ଗୁଜରାଟ ୦୮/୦୨ : ଗୁଜରାଟର ଜଣେ ବ୍ୟକ୍ତି ୨୦ ଟଙ୍କା ଲାଞ୍ଚ ମାମଲାରେ ୩୦ ବର୍ଷ ଜେଲ୍ରେ ବିତାଇବା ପରେ ତାଙ୍କୁ ନିର୍ଦ୍ଦୋଷ ଘୋଷଣା କରାଗଲା । କିନ୍ତୁ ଏହି ଖୁସି ସେ ଦିନେ ବି ଉପଭୋଗ କରିପାରିଲେ ନାହିଁ । ମାମଲାଟି କୌଣସି ଫିଲ୍ମର କାହାଣୀଠୁ କମ୍ ନୁହେଁ । ଗତ ଫେବ୍ରୁଆରୀ ୪ ତାରିଖ ମାମଲାର ଶୁଣାଣିରେ ଗୁଜରାଟ ହାଇକୋର୍ଟ ବ୍ୟକ୍ତିଙ୍କୁ ନିର୍ଦ୍ଦୋଷ ଘୋଷଣା କରିଥିଲେ । ଏହା ଶୁଣି ସେ କହିଲେ, ମୋ ଜୀବନରୁ ଏକ କଳଙ୍କ ଧୋଇ ହୋଇଯାଇଛି । ଭଗବାନ ମୋତେ ନେଇଗଲେ ବି ମୋର ଦୁଃଖ ରହିବ ନାହିଁ ।
୧୯୯୬ରେ ପୁଲିସ କନ୍ଷ୍ଟେବଲ ବାବୁଭାଇ ପ୍ରଜାପତିଙ୍କର ଅହମଦାବାଦରେ ପୋଷ୍ଟିଂ ହୋଇଥିଲା । ଏହି ସମୟରେ ତାଙ୍କ ବିରୋଧରେ ୨୦ ଟଙ୍କା ଲାଞ୍ଚ ନେବାର ଅଭିଯୋଗ ହୋଇଥିଲା । ଦୁର୍ନୀତି ନିବାରଣ ଅଧିନିୟମ ଅଧୀନରେ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ୧୯୯୭ରେ ସେସନ୍ କୋର୍ଟରେ ତାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ହୋଇଥିଲା । ୨୦୦୨ରେ ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଥିଲା । ୨୦୦୩ରେ ସାକ୍ଷୀଙ୍କ ଶୁଣାଣି ଆରମ୍ଭ ହେଲା ଏବଂ ୨୦୦୪ରେ ସେସନ୍ କୋର୍ଟ ପ୍ରଜାପତିଙ୍କୁ ୪ ବର୍ଷ ଜେଲ୍ ଦଣ୍ଡ ସହିତ ୩ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଲେ । ପ୍ରଜାପତି ସେସନ୍ କୋର୍ଟଙ୍କ ନିର୍ଦ୍ଦେଶକୁ ଗୁଜରାଟ ହାଇକୋର୍ଟରେ ଚାଲେଞ୍ଜ କଲେ । ଏହା ପରେ ତାଙ୍କ ଆବେଦନ ଦୀର୍ଘ ୨୨ ବର୍ଷ ଧରି ଅଟକି ରହିଲା । ଚଳିତ ମାସ ୪ ତାରିଖରେ ହାଇକୋର୍ଟ ରାୟ ଦେଲେ, ପ୍ରଜାପତି ନର୍ଦ୍ଦୋଷ । କୋର୍ଟ କହିଲେ, ସାକ୍ଷୀମାନଙ୍କ ବୟାନରେ ଗମ୍ଭୀର ବିରୋଧାଭାସ ଥିଲା ଏବଂ ଓକିଲ ତାଙ୍କ ବିରୋଧରେ ଅଭିଯୋଗ ପ୍ରମାଣ କରିବାରେ ବିଫଳ ହେଲେ ।
ଆହୁରି ପଢ଼ନ୍ତୁ...ଗୋଟିଏ ଝଟ୍କା ସବୁ ଶେଷ ! ୩ ମହଲା କୋଠା ଭୁଶୁଡ଼ି ୨ ମୃତ, ଚାପି ହୋଇଛନ୍ତି ଅନେକ
ପ୍ରଜାପତିଙ୍କ ଓକିଲ ନିତିନ ଗାନ୍ଧୀ କୋର୍ଟକୁ କହିଲେ, ପୂରା ମାମଲା ସନ୍ଦେହ ଉପରେ ଆଧାରିତ ଥିଲା । କୋର୍ଟଙ୍କ ରାୟ ପରେ ସେ ନିତିନଙ୍କ କାର୍ଯ୍ୟାଳୟରେ ପହଞ୍ଚି କଳଙ୍କ ଧୋଇଗଲା ବୋଲି ମର୍ମସ୍ପର୍ଶୀ କଥା କହି ଘରକୁ ଫେରିଗଲେ । ପରଦିନ ତାଙ୍କର ମୃତ୍ୟୁ ହେଲା । ତାଙ୍କ ଶୁଭଚିନ୍ତକ କହୁଛନ୍ତି, ଏହି ଖୁସିକୁ ଉପଭୋଗ କରିବା ପାଇଁ ସେ ଆଉ କିଛି ଦିନ ବଞ୍ଚିଥିଲେ ଭଲ ହୋଇଥାନ୍ତା । ତାଙ୍କ ଓକିଲ ନିତିନ କହିଛନ୍ତି, ମୃତ୍ୟୁ ପୂର୍ବ ଦିନ ସେ ଅଫିସ୍କୁ ଆସିଥିଲେ । ଦୀର୍ଘ ବର୍ଷ ହେଲା ନିଜ ଦେହରେ ଲାଗିଥିବା ମିଛ କଳଙ୍କର ଦାଗ ଧୋଇ ହୋଇଯିବାରୁ ସେ ଖୁବ୍ ଖୁସି ଥିଲେ । ମୁଁ ତାଙ୍କୁ କହିଲି, କାକା ତୁମକୁ ସରକାରଙ୍କଠୁ ମିଳୁଥିବା ସମସ୍ତ ସୁବିଧା ଲାଗି ଆବେଦନ କରିବା ଉଚିତ୍ । ପର ଦିନ ତାଙ୍କୁ ଫୋନ୍ କରିବା ପରେ ଜାଣିଲି, ହୃଦ୍ଘାତରେ ତାଙ୍କର ମୃତ୍ୟୁ ହୋଇଛି ।