ଚନ୍ଦ୍ରଶେଖରପୁର, ୧।୪: ବୟସ ୬୫ ହେଲାଣି । ବିଶ୍ରାମ ନେବା ବୟସରେ ଘାରିଛି ବାଇକ ଚାଳନାର ନିଶା । ବୃଦ୍ଧ ବୟସରେ ବି ବିଏମ୍ଡବ୍ଲୁ ଆର ୧୨୦୦ ଜିଏସ ଭଳି ବୃହତ ବାଇକ ଧରି ଅତିକ୍ରମ କରି ସାରିଲେଣି ୨ ଲକ୍ଷ ୫୦୦ କିଲୋମିଟର । ଖାଲି ସେତିକି ନୁହେଁ ବିଶ୍ୱ ଉଷ୍ମତାରୁ ପ୍ରକୃତିକୁ ସୁରକ୍ଷା ଦେବା ଓ ପୃଥିବୀକୁ ସବୁଜ ସୁନ୍ଦର କରିବା ଲକ୍ଷ୍ୟ ନେଇ ଦେଶ ଦେଶ ବୁଲି କରୁଛନ୍ତି ବୃକ୍ଷ ରୋପଣ । ବର୍ତ୍ତମାନ ସୁଦ୍ଧା ୧୦୫ ଦେଶ ଭ୍ରମଣ କରିସାରିଛନ୍ତି । ସେ ହେଉଛନ୍ତି ମାଲେସିଆ ବାସିନ୍ଦା କାତ୍ର୍ଲାଭାନ କାଥୀ । ଆଜି ଭୁବନେଶ୍ୱରରେ ପହଞ୍ଚି ପଟିଆ ଇନଫୋସିଟି ରାସ୍ତାରେ ଥିବା ମନୋଜ ନନଭେଜ୍ ୱାର୍ଲ୍ଡରେ ବୃକ୍ଷ ରୋପଣ କରି ସଚେତନତାର ବାର୍ତ୍ତା ବାଣ୍ଟିଛନ୍ତି । ନନଭେଜ୍ ୱାର୍ଲ୍ଡ ମାଲିକ ମନୋଜ ସାହୁ ତାଙ୍କୁ ସ୍ୱାଗତ କରିବା ସହିତ ଅଭିନନ୍ଦନ ଜଣାଇଥିଲେ । କାତ୍ର୍ଲାଭାନ ତାଙ୍କ ବାପା ଭାରତୀୟ ହୋଇଥିଲାବଳେ ସେ ମାଲେସିଆରେ ଜନ୍ମ ଗ୍ରହଣ କରି ଛୋଟରୁ ବଡ଼ ହୋଇଛନ୍ତି ।
ଏହା ବି ପଢ଼ନ୍ତୁ... ଆନ୍ଧ୍ର ମାଟିରେ ଓଡ଼ିଆ ବୀରତ୍ୱର ମୂକସାକ୍ଷୀ, କପିଳେନ୍ଦ୍ର ଦେବଙ୍କ ଜୟସ୍ତମ୍ଭକୁ ନେଇ ବଢ଼ୁଛି ଦାବି
ସେ ମାଲେସିଆର ଏକ ମଲ୍ରେ ୨୦୧୭ରେ ଚାକିରୀ କାଳ ସାରିବା ପରେ ନିଜର ଏକ ଘର ବିକ୍ରି କରି ୨୭ ଲକ୍ଷ ଟଙ୍କା ଦେଇ ବିଏମ୍ଡବ୍ଲ୍ୟୁ ଆର ୧୨୦୦ ସିଏସ ବାଇକ କିଣିଥିଲେ । ବିଶ୍ୱ ଭ୍ରମଣ ଲକ୍ଷ ରଖି ଏହାକୁ ୩ ଲକ୍ଷ ଖର୍ଚ୍ଚ କରି ମଡେଲିଂ କରିଥିଲେ । ଏଥିରେ ବାହ୍ୟ ଉପକରଣ ଲଗାଇବା ସହିତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ର ରଖିବା ପାଇଁ ଦୁଇ ପଟରେ ଦୁଇଟି ବକ୍ସ ଓ ପଛରେ ଏକ ବକ୍ସ ଖଞ୍ଜି ଥିଲେ । ୨୦୧୮ ମସିହାରେ ପ୍ରଥମେ ମାଲେସିଆରୁ ଯାତ୍ରା ଆରମ୍ଭ କରି ଥାଇଲାଣ୍ଡ, ମିଆଁମାର, ଭୁଟାନ, ନେପାଳ, ପାକିସ୍ଥାନ ଓ ଇଣ୍ଡିଆ ଭ୍ରମଣ କରିଥିଲେ । ଏଥିରେ ସେ ୨୨ ହଜାର କିଲୋମିଟର ଯାତ୍ରା କରିଥିଲେ ।
ବିନା ବିଶ୍ରାମରେ ଯାତ୍ରା କରି ଦେହ ଖରାପ ହେବା କାରଣରୁ ମାଲେସିଆ ଫେରି ଯାଇଥିଲେ । ପୁଣି ସେ ୨ ଜାନୁଆରୀ ୨୦୨୩ ରୁ ଯାତ୍ରା ଆରମ୍ଭ କରି ୧୦୫ ଦେଶ ଭ୍ରମଣ କରିବା ସହିତ ୧୮୯ ଟି ବୃକ୍ଷ ରୋପଣ କରିଛନ୍ତି । ଦୀର୍ଘ ୩ ବର୍ଷ ହେବ ସେ ଗାଡି ଚାଳନା କରି ୨ ଲକ୍ଷ ୫୦୦ କିଲୋମିଟର ରାସ୍ତା ଅତିକ୍ରମ କରି ଫେବୃଆରୀ ମାସରେ ଭାରତରେ ପହଞ୍ଚିଛନ୍ତି । ଭାରତର ସମସ୍ତ ଦର୍ଶନୀୟ ସ୍ଥାନ ବୁଲିବା ପରେ ଚାଇନା ହୋଇ ମାଲେସିଆ ଫେରିବାର ଲକ୍ଷ ରହିଛି ବୋଲି କାଥୀ କହିଛନ୍ତି । ଗାଡି ଚାଳନା ସମୟରେ ସତର୍କତା ଅବଲମ୍ବନ କରିବା, ହେଲମେଣ୍ଟ ପିନ୍ଧିବା, ଅନ୍ୟ ମନଷ୍କ ଓ ବେପରୁଆ ଗାଡି ଚାଳନା ନ କରିବା, ମୋବାଇଲ ବ୍ୟବହାର ନ କରିବା ପାଇଁ ଆଜିର ଯୁବପିଢୀଙ୍କୁ ସେ ପରାମର୍ଶ ଦେଇଛନ୍ତି ।