ଲଣ୍ଡନ/ନୂଆଦିଲ୍ଲୀ, ୧୩/୦୨ : ଅହମ୍ମଦାବାଦ ବିମାନ ଦୁର୍ଘଟଣା ନେଇ ନୂଆ ଖୁଲାସା। ପ୍ଲେନ୍ କ୍ରାସ୍ ରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ଅତିରିକ୍ତ କ୍ଷତିପୂରଣ ନେଇ ମାମଲା ଛାଡ଼ିବାକୁ ପ୍ରସ୍ତାବ ଦେଇଥିଲା ଏୟାର ଇଣ୍ଡିଆ। ଗୁଜରାଟର ଅହମ୍ମଦାବାଦରେ ଗତବର୍ଷ ଜୁନ୍‌ ୧୨ରେ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ଶିକାର ହୋଇଥିଲା । ଏଥିରେ ୨୭୦ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏବେ ଏହାକୁ ନେଇ ଲଣ୍ଡନଭିତ୍ତିକ ସମ୍ବାଦପତ୍ର ‘ଦ ଇଣ୍ଡିପେଣ୍ଡେଣ୍ଟ’ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଏୟାର ଇଣ୍ଡିଆ ଟଙ୍କା ଯାଚିଥିବା ନେଇ ଖୁଲାସା ହୋଇଛି।

ରିପୋର୍ଟ ମୁତାବକ, ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ଏୟାର ଇଣ୍ଡିଆ ଅତିରିକ୍ତ କ୍ଷତିପୂରଣ ନେଇ ମାମଲା ଛାଡ଼ିବାକୁ ପ୍ରସ୍ତାବ ଦେଇଥିଲା । ଏୟାରଲାଇନ ପରିବାରଗୁଡ଼ିକୁ ୧୦ ଲକ୍ଷ ଟଙ୍କା ଦେବାକୁ ଅଫର ଦେଇଥିଲା । କିଛି ମାମଲାରେ ୨୦ ଲକ୍ଷ ଟଙ୍କା ବି ଯଚାଯାଇଥିଲା । ଭବିଷ୍ୟତରେ ସେମାନେ ଦୁର୍ଘଟଣା ସହ ଜଡ଼ିତ କୌଣସି ଦାବି କରିବେ ନାହିଁ । ସମସ୍ତ ଆଇନଗତ ଦାୟିତ୍ୱରୁ କମ୍ପାନିକୁ ମୁକ୍ତ କରିବେ । ଏହି ରିହାତି ଯେ କୌଣସି ଦେଶ କିମ୍ବା କୋର୍ଟରେ ଲାଗୁ ହେବ । ତେବେ ଏୟାର ଇଣ୍ଡିଆର ଏହି ପ୍ରସ୍ତାବକୁ ୧୩୦ ପୀଡ଼ିତ ପରିବାରର ଲିଗାଲ୍‌ ଟିମ୍‌ ବିରୋଧ କରିଥିବା ରିପୋର୍ଟ ଦର୍ଶାଇଛି।

ଏହି ଖବରଟିକୁ ପଢନ୍ତୁ- ପାଇଲଟ୍ ଜାଣିଶୁଣି କରିଥିଲେ ପ୍ଲେନ କ୍ରାସ ? ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଜବାବ ରଖିଲେ ସରକାର…

ସେପଟେ ଏହି ଦୁର୍ଘଟଣା ବୈଷୟିକ ତ୍ରୁଟି ଯୋଗୁଁ ନୁହେଁ ଜାଣିଶୁଣି ହୋଇଥିଲା ବୋଲି କୁହାଯାଉଛି। ଏପରିକି ପାଇଲଟ ବିମାନର ଫୁଏଲ୍ ସ୍ଵିଚ୍ ବନ୍ଦ କରି ଦେଇଥିବା ଦାବି କରାଯାଉଛି। ଏୟାରକ୍ରାପ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋ (AAIB) ଗୁରୁବାର ଏକ ବିବୃତ୍ତି ଜାରି କରି ଏହି ବିଷୟକୁ ସ୍ପଷ୍ଟ କରିଛି । AAIB ଏହାର ଅଧିକାରିକ ବିବୃତ୍ତିରେ କହିଛି ଯେ, ଅହମ୍ମଦାବାଦରେ ହୋଇଥିବା ଭୟଙ୍କର ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଏପର୍ଯ୍ୟନ୍ତ ସମାପ୍ତ ହୋଇନାହିଁ ଏବଂ କୌଣସି ଚୂଡ଼ାନ୍ତ ନିଷ୍କର୍ଷରେ ପହଞ୍ଚିନାହିଁ। ତେଣୁ ଚୂଡ଼ାନ୍ତ ନିଷ୍କର୍ଷରେ ପହଞ୍ଚିବା ପୂର୍ବରୁ କୌଣସି ବ୍ୟକ୍ତି କିମ୍ବା କାରଣକୁ ଦୋଷ ଦେବା ଅନୁଚିତ ହେବ। ତଦନ୍ତ ଏଜେନ୍ସି କହିଛି ଯେ, ଦୁର୍ଘଟଣାର ତଦନ୍ତ ସମାପ୍ତ ହୋଇଛି ବୋଲି ଦାବି କରୁଥିବା କିଛି ଗଣମାଧ୍ୟମ ରିପୋର୍ଟ ମିଥ୍ୟା ଏବଂ ଅନୁମାନ ଉପରେ ଆଧାରିତ। ଏହି ଗମ୍ଭୀର ମାମଲାରେ କେବଳ ସରକାରୀ ବିବୃତ୍ତି ଏବଂ ଚୂଡ଼ାନ୍ତ ତଦନ୍ତ ରିପୋର୍ଟ ପାଇଁ ଅପେକ୍ଷା କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି।