରିକା ୨ ଭାଗ ହେବାକୁ ଆହୁରି ଲକ୍ଷାଧିକ ବର୍ଷ ଲାଗିଯିବ। ପାଖାପାଖି ୫ ରୁ ୧୦ ମିଲିୟନ ବର୍ଷ ପରେ ଆଫ୍ରିକା ୨ ଫାଳ ହୋଇଯିବ। ଏହାଦ୍ଵାରା ସୋମାଲିଆ, କେନିଆ, ଇଥିଓପିଆ ଏବଂ ତାଞ୍ଜାନିଆ ବାକି ମହାଦ୍ଵୀପରୁ ଅଲଗା ହୋଇଯିବେ। ଦୁଇ ଦ୍ଵୀପ ମଝିରେ ଏକ ମହାସାଗର ସୃଷ୍ଟି ହେବ। କିଛି ଦ୍ଵୀପ ଦେଶ ମଧ୍ୟ ସୃଷ୍ଟି ହୋଇପାରେ। ଆଫ୍ରିକାର ଏହି ଅଂଶ ଭାରତକୁ ବି ପ୍ରଭାବିତ କରିପାରେ ବୋଲି ଭୂବିଜ୍ଞାନୀମାନେ ଆକଳନ କରୁଛନ୍ତି। ତେବେ ଏବେଠୁ ଏନେଇ ସ୍ପଷ୍ଟ ଆକଳନ କରିବା ମୁସ୍କିଲ୍‌। 

ବୈଜ୍ଞାନିକମାନେ କେନିଆର ମେଙ୍ଗାଇ ଭୂତାପୀୟ କ୍ଷେତ୍ରରେ ଗ୍ୟାସ୍‌ର ଅଧ୍ୟୟନ କଲେ। ନିଅନ୍‌ ଆଇସୋଟୋପ୍ସର ଯାଞ୍ଚ୍‌ କଲେ। ଏହି ଗ୍ୟାସ୍‌ ରାସାୟନିକ ରୂପେ ଦୀର୍ଘ ସମୟ ପର୍ଯ୍ୟନ୍ତ ସ୍ଥିର ଥାନ୍ତି। ସେଥିପାଇଁ ଭୂବୈଜ୍ଞାନିକ ପ୍ରକ୍ରିୟାଗୁଡ଼ିକୁ ଚିହ୍ନଟ କରିବାରେ ଏଗୁଡ଼ିକର ଉପଯୋଗ କରାଯାଏ। ମେଙ୍ଗାଇର ଗ୍ୟାସ୍‌ରେ ଗଭୀର ମାଣ୍ଟେଲ୍‌ର ରାସାୟନିକ ଚିହ୍ନ ମିଳିଲା, ଯାହା ପୃଥିବୀର କେନ୍ଦ୍ର-ମାଣ୍ଟେଲ ସୀମାରୁ ଆସୁଥିଲା। ଏହି ଚିହ୍ନ ଲାଲ୍‌ ସାଗର (ଉତ୍ତର) ଓ ମଲାୱି (ଦକ୍ଷିଣ)ର ଆଗ୍ନେୟଗିରି ଚଟାଣରୁ ମିଳିଥିଲା, ଯାହା ଇଏଆର୍‌ଏସ୍‌ ସହ ଜଡ଼ିତ ଥିଲା। ଏହି ନମୁନା ହୱାଇର ପ୍ରାଚୀନ ଆଗ୍ନେୟଗିରି ଚଟାଣ ଭଳି ଥିଲା, ଯେଉଁଠି ମଧ୍ୟ ଏକ ମାଣ୍ଟେଲ୍‌ ପ୍ଲମ୍‌ ରହିଛି।