ପାଟଣା, ୨୭।୪ : ​​​​​​​ ମୃତ ବଡ ଭଉଣୀର କଙ୍କାଳକୁ ବ୍ୟାଙ୍କ୍‌ ସମ୍ମୁଖରେ ରଖି ଜମା ଟଙ୍କା ଦେବାକୁ ଦାବି କରିଛି ସାନ ଭାଇ ଜିତୁ ମୁଣ୍ଡା । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍‌ ମଲ୍ଲୀପଶି ଓଡିଶା ଗ୍ରାମ୍ୟ ବ୍ୟାଙ୍କ୍‌ ସମ୍ମୁଖରେ ଏପରି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ।

ମୃତ ବଡ ଭଉଣୀଙ୍କ ବ୍ୟାଙ୍କ ଜମା ଖାତାରେ ଥିବା ୧୯,୩୦୦ ଟଙ୍କାକୁ ମ୍ୟାନେଜର ଦେବାକୁ ମନା କରିବାରୁ ନିରକ୍ଷର ସାନଭାଇ ଶେଷରେ କବର ଖୋଳି ବଡଭଉଣୀର କଙ୍କାଳକୁ ବାହାର କରି ବ୍ୟାଙ୍କ୍‌କୁ ଆଣିଥିଲା । ଭଉଣୀକୁ ଦେଖ ଓ ଜମା ଖାତାରେ ଥିବା ଟଙ୍କା ଦିଅ ବୋଲି ବ୍ୟାଙ୍କ ପରିଚାଳକଙ୍କ ପାଖରେ ଦାବି କରିଥିଲା ।

୪ ଭାଇଭଉଣୀଙ୍କୁ ନେଇ ପାଟଣା ବ୍ଲକ୍‌ ଏରେଣ୍ଡେଇ ପଞ୍ଚାୟତ ଡିଆନାଳୀ ଗ୍ରାମର ଜିତୁ ମୁଣ୍ଡା (୫୦)ଙ୍କ ପରିବାର । ବଡ଼ଭାଇ ରଇବୁ ମୁଣ୍ଡା ଓ ସାନ ଭାଇ ଶଙ୍କରା ମୁଣ୍ଡା ବିବାହିତ । ଜିତୁ ଓ ବଡ଼ ଭଉଣୀ କାଲରା ଅବିବାହିତ ଥିଲେ ।

ଦୁଇ ବର୍ଷ ପୂର୍ବରୁ ବଳଦ ବିକ୍ରି କରି ବଡ଼ ଭାଇ ରଇବୁ ଭଉଣୀ କାଲରାଙ୍କ ନାଁରେ ମଲ୍ଲୀପଶି ସ୍ଥିତ ଗ୍ରାମ୍ୟ ବ୍ୟାଙ୍କ୍‌ରେ ୧୯,୩୦୦ ଟଙ୍କା ଜମା କରିଥିଲେ । ନୋମିନୀ ଭାବେ ବଡ଼ଭାଇଙ୍କ ନାଁ ରହିଛି । ଦେଢ଼ ବର୍ଷ ପୂର୍ବରୁ ରଇବୁଙ୍କ ମୃତ୍ୟୁ ଘଟିସାରିଛି । ଭଉଣୀ କାଲରା (୫୫)ଙ୍କ ମଧ୍ୟ ୨ ମାସ ପୂର୍ବରୁ ମୃତ୍ୟୁ ଘଟିଥିଲା । କାଲରାଙ୍କ ନାମରେ ବ୍ୟାଙ୍କରେ ଥିବା ଟଙ୍କା ଉଠାଇବା ପାଇଁ ଜିତୁ ମୁଣ୍ଡା ବାରମ୍ବାର ବ୍ୟାଙ୍କକୁ ଦଉଡି ଦଉଡି ନିରାଶ ହୋଇଥିଲେ । ବ୍ୟାଙ୍କ୍‌ ପରିଚାଳକ ତାଙ୍କୁ ଭଉଣୀକୁ ନେଇକି ଆସ କିମ୍ବା ତାଙ୍କ ଉତ୍ତରାଧିକାରୀଙ୍କୁ ନେଇକି ଆସ ବୋଲି କହିଥିଲେ । କିନ୍ତୁ କାଲରାଙ୍କ ପରିବାର କହିଲେ ଜିତୁ ଓ ଶଙ୍କରାଙ୍କ ଛଡା ଆଉ କେହି ନଥିବାରୁ ଜିତୁ ବ୍ୟାଙ୍କ୍‌କୁ ବାରମ୍ବାର ଯାଇଥିଲେ ।

ବ୍ୟାଙ୍କ୍‌ ଅଧିକାରୀ ମଧ୍ୟ ଭଉଣୀକୁ ନେଇ ଆସ ଟଙ୍କା ଦେବି କହି ଫେରାଇ ଦେଇଥିଲେ । ଶେଷରେ ଜିତୁ ମୁଣ୍ଡା ଶ୍ମଶାନରୁ ବଡ଼ଭଉଣୀର ଶବକୁ ଖୋଳି ଏକ ବସ୍ତାରେ ପୂରାଇ ୩ କିମି ଦୂର ମଲ୍ଲୀପଶି ଗ୍ରାମ୍ୟ ବ୍ୟାଙ୍କ୍‌କୁ ଯାଇଥିଲେ । ବ୍ୟାଙ୍କ୍‌ ସମ୍ମୁଖରେ ରଖି ଶାଖା ପରିଚାଳକଙ୍କୁ ଭଉଣୀକୁ ଦେଖ ଓ ଟଙ୍କା ଦିଅ ବୋଲି ଦାବି କରିଥିଲେ । ବ୍ୟାଙ୍କ୍‌ କର୍ମଚାରୀ ସଙ୍ଗେ ସଙ୍ଗେ ଗେଟ୍‌ ବନ୍ଦ କରିଦେବାରୁ ସେ ବାରଣ୍ଡାରେ ବସି ରହିଥିଲେ । ଏହି ଘଟଣା ଅତ୍ୟନ୍ତ ସ୍ପର୍ଶକାତର ହୋଇଥିଲେ ମଧ୍ୟ ତା କଥାକୁ କେହି ଶୁଣି ନଥିଲେ । ଘଟଣା ପ୍ରଚାରିତ ହେବା ପରେ ପାଟଣା ଥାନାଧିକାରୀ କିରଣ ପ୍ରସାଦ ସାହୁ ଓ ଏଏସଆଇ ଗୌରହରି ଗରଡ଼ିଆ ମଲ୍ଲୀପଶି ବ୍ୟାଙ୍କ ଶାଖାରେ ପହଞ୍ଚି ଜିତୁକୁ ବୁଝାଇବାକୁ ଚେଷ୍ଟା କରିଥିଲେ । ମୃତକଙ୍କ ଜମା ଖାତାର ନୋମିନୀ କିଏ ଓ ଟଙ୍କା ଉଠାଇବାର ନିୟମ ନ ଜଣାଇ ଭଉଣୀକୁ ଆଣ ଟଙ୍କା ଦେବି କହି ଶାଖା ପରିଚାଳକ ଏଭଳି ସମସ୍ୟାକୁ ଡାକିଥିବା ଜଣାପଡିଛି । ତେବେ ପୁଲିସ ବୁଝାସୁଝା ପରେ ଜିତୁ କଙ୍କାଳକୁ ପୁନର୍ବାର ନେଇ ପୋତିଥିବା ସୂଚନା ମିଳିଛି । ବ୍ୟାଙ୍କ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍‌ ଉଠାଇ ନଥିଲେ । ବ୍ୟାଙ୍କ୍‌ରୁ ହିତାଧିକାରୀଙ୍କୁ କିପରି ଶୀଘ୍ର ଟଙ୍କା ଦିଆଯିବ ସେ ନେଇ ବ୍ୟବସ୍ଥା କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ଆହୁରି ପଢନ୍ତୁ : ଭାଙ୍ଗିଲେ ତାଲା, ଘରୁ ନେଇ ଗଲେ ଦୁର୍ବୃତ୍ତ ୩୦ ଲକ୍ଷ ଟଙ୍କାର ସୁନାଗହଣା