ନୂଆଦିଲ୍ଲୀ,୦୭/୦୧: ଭାରତର ଅନେକ ପ୍ରାନ୍ତରେ ପରିବାରର ସାମାଜିକ ପ୍ରତିଷ୍ଠାକୁ ପୁଅ ସହ ଯୋଡ଼ାଯାଉଛି । ସେହିପରି ଯୌତୁକ ପ୍ରଥା ଓ ବିବାହର ଖର୍ଚ୍ଚ ବୃଦ୍ଧି ଯୋଗୁ ଅନେକ ସ୍ଥାନରେ ଆଜି ବି ଝିଅଙ୍କୁ ଆର୍ଥିକ ବୋଝ ଭାବେ ଦେଖାଯାଉଛି । ହରିୟାଣାର ଜିନ୍ଦ ଜିଲ୍ଲାର ଏକ ସଦ୍ୟ ମାମଲା ପୁଣି ଥରେ ଏହି ମାନସିକତାକୁ ଉଜାଗର କରିଛି । ୧୯ ବର୍ଷ ତଳେ ବିବାହ କରିଥିବା ଜଣେ ଦମ୍ପତି ଗୋଟିଏ ପୁତ୍ର ସନ୍ତାନ ଜନ୍ମ ଦେବା ପରେ ଲିଙ୍ଗଗତ ପକ୍ଷପାତିତାର ବଡ଼ ଉଦାହରଣ ରୂପେ ଉଭା ହୋଇଛନ୍ତି । ଗୋଟିଏ କି ଦୁଇଟି ନୁହେଁ, ପୂର୍ବରୁ ସେମାନଙ୍କର ୧୦ ଝିଅ ଅଛନ୍ତି ।
ପୁଅ-ଝିଅ ଭିତରେ କିଛି ଫରକ ନାହିଁ । ସଭିଏଁ ସମାନ ବୋଲି ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ଏହା କେବଳ କଥାରେ ବୋଲି ହରିୟାଣାର ଏହି ଘଟଣାରୁ ପ୍ରମାଣିତ ହୋଇଛି । ଆଜି ବି ଲୋକ ପୁଅ ପାଇଁ ପାଗଳ । ପୁଅ ପାଇଁ କିଛି ବି ସ୍ତରକୁ ଖସି ଯାଇପାରନ୍ତି । ୧୦ କନ୍ୟା ସନ୍ତାନ ପରେ ପୁତ୍ର ସନ୍ତାନ ପାଇଛନ୍ତି ପୁଅ ପାଗଳ ହରିୟାଣା ଫତେହାବାଦ ଜିଲ୍ଲାର ଢାଣି ଭୋଜରାଜ ଗାଁର ଦମ୍ପତି । ସ୍ଥାନୀୟ ଗଣମାଧ୍ୟମ ସହ ସାକ୍ଷାତକାରରେ ବ୍ୟକ୍ତି କହିଛନ୍ତି, ତାଙ୍କ ବଡ଼ ଝିଅ ଶ୍ରୀନା ଦ୍ୱାଦଶ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି । ଏକାଦଶରେ ପଢୁଛନ୍ତି ଅମ୍ରିତା । ଅନ୍ୟ ଝିଅଙ୍କ ନାଁ କହିବାକୁ ଚେଷ୍ଟା କଲେ, କିନ୍ତୁ ସବୁ ଝିଅଙ୍କ ନାଁ ତାଙ୍କର ମନେପଡ଼ିଲା ନାହିଁ । ସାକ୍ଷାତକାର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣାଟି ଲୋକଙ୍କୁ ଚକିତ କରିଛି ।
ଓଜସ୍ ହସ୍ପିଟାଲରେ ତାଙ୍କର ଶିଶୁ ପୁତ୍ର ଜନ୍ମ ହୋଇଛି । ଡାକ୍ତର କହିଛନ୍ତି, ଗର୍ଭଧାରଣ ଓ ପ୍ରସବ ଉଭୟ ମା’ ଓ ନବଜାତକ ପାଇଁ ଅତ୍ୟନ୍ତ ବିପଦପୂର୍ଣ୍ଣ ଥିଲା । ଶିଶୁର ଶରୀରରେ ମାତ୍ର ୫ ଗ୍ରାମ୍ ରକ୍ତ ଥିଲା । ପ୍ରସବ ପରେ ମା’ ଓ ଶିଶୁ ଉଭୟ ଡାକ୍ତରଖାନାରେ ରହିଥିଲେ । ବ୍ୟକ୍ତିଙ୍କ ସାକ୍ଷାତକାର ଭିଡିଓ ଦେଖି ୟୁଜର୍ କ୍ରୋଧିତ ହୋଇଛନ୍ତି ଏବଂ ମା’ ଓ ଶିଶୁର ମଙ୍ଗଳ ପାଇଁ ଚିନ୍ତା ପ୍ରକଟ କରିଛନ୍ତି । ମାତା-ପିତାଙ୍କ ଦାୟିତ୍ୱ ଉପରେ ବି କିଛି ପ୍ରଶ୍ନ ଉଠାଇଛନ୍ତି । ଅନ୍ୟମାନେ ପିତୃକୈନ୍ଦ୍ରିକ ଦୃଷ୍ଟିକୋଣ କିଭଳି ମହିଳାଙ୍କ ଉପରେ ବାରମ୍ବାର ସନ୍ତାନ ଜନ୍ମର ଶାରୀରିକ ଓ ଭାବନାତ୍ମକ ବୋଝ ପକାଉଛି, ତାହା ଉପରେ ଆଲୋକପାତ କରିଛନ୍ତି ।