ନୂଆଦିଲ୍ଲୀ,୦୫/୦୬; ସନ୍ତାନ ସୁଖ ପାଇଁ ଆସିଥିଲେ ଭାରତ । କିଏ ଜାଣିଥିଲା ନିର୍ଦ୍ଦୟ ନିଷ୍ଠୁର ନିଆଁ ସବୁ କିଛି ଶେଷ କରିଦେବ ବୋଲି । ଆଇଭିଏଫ୍ ଚିକିତ୍ସା ପାଇଁ ଆଫ୍ରିକାରୁ ଭାରତ ଆସିଥିଲେ । ହେଲେ ଆଉ ଫେରିଲେନି । ହୁତୁ ହୁତୁ ହୋଇ ଜଳୁଥିଲା ହୋଟେଲ୍ । ଆଉ ପରସ୍ପର ବାହୁରେ ଆଖି ବୁଜିଛନ୍ତି ଆଫ୍ରିକୀୟ ଦମ୍ପତି । ଦିଲ୍ଲୀର ମାଲବ୍ୟ ନଗର ହୋଟେଲ ଅଗ୍ନିକାଣ୍ଡରୁ ଏକ ଆଫ୍ରିକୀୟ ଦମ୍ପତିଙ୍କ ଦୁଃଖଦ କାହାଣୀ ସାମ୍ନାକୁ ଆସିଛି । IVF ଚିକିତ୍ସା ପାଇଁ ଦିଲ୍ଲୀ ଆସିଥିବା ଏହି ଦମ୍ପତିଙ୍କ ଧୂଆଁ ଶ୍ୱାସରୁଦ୍ଧରେ ଜୀବନ ଯାଇଛି । ମୃତ୍ୟୁ ବି ସେମାନଙ୍କୁ ଅଲଗା କରିପାରିନାହିଁ ।
ଦିଲ୍ଲୀର ଛାତିଥରା ମାଲବ୍ୟ ନଗର ହୋଟେଲ ଅଗ୍ନିକାଣ୍ଡରେ ଜଣେ ଆଫ୍ରିକୀୟ ଦମ୍ପତ୍ତିଙ୍କ ମୃତ୍ୟୁ ଦେଖଣାହାରୀଙ୍କୁ ଦୋହଲାଇ ଦେଇଛି । ଉଭୟଙ୍କ ହୃଦୟବିଦାରକ କାହାଣୀ ସମସ୍ତଙ୍କୁ ଲୁହରେ ଭିଜାଇ ଦେଇଛି । ମୃତ୍ୟୁ ମଧ୍ୟ ଦମ୍ପତିଙ୍କୁ ଅଲଗା କରିପାରିନି । ଆଇଭିଏଫ୍ ଚିକିତ୍ସା ଲାଗି ଉଭୟ ଦିଲ୍ଲୀ ଆସିଥିଲେ । କିନ୍ତୁ ହୋଟେଲରେ ଭୀଷଣ ଅଗ୍ନିକାଣ୍ଡରେ ଦୁହେଁ ଦୁହିଁଙ୍କ ବାହୁରେ ପ୍ରାଣ ହରାଇଲେ । ହୋଟେଲର ତଳ ମହଲା ସ୍ନାନାଗାରରୁ ଉଭୟଙ୍କ ମୃତ ଶରୀର ଉଦ୍ଧାର କରାଯାଇଛି । ଭୀଷଣ ନିଆଁ ଓ ଧୂଆଁ ପୂରା ଅଟ୍ଟାଳିକାକୁ କବ୍ଜା କରିଥିବା ବେଳେ ଏଥିରୁ ବର୍ତ୍ତିବା ପାଇଁ ଦମ୍ପତି ସେଠାରେ ସାହାରା ନେଇଥିଲେ । ଦୁହିଁଙ୍କୁ ଜାଣିଥିବା ହସ୍ପିଟାଲ କର୍ମଚାରୀ ଓ ସ୍ଥାନୀୟ ବାସିନ୍ଦା କହିଛନ୍ତି, ଉଭୟ ଉକ୍ତ ହୋଟେଲରେ ରହି ନିକଟସ୍ଥ ଏକ ହସ୍ପିଟାଲରେ ପ୍ରଜନନ ଚିକିତ୍ସା ନେଉଥିଲେ ।
ଏହା ବି ପଢନ୍ତୁ...India-Us Deal: ‘ଭାରତ ସହିତ ପ୍ରଚୁର ଟଙ୍କା ରୋଜଗାର କରୁଛୁ’; ଟ୍ରେଡ୍ ଡିଲକୁ ନେଇ ଟ୍ରମ୍ପ ଦେଲେ ଖୁସି ଖବର, କହିଲେ ମୋଦି ମୋର ଭଲ ବନ୍ଧୁ
ଦମ୍ପତିଙ୍କର ପରସ୍ପର ବାହୁରେ ଛନ୍ଦି ହୋଇ ପ୍ରାଣ ହରାଇବା ଦୃଶ୍ୟକୁ ବର୍ଣ୍ଣନା କରି ମ୍ୟାକ୍ସ ସ୍ମାର୍ଟ ହସ୍ପିଟାଲର ଡ୍ୟୁଟିରେ ଥିବା ୱାସିମ ରାଜା କହିଛନ୍ତି, ପ୍ରେମର ପ୍ରତୀକ ରୂପେ ଏହା ତାଜମହଲକୁ ମଧ୍ୟ ପଛରେ ପକାଇଛି । କୌଣସିମତେ ସ୍ନାନାଗାର ଦ୍ୱାର ଖୋଲିବା ପରେ ଏହି ହୃଦୟବିଦାରକ ଦୃଶ୍ୟ ଆମକୁ ଦୋହଲାଇ ଦେଲା । ସେ କହିଛନ୍ତି, ନିକଟରେ ମହିଳାଙ୍କର ସର୍ଜରି ହୋଇଥିଲା, କାରଣ ତାଙ୍କ ମୁଣ୍ଡରେ ସର୍ଜରି ଚିହ୍ନ ଥିଲା । ସେ ଶୌଚାଳୟ ଉପରେ ବସିଥିଲେ ଏବଂ ତାଙ୍କ ସ୍ୱାମୀ ତାଙ୍କ ପାଖରେ ଏକ ଚେୟାର୍ରେ ବସିଥିଲେ । ଉଭୟ ପରସ୍ପରକୁ ଧରିଥିଲେ । ଉଭୟଙ୍କ ବାହୁ ପରସ୍ପରକୁ କୋଳାଇଥିଲେ । ମହିଳାଙ୍କ ମୁଣ୍ଡ ସ୍ୱାମୀଙ୍କ କାନ୍ଧରେ ଥିଲା ।
ଦକ୍ଷିଣ ଦିଲ୍ଲୀର ମାଲବୀୟ ନଗର ହୋଟେଲରେ ଘଟିଥିବା ଅଗ୍ନିକାଣ୍ଡ ଅନେକ ପରିବାରକୁ ଦୋହଲାଇ ଦେଇଛି । ସେହିପରି ମୃତକଙ୍କ ମଧ୍ୟରେ ଗୁରୁଗ୍ରାମର ସେକ୍ଟର-୪୬ ବାସିନ୍ଦା ଅଗ୍ରୱାଲ ପରିବାରର ୮ ସଦସ୍ୟ ଅଛନ୍ତି । ସପରିବାର ଦିଲ୍ଲୀରେ ଚିକିତ୍ସିତ ହେଉଥିବା ବୟସ୍କ ସଦସ୍ୟଙ୍କୁ ଭେଟିବାକୁ ଆସିଥିଲେ । କିନ୍ତୁ ଏହି ଭୟାବହ ଅଗ୍ନିକାଣ୍ଡ ପୂରା ପରିବାରକୁ ଶେଷ କରିଦେଇଛି । ୮୦ ବର୍ଷୀୟ ରାଧେଶ୍ୟାମ ଅଗ୍ରୱାଲ ମାଲବୀୟ ନଗର ସ୍ଥିତ ମାକ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କ ଫୁସ୍ଫୁସ୍ ସଂକ୍ରମଣ ହୋଇଥିଲା । ତାଙ୍କୁ ଦେଖା କରିବାକୁ ପୁଅ ବିବେକ ଅଗ୍ରୱାଲ, ବୋହୂ ତରଜନୀ ଅଗ୍ରୱାଲ, ସ୍ତ୍ରୀ ଏବଂ ଦୁଇ ନାତୁଣୀଙ୍କ ସମେତ ୮ ଜଣ ଦିଲ୍ଲୀ ଆସିଥିଲେ । ପିଲାମାନଙ୍କ ସ୍କୁଲ ଛୁଟି ଥିବାରୁ ସେମାନଙ୍କୁ ପରିବାର ଲୋକେ ସାଙ୍ଗରେ ଆଣିଥିଲେ । ସପରିବାର ହସ୍ପିଟାଲ ପାଖ ହୋଟେଲରେ ରହିବାକୁ ନିଷ୍ପତ୍ତି । କେହି କଳ୍ପନା କରିନଥିଲେ ଯେ, ଏହି ନିଷ୍ପତ୍ତି ସେମାନଙ୍କ ଜୀବନକୁ ଶେଷ କରିଦେବ। ପରଦିନ ହସ୍ପିଟାଲ ଯିବାକୁ ବାହାରୁଥିଲେ । ହେଲେ ମୃତ୍ୟୁର ଫାଶ ହୋଇ ମାଡ଼ିଆସିଥିଲା ନିଆଁ । ହୋଟେଲ ଅଗ୍ନିକାଣ୍ଡରେ ୨୧ ଜଣଙ୍କ ଜୀବନ ଯାଇଛି । ସେମାନଙ୍କ ଭିତରେ ୧୧ ଜଣ ବିଦେଶୀ ।