ନୂଆଦିଲ୍ଲୀ,୦୩/୧୦: ମଧ୍ୟପ୍ରଦେଶର ଖଣ୍ଡୱା ପରେ ଉତ୍ତର ପ୍ରଦେଶରେ ବଡ଼ ଅଘଟଣ। ଆଗ୍ରାର ଖେରାଗଡ଼ ଥାନା ଅଞ୍ଚଳ ଅନ୍ତର୍ଗତ ଖେରାଗଡ଼ ଉଣ୍ଟଗାନ ନଦୀରେ ଦୁର୍ଗା ମୂର୍ତ୍ତି ବିସର୍ଜନ ସମୟରେ ବୁଡ଼ିଗଲେ ୧୧ ଜଣ। ୪ଜଣଙ୍କୁ ଉଦ୍ଧାର କରାଯାଇ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେପଟେ ନିଖୋଜ ୭ ଜଣଙ୍କ ଉଦ୍ଧାରା କାର୍ଯ୍ୟ ଜାରି ରହିଛି।
ଏସଡିଆରଏଫ, ପିଏସି ଆଗ୍ରା ଏବଂ ଇଟାୱାର ଟିମ ସହାୟତାରେ ସନ୍ଧାନ କରାଯାଉଛି। ଆଗ୍ରା ପୁଲିସ କମିଶନର, ଅତିରିକ୍ତ ପୁଲିସ କମିଶନର, ଜିଲ୍ଲା ମାଜିଷ୍ଟ୍ରେଟ, ଡିସିପି, ଏଡିଏମ ଏଫଆର ଏବଂ ସ୍ଥାନୀୟ ବିଧାୟକ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାରୀ ଦଳକୁ ଆବଶ୍ୟକ ମାର୍ଗଦର୍ଶନ କରୁଛନ୍ତି। ଏନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଖଣ୍ଡୱା ଏବଂ ଉଜ୍ଜୟିନୀରେ ଦୁର୍ଗା ବିସର୍ଜନ ଶୋଭାଯାତ୍ରା ସମୟରେ ଘଟିଥିବା ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି ଯେ, ମୃତକଙ୍କ ପରିବାରର ପ୍ରତ୍ୟେକଙ୍କୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ଏବଂ ଆହତଙ୍କ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଦୁର୍ଘଟଣାରେ ପ୍ରାୟ ୨୦-୨୫ ଜଣ ବୁଡ଼ି ମରିଥିବା ସୂଚନା ମିଳିଛି, ମୃତ୍ୟୁବରଣ କରିଥିବା ୧୧ ଜଣଙ୍କ ମଧ୍ୟରେ ୮ ଜଣ ଝିଅ ମଧ୍ୟ ଅଛନ୍ତି।
ଅନ୍ୟପଟେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଧ୍ୟପ୍ରଦେଶର ଉଜ୍ଜୈନ ଏବଂ ଖଣ୍ଡୱାରେ ଦୁର୍ଗା ମୂର୍ତ୍ତି ବିସର୍ଜନ ସମୟରେ ଘଟିଥିବା ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ତାଙ୍କ ଏକ୍ସ ଆକାଉଣ୍ଟରେ ଟ୍ୱିଟ୍ କରି ରାହୁଲ ଗାନ୍ଧୀ ଲେଖିଛନ୍ତି, "ମଧ୍ୟପ୍ରଦେଶରେ ମୂର୍ତ୍ତି ବିସର୍ଜନ ସମୟରେ ଦୁର୍ଘଟଣାରେ ଏତେ ଲୋକଙ୍କ ମୃତ୍ୟୁ ଅତ୍ୟନ୍ତ ହୃଦୟବିଦାରକ। ଏହି ଦୁଃଖର ମୁହୂର୍ତ୍ତରେ ଶୋକସନ୍ତପ୍ତ ପରିବାର ଏବଂ ପିଲାମାନଙ୍କ ପିତାମାତାଙ୍କ ସହିତ ମୋର ସମବେଦନା। ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କ ସୁସ୍ଥତା ଏବଂ ଶୀଘ୍ର ଆରୋଗ୍ୟ କାମନା କରୁଛି।"