ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀରୁ ଘରୋଇ ହିଂସାର ଏକ ବୀଭତ୍ସ ମାମଲା ଏବେ ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ମହିଳା ତାଙ୍କ ଶୋଇଥିବା ସ୍ୱାମୀଙ୍କ ଉପରେ ଫୁଟୁଥିବା ତେଲ ଢାଳି ଦେଇଥିବା ଅଭିଯୋଗ ହୋଇଛି। ଆକ୍ରମଣ ସମୟରେ ଦମ୍ପତିଙ୍କ ଏକ ୮ ବର୍ଷର ଝିଅ ସେଠାରେ ଉପସ୍ଥିତ ଥିବା ଜଣାପଡ଼ିଛି। ତେବେ ଗରମ ତେଲ ଢାଳିବା ସମୟରେ ମହିଳା ଜଣକ ତାଙ୍କ ସ୍ୱାମୀଙ୍କୁ ଧମକ ଦେଇ କହିଥିଲେ ଯେ, "ଯଦି ତୁମେ ଚିତ୍କାର କର, ତେବେ ମୁଁ ତୁମ ଉପରେ ଆହୁରି ତେଲ ଢାଳିବି। ଏନେଇ ମହିଳାଙ୍କ ୨୮ ବର୍ଷୀୟ ସ୍ବାମୀ ଦିନେଶ ପୋଲିସରେ ଅଭିଯୋଗ କରିଛନ୍ତି । ସେ ଏକ ଫାର୍ମା କମ୍ପାନୀରେ କାର୍ଯ୍ୟ କରନ୍ତି ।

ମହିଳାଙ୍କ ସ୍ବାମୀଙ୍କ କହିବା ଅନୁସାରେ,"ମୋ ସ୍ତ୍ରୀ ଏବଂ ଝିଅ ପାଖରେ ଶୋଇଥିଲେ। ସମୟ ରାତି ପ୍ରାୟ ୩.୧୫ ମିନିଟ, ମୁଁ ହଠାତ୍ ମୋ ଶରୀରରେ ଏକ ତୀବ୍ର ଏବଂ ଜଳୁଥିବା ଯନ୍ତ୍ରଣା ଅନୁଭବ କଲି। ଏହି ସମୟରେ ମୁଁ ମୋ ସ୍ତ୍ରୀକୁ ଠିଆ ହୋଇ ମୋ ଶରୀର ଏବଂ ମୁହଁରେ ଫୁଟୁଥିବା ତେଲ ଢାଳିଥିବାର ଦେଖିଲି। ମୁଁ ଉଠିବା କିମ୍ବା ସାହାଯ୍ୟ ପାଇଁ ଡାକିବା ପୂର୍ବରୁ, ସେ ମୋ ପୋଡ଼ି ଯାଇଥିବା ସ୍ଥାନରେ ଲାଲ ଲଙ୍କା ପାଉଡର ଛିଞ୍ଚି ଦେଇଥିଲେ । ଆଉ ପ୍ରତିବାଦ କରିବା ସମୟରେ, ପତ୍ନୀ ଚେତାବନୀ ଦେଇଥିଲେ କି "ଅଗର ଶୋର ମଚାୟା ତୋ ଔର ଗରମ ତେଲ୍ ଡାଲ ଡୁଙ୍ଗୀ' (ଯଦି ତୁମେ ଚିତ୍କାର କର, ତେବେ ମୁଁ ତୁମ ଉପରେ ଅଧିକ ତେଲ ଢାଳି ଦେବି)।"

ମହିଳାଙ୍କ ବିରୋଧରେ BNS ର ବିଭିନ୍ନ ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଛି। ତଥାପି, ଏପର୍ଯ୍ୟନ୍ତ କୌଣସି ଗିରଫଦାରୀ ହୋଇନାହିଁ । ପୋଲିସ ଘଟଣାର କାରଣ ଜାଣିବାକୁ ଚେଷ୍ଟା କରୁଛି। ଦମ୍ପତି ଆଠ ବର୍ଷ ଧରି ବିବାହିତ ଏବଂ ସେମାନଙ୍କ ସମ୍ପର୍କ ଅଶାନ୍ତ ରହିଛି। ଦୁଇ ବର୍ଷ ପୂର୍ବେ ତାଙ୍କ ସ୍ତ୍ରୀ ମହିଳା ବିରୋଧୀ ଅପରାଧ (CAW) ସେଲ୍‌ରେ ଅଭିଯୋଗ କରିଥିଲେ, ଯାହା ପରେ ଆପୋଷ ସମାଧାନ ହୋଇଥିଲା।