ଅହମ୍ମଦାବାଦ,୧୨।୬: ଗୁଜରାଟର ଅହମ୍ମଦାବାଦରେ ଗୁରୁବାର ବଡ଼ ବିମାନ ଦୁର୍ଘଟଣା। ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନ ଟେକଅଫ୍‌ କରିବା ମାତ୍ରେ ହେଲା କ୍ରାସ। ଯେତେବେଳେ ଏହି ଦୁର୍ଘଟଣା ହେଲା ସେତେବେଳେ ବିମାନରେ ପ୍ରାୟ ୨୪୨ ଯାତ୍ରୀ ଥିଲେ। ଏହା ଭିତରେ ବିମାନ ଦୁର୍ଘଟଣାକୁ ନେଇ ବିଭିନ୍ନ ପ୍ରକାର କଥା ସାମାନକୁ ଆସୁଛି।  ସବୁଠାରୁ ବଡ଼ ସୂଚନା ହେଲା ବିମାନର ପାଇଲଟଙ୍କ ପକ୍ଷରୁ ଦୁର୍ଘଟଣାର ଠିକ୍ ପୂର୍ବରୁ ଏଟିସି(ଏୟାର ଟ୍ରାଫିକ କନଟ୍ରୋଲ) କୁ ସିଗନାଲ ମିଳିଥିଲା,ଯାହାକି ବିପଦର ଆଶଙ୍କା ନେଇ ରହିଥାଏ। ଏହାର କିଛି କ୍ଷଣ ପରେ ବିମାନ ହୋଇଯାଇଥିଲା କ୍ରାସ୍।

କୌଣସି ବିମାନକୁ ‘ମେଡେ କଲ’  Mayday Call   ଆସିବା ଏକ ଏମର୍ଜେନ୍ସି ମେସେଜ୍ ହୋଇଥାଏ। ଯାହାକି ପାଇଲଟ୍ ଦେଇଥାନ୍ତି, ଯେତେବେଳେ କୌଣସି ବିମାନ ଗମ୍ଭୀର ସଙ୍କଟରେ ଥାଏ ଓ ଯାତ୍ରୀ କିମ୍ବା କ୍ରୁ’ ଙ୍କ ଜୀବନକୁ ବିପଦ ଥାଏ। ଯେପରିକି ବିମାନର ଇଞ୍ଜିନ ଫେଲ୍ ହେବା, ବିମାନରେ ନିଆଁ ଲାଗିବା, ପବନରେ ମାଡ ହେବାର ବିପଦ କିମ୍ବା ହାଇଜାକ୍ ଭଳି ସ୍ଥିତି। ଏହି କଲ୍‌ ଜରିଆରେ ମଧ୍ୟ ପାଇଲଟ୍ ଏୟାର ଟ୍ରାଫିକ୍ କନଟ୍ରୋଲ (ଏଟିସି) ଓ ନିକଟସ୍ଥ ବିମାନକୁ ଆଲର୍ଟ କରିଥାଏ ଯେ, ବିମାନକୁ ତୁରନ୍ତ ସାହାଯ୍ୟ ଦରକାର। ଏହାକୁ  ପ୍ଲେନର ରେଡିଓରେ ତିନି ଥର କୁହାଯାଏ। "Mayday, Mayday, Mayday" , ଫଳରେ ସ୍ପଷ୍ଟ ହୋଇ ପାରିଥାଏ ପ୍ରକୃତରେ ସଙ୍କଟ ପଡିଛି।

‘ମେଡେ କଲ୍’ ଦେବା ମାତ୍ରେ, କନଟ୍ରୋଲ ରୁମ୍ ସେହି ବିମାନକୁ ପ୍ରାଥମିକତା ଦିଏ ଏବଂ ଏହାକୁ ସାହାଯ୍ୟ କରିବା ପାଇଁ ସମସ୍ତ ସମ୍ବଳ ନିୟୋଜିତ କରେ, ଯେପରିକି ଜରୁରୀକାଳୀନ ଅବତରଣ ପାଇଁ ଅନୁମତି, ରନୱେ କ୍ଲିଅର  କରିବା, ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ବାହିନୀକୁ ପ୍ରସ୍ତୁତ ରଖିବା। 'mayday' ଶବ୍ଦଟି ଫରାସୀ ଶବ୍ଦ "m'aider" ରୁ ଆସିଛି, ଯାହାର ଅର୍ଥ ମୋତେ ସାହାଯ୍ୟ କର।  ଯଦି ପରିସ୍ଥିତି ଅତ୍ୟଧିକ ଗମ୍ଭୀର ନୁହେଁ କିନ୍ତୁ ଚିନ୍ତାର ବିଷୟ, ତେବେ ପାଇଲଟ୍ ପାନ-ପାନ କଲ୍ କରନ୍ତି, ଯାହାକୁ 'ମେଡେ' ଅପେକ୍ଷା କମ୍ ଗମ୍ଭୀର ବୋଲି ବିବେଚନା କରାଯାଏ।

ଡିଜିସିଏ୍‌ ପକ୍ଷରୁ ବିମାନ ଦୁର୍ଘଟଣା ପରେ ବିସ୍ତାରିତ ଭାବରେ ସୂଚନା ଦିଆଯାଇଛି। ଏହା ଅନୁସାରେ ଗୁରୁବାର ଏୟାର ଇଣ୍ଡିଆର ବିମାନ AI-171  ଯାହାକି ଅହମ୍ମଦାବାଦରୁ ଲଣ୍ଡନର ଗେଟଓ୍ବିକ୍‌ ଯାଉଥିଲା, ଟେକଅଫ୍‌ର ତୁରନ୍ତ ପରେ କ୍ରାସ ହୋଇଗଲା। ବିମାନରେ ୨୩୦ ଯାତ୍ରୀ, ୨ ଜଣ ପାଇଲଟ ଓ ୧୦ ବିମାନ କର୍ମଚାରୀ ଥିଲେ। ଏୟାରକ୍ରାଫ୍ଟକୁ କ୍ୟାପଟେନ୍ ସୁମିତ ସାଭରଭାଲା ଚଳାଉଥିଲେ। ତାଙ୍କ ସହ ଥିଲେ ଫାଷ୍ର୍ଟ ଅଫିସର କ୍ଲାଇଭ କୁନ୍ଦର। ସୁମିତ ସାଭରଭାଲଙ୍କୁ ୮୨୦୦ ଘଣ୍ଟା ଫ୍ଲାଇଟ ଉଡାଇବାର ଅନୁଭବ ଥିଲା, ସେଭଳି କ୍ଲାଇଭଙ୍କୁ ୧୧୦୦ ଘଣ୍ଟା ବିମାନ ଉଡାଇବାର ମଧ୍ୟ ରହିଥିଲା ଅଭିଜ୍ଞତା।