ବଡବିଲ,୨୭।୪  : କେନ୍ଦୁଝର ଜିଲ୍ଲାର ଯୋଡ଼ା ଅଞ୍ଚଳରେ ଏକ ବଡ଼ ଧରଣର ଚୋରି ଘଟଣା ଘଟିଛି। ତାଲା ଭାଙ୍ଗି ଘରୁ ୩୦ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।  ବିଲେଇପଦା ସ୍ଥିତ ଟାଟା ସ୍ପଞ୍ଜ ଆଇରନ୍ ଲିମିଟେଡ୍‌ର ଟାଉନ୍‌ଶିପ୍ କଲୋନୀରେ ଦୃବୃର୍ତ୍ତମାନେ ଏକ ଘରର ତାଲା ଭାଙ୍ଗି କଳାକନା ବୁଲାଇଛନ୍ତି।

କ୍ବାଟର ନମ୍ବର W/3R-1/57 ରେ ବସବାସ କରୁଥିବା କମ୍ପାନୀ କର୍ମଚାରୀ ଦେବଦତ୍ତ ରାୟ ଗତ ୨୧ ତାରିଖରେ ଘରେ ତାଲା ପକାଇ କଟକ ଯାଇଥିଲେ। ସୋମବାର ଭୋର୍ ପ୍ରାୟ ୩ଟା ସମୟରେ ସେ ଘରକୁ ଫେରିବା ପରେ ଘରୁ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ବେଡ୍ ରୁମର ବକ୍ସ ପଲଙ୍କ ଭିତରେ ଏକ ଆଟାଚିରେ ସାଇତି ରଖିଥିବା ସମସ୍ତ ସୁନା ଅଳଙ୍କାର, ଯେଉଁଥିରେ ୬ ସେଟ୍ ସୁନା ହାର, ୫ସେଟ୍ କାନଫୁଲ, ୪ଟି ମୁଦି, ୮ଯୋଡ଼ା ଚୁଡ଼ି ଓ ଗୋଟିଏ ବ୍ରେଶଲେଟ୍ ଦୁର୍ବୃତ୍ତମାନେ ଚୋରି କରି ନେଇଥିଲେ।

ଦୃବୃର୍ତ୍ତମାନେ ଘରର ପଛପଟ କବାଟର ତାଲା ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ। ପରେ ବକ୍ସ ପଲଙ୍କ ଭିତରେ ରଖାଯାଇଥିବା ସମସ୍ତ ସୁନା ଅଳଙ୍କାର ଲୁଟିନେଇ ପଳାଇଥିଲେ । ଏନେଇ ଗୃହକର୍ତ୍ତା ଦେବଦତ୍ତ ରାୟ ଯୋଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସୂଚନା ପାଇ ପୋଲିସ ସାଇଣ୍ଟିଫିକ୍ ଟିମ୍ ଓ ସ୍ନିଫର ଡଗ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଯୋଡ଼ା ପୋଲିସ୍ । ଏଯାଏଁ ଦୃବୃର୍ତ୍ତଙ୍କ ସମ୍ପର୍କରେ କିଛି ବି ଜଣାପଡ଼ିନାହିଁ ।

​​​​​​​ଆହୁରି ପଢନ୍ତୁ : ୧୯ ସିଲିଣ୍ଡର ସହ ଅଟୋ ଜବତ, ୩୫୦୦ ଟଙ୍କାରେ ଚୋରରେ ବିକ୍ରି ହେଉଥିଲା ଗ୍ୟାସ