ନୂଆଦିଲ୍ଲୀ,୦୮/୦୨; ରାଜସ୍ଥାନର କୋଟାସ୍ଥିତ ଇନ୍ଦିରା ବିହାରର ଅପେରା ହସ୍ପିଟାଲ ନିକଟରେ ଶନିବାର ରାତି ପ୍ରାୟ ୯ଟାରେ ଏକ ତିନି ମହଲା କୋଠା ଭୁଶୁଡ଼ି ପଡ଼ିଛି । ଏଥିରେ ଦୁଇ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ କୋଟା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ମୃତ ଛାତ୍ରଙ୍କ ନାମ ଆର୍ୟନ (୨୦) ଏବଂ ତାଙ୍କ ଘର ପଶ୍ଚିମବଙ୍ଗରେ ବୋଲି ଜଣାପଡ଼ିଛି । ଭଗ୍ନାବଶେଷ ମଧ୍ୟରେ କିଛି ଛାତ୍ରଙ୍କ ସମେତ ଅନେକ ଲୋକ ଫସିରହିଥିବା ଆଶଙ୍କା କରାଯାଉଛି । ସୁରକ୍ଷାକୁ ଦୃଷ୍ଟିରେ ରଖି କୋଠାର ବିଦ୍ୟୁତ ବ୍ୟବସ୍ଥାକୁ କାଟି ଦିଆଯାଇଛି ।

ସୂଚନା ପାଇ ପୁଲିସ, ପ୍ରଶାସନିକ ଅଧିକାରୀ ଏବଂ ଏସ୍ଡିଆର୍ଏଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଅଭିଯାନ ଜାରି ରଖିଛନ୍ତି । ଏହି ସମୟରେ ଭଗ୍ନାବଶେଷ ମଧ୍ୟରୁ ଲୋକଙ୍କ ଚିତ୍କାର ଶୁଣିବାକୁ ମିଳିଛି । ତେଣୁ ଭଗ୍ନାବଶେଷ ହଟାଇବାରେ ସାବଧାନତା ଅବଲମ୍ବନ କରାଯାଉଛି । ଉଦ୍ଧାର ବେଳେ ଜଣେ କର୍ମଚାରୀ ଆହତ ହୋଇଛନ୍ତି । ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ରାଜ୍ୟ ଶିକ୍ଷା ମନ୍ତ୍ରୀ ମଦନ ଦିଲାୱର ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଅଭିଯାନ ତଦାରଖ କରିଛନ୍ତି । ୫-୭ଟି ଜେସିବି ଓ ଗୋଟିଏ ହାଇଡ୍ରା ଦ୍ୱାରା ଭଗ୍ନାବଶେଷ ହଟାଯାଉଛି । ତଲୱଣ୍ଡି ଅଞ୍ଚଳରେ ଥିବା ଏହି କୋଠା ଭିତରେ ଏକ ରେସ୍ତୋରାଁ ରହିଛି ।

ଏହା ବି ପଢନ୍ତୁ...ଦେଶରେ ବଢ଼ିଛି ସ୍ତନ କର୍କଟ; ଛତିଶଗଡ଼-ବିହାରରେ ଅଧିକ ,ଗର୍ଭାଶୟ କର୍କଟ ସବୁଠୁ ଘାତକ

ଦୁର୍ଘଟଣା ବେଳେ କିଛି ଗ୍ରାହକ ଓ ରେସ୍ତୋରାଁରେ କାମ କରୁଥିବା ୧୨ରୁ ୧୫ ଜଣ କର୍ମଚାରୀ ଥିଲେ । ସେମାନେ ଭଗ୍ନାବଶେଷ ତଳେ ଚାପିହୋଇ ଯାଇଥିବା କୁହାଯାଉଛି । ଏହି କୋଠାର ପଛରେ ଥିବା ଆଉ ଏକ କୋଠାରେ ଅନେକ ଦିନ ହେଲା କାମ ଚାଲିଛି । ପ୍ରତ୍ୟେକ ଦିନ ଡ୍ରିଲ୍ ମେସିନ, ବଡ଼ ହାମର୍ ଦ୍ୱାରା କାମ ହେବା ଯୋଗୁ ତମାମ କୋଠାରେ କମ୍ପନ ହେଉଥିଲା । କମଲେଶ ମେହଟ୍ଟା ନାମକ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, କୋଠା ଭୁଶୁଡ଼ିବା ବେଳେ ବାଣ ଫୁଟିବା ଭଳି ଶବ୍ଦ ହୋଇଥିଲା । ଆମେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲୁ । ଏହି ସମୟରେ ଭିତରୁ ‘ଆମକୁ ବଞ୍ଚାଅ ବଞ୍ଚାଅ’ ଶବ୍ଦ ଶୁଭିଥିଲା । ଅପରାହ୍ନରେ କୋଠା ନିକଟରେ ଜେସିବି ଦ୍ୱାରା କାମ ଚାଲିଥିଲା । ଏହାଯୋଗୁ ଦୁର୍ଘଟଣା ଘଟିଥାଇପାରେ ବୋଲି କୁହାଯାଉଛି ।