ଭୁବନେଶ୍ୱର, ୧।୪: ଦକ୍ଷିଣ ଭାରତରୁ ଆବିଷ୍କୃତ ହୋଇଛି ଓଡ଼ିଆ ସୂର୍ଯ୍ୟବଂଶୀ ଗଜପତି ସାମ୍ରାଜ୍ୟର ବୀରତ୍ୱ ପରାକ୍ରମର ଗୁରୁତ୍ୱପୂର୍ଣ୍ଣ ସ୍ମୃତିଚିହ୍ନ । ଆନ୍ଧ୍ରପ୍ରଦେଶ ନନ୍ଦିୟାଲ ଜିଲ୍ଲା କୋଇଲକୁନ୍ତଲା ମଣ୍ଡଳ ଅନ୍ତର୍ଗତ ଉୟଲୱାଡ଼ା ଗ୍ରାମରୁ ଗଜପତି କପିଳେନ୍ଦ୍ରଦେବଙ୍କ ଦାକ୍ଷିଣାତ୍ୟ ବିଜୟର ଚିହ୍ନ ରୂପରେ ୧୫ଶ ଶତାବ୍ଦୀରେ ଅବସ୍ଥାପିତ ଏକ ପ୍ରସ୍ତର ନିର୍ମିତ ଜୟସ୍ତମ୍ଭକୁ ଖୋଜିପାଇଛନ୍ତି ରିଡିସ୍କଭର୍‌ ଲଷ୍ଟ ହେରିଟେଜ୍‌ ଟ୍ରଷ୍ଟର ସଦସ୍ୟ । ଏହି ଟ୍ରଷ୍ଟ ‘ରେଲିକ୍ସ ଅଫ୍‌ କଳିଙ୍ଗ ଇନ୍‌ ସାଉଥ୍‌ ଇଣ୍ଡିଆ ଭାଗ-୨' ଏକ ପ୍ରକଳ୍ପ ନାମରେ ଦକ୍ଷିଣ ଭାରତରେ କଳିଙ୍ଗ ଐତିହ୍ୟର ଡକ୍ୟୁମେଣ୍ଟେସନ୍‌ କରୁଥିବା ସମୟରେ ଐତିହାସିକ ଜୟସ୍ତମ୍ଭଟିକୁ ଠାବ କରିଛନ୍ତି । ଟ୍ରଷ୍ଟର ଚାରି ସଦସ୍ୟ ବିଶିଷ୍ଟ ଅନୁସନ୍ଧାନକାରୀ ଦଳରେ ଦୀପକ କୁମାର ନାୟକ, ସୁମନ ପ୍ରକାଶ ସ୍ୱାଇଁ, ରବୀନ୍ଦ୍ର କୁମାର ରଣା ତଥା ବିକ୍ରମ କୁମାର ନାୟକ ସାମିଲ ଥିଲେ । 

​​​​​​​ଏହା ବି ପଢ଼ନ୍ତୁ... ​​​​​​​ଜବରଦଖଲରେ ଓଡ଼ିଆ ଅସ୍ମିତାର ମୂଳଦୂଆ, ୧୮ ଗୁଣ୍ଠରୁ ବଞ୍ଚିଛି ମାତ୍ର ୧୮ କଡ଼ି, ଶତବାର୍ଷିକୀ ବେଳକୁ ନିଶ୍ଚିହ୍ନ ହୋଇସାରିଥିବ ସ୍ମୃତି ଚିହ୍ନ

ଟ୍ରଷ୍ଟର ପ୍ରକଳ୍ପ ସଂଯୋଜକ ଦୀପକ କୁମାର ନାୟକ କହିଛନ୍ତି, ଏହି ଜୟସ୍ତମ୍ଭ ବିଷୟରେ ‘ଆନୁଆଲ୍‌ ରିପୋର୍ଟ ଅନ୍‌ ସାଉଥ୍‌ ଇଣ୍ଡିଆନ୍‌ ଏପିଗ୍ରାଫି ୧୯୩୫-୩୬' ନାମକ ଅଭିଲେଖ ସମ୍ପର୍କିତ ଏକ ପୁସ୍ତକରୁ ସୂଚନା ମିଳିଥିଲା । ସେହି ଆଧାରରେ ଏହା କପିଳେନ୍ଦ୍ର ଦେବଙ୍କ ଦ୍ୱାରା ଏହି ଅଞ୍ଚଳରେ ନିଯୁକ୍ତ ଜଣେ ଆଞ୍ଚଳିକ ଶାସକ ନରସିଂହ ପାତ୍ର ଏଠାରେ ଏକ ଜୟସ୍ତମ୍ଭ ପ୍ରତିଷ୍ଠା କରିବା ସହ ଅହୋବଳେଶ୍ୱର ଦେବଙ୍କ ପାଇଁ ଏକ ମନ୍ଦିର ନିର୍ମାଣ କରାଯାଇଥିଲା । ୧୪୬୦ ବେଳକୁ ଏହି ଜୟସ୍ତମ୍ଭ ପ୍ରତିଷ୍ଠା ହୋଇଥିବା ଅନୁମାନ କରାଯାଏ । ଉୟଲୱାଡ଼ା ଗ୍ରାମରେ ଆମର ପ୍ରତ୍ନତାତ୍ତ୍ୱିକ ଅନୁସନ୍ଧାନ ସମୟରେ ସ୍ଥାନୀୟ ଚେନ୍ନାକେଶବ ସ୍ୱାମୀ ମନ୍ଦିରରୁ ଆମ ଦଳ ନରସିଂହ ପାତ୍ରଙ୍କ ଶିଳାଲେଖଟିକୁ ଠାବ କରିଥିଲା ।

ଅଭିଲେଖ ଅନୁଯାୟୀ, ମନ୍ଦିରଠାରୁ ଅଳ୍ପ ଦୂରରେ ଏକ ଭଗ୍ନମଣ୍ଡପ ଉପରେ ନରସିଂହ ପାତ୍ରଙ୍କ ଦ୍ୱାରା ଅବସ୍ଥାପିତ ପ୍ରସ୍ତରର ଜୟସ୍ତମ୍ଭଟି ମଧ୍ୟ ଦେଖିବାକୁ ମିଳିଥିଲା । ଏକକ ପଥରରେ ନିର୍ମିତ ପ୍ରାୟ ୧୨-୧୪ ଫୁଟ ଉଚ୍ଚତା ବିଶିଷ୍ଟ ଏହି ଜୟସ୍ତମ୍ଭଟି ବର୍ତ୍ତମାନ ପରିତ୍ୟକ୍ତ ତଥା ଅବହେଳିତ ଅବସ୍ଥାରେ ରହିଛି । ଗୋଟିଏ ପଟକୁ ଢଳି ରହିଥିବା ସ୍ତମ୍ଭଟି ବର୍ଷା ପବନ ପ୍ରଭାବରେ ପଡ଼ି ଯାଇ ଭାଙ୍ଗି ଯିବାର ସମ୍ଭାବନା ରହିଛି ବୋଲି ଶ୍ରୀ ନାୟକ କହିଛନ୍ତି । ଟ୍ରଷ୍ଟର ସଭାପତି ଚିରଞ୍ଜୀବ ରାଉତ କହିଛନ୍ତି, ଏହି ଐତିହ୍ୟଟିର ରକ୍ଷଣାବେକ୍ଷଣ ନିମନ୍ତେ ଆମେ ଉଭୟ ଓଡିଶା ଓ ଆନ୍ଧ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବୁ ।