ନୂଆଦିଲ୍ଲୀ,୨୦/୦୫: ଆଇପିଏଲ ୨୦୨୫ର ଫାଇନାଲ ମ୍ୟାଚ୍ ଜୁନ୍ ୩ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ମଙ୍ଗଳବାର ଦିନ ଏକ ଲମ୍ବା ବୈଠକ ପରେ ବିସିସିଆଇ ଏହି ନିଷ୍ପତ୍ତି ନେଇଛି। ଆଇପିଏଲ୍‌ର ପ୍ରଥମ କ୍ୱାଲିଫାୟର ମ୍ୟାଚ୍ ଜୁନ୍‌ ୧ ତାରିଖରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ।

କ୍ୱାଲିଫାୟର-୧ ଏବଂ ଏଲିମିନେଟର ମ୍ୟାଚ୍ ବିଷୟରେ ମଧ୍ୟ ଅପଡେଟ୍:

ଆଇପିଏଲ ୨୦୨୫ର ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ ମେ' ୨୯ ତାରିଖରେ ଖେଳାଯିବ। ଏହି ମ୍ୟାଚ୍ ନ୍ୟୁ ଚଣ୍ଡିଗଡ଼ର ମୁଲ୍ଲାନପୁରରେ ଖେଳାଯାଇପାରେ। ଏହା ବ୍ୟତୀତ, ମେ' ୩୦ ତାରିଖରେ ଖେଳାଯିବାକୁ ଥିବା ଏଲିମିନେଟର ମ୍ୟାଚ୍ ମଧ୍ୟ ନ୍ୟୁ ଚଣ୍ଡିଗଡ଼ର ମୁଲ୍ଲାନପୁରରେ ଆୟୋଜିତ ହୋଇପାରେ। କ୍ରିକବଜ୍ ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ଆଇପିଏଲ କିମ୍ବା ବିସିସିଆଇ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଘୋଷଣା କରିନାହାଁନ୍ତି। କୁହାଯାଉଛି ଯେ ଦେଶରେ ଧୀରେ ଧୀରେ ବର୍ଷା ଋତୁ ଆରମ୍ଭ ହେଉଥିବାରୁ ବିସିସିଆଇ ପାଗକୁ ଧ୍ୟାନରେ ରଖି ଏହି ସ୍ଥାନଗୁଡ଼ିକୁ ଚୟନ କରିଛି। ଏହି କାରଣରୁ ଅହମ୍ମଦାବାଦକୁ ଫାଇନାଲ ପାଇଁ ଚୟନ କରାଯାଇଛି।

ପ୍ଳେ ଅଫ୍‌କୁ ଏହି ତିନୋଟି ଦଳ ହୋଇସାରିଛନ୍ତି ଉତିର୍ଣ୍ଣ: 

ସୂଚନାଥାଉକି, ପର୍ଯ୍ୟନ୍ତ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି), ପଞ୍ଜାବ କିଙ୍ଗ୍ସ (ପିବିକେଏସ୍) ଏବଂ ଗୁଜରାଟ ଟାଇଟାନ୍ସ (ଜିଟି) ପ୍ଲେଅଫ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଏହା ମଧ୍ୟ ନିଶ୍ଚିତ ହୋଇଛି ଯେ ଦିଲ୍ଲୀ କ୍ୟାପିଟାଲ୍ସ କିମ୍ବା ମୁମ୍ବାଇ ଇଣ୍ଡିଆନ୍ସ ଚତୁର୍ଥ ଦଳ ହୋଇପାରନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ), ରାଜସ୍ଥାନ ରୟାଲ୍ସ (ଆରଆର), ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍), ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (ଏଲ୍‌ଏସ୍‌ଜି) ଏବଂ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ପ୍ଲେଅଫ୍ ଦୌଡ଼ରୁ ବାଦ ପଡ଼ିଛନ୍ତି।

ପୂର୍ବରୁ ଫାଇନାଲ ମ୍ୟାଚ୍‌ ପାଇଁ ଧାର୍ଯ୍ୟ ହୋଇଥିଲା ମେ'୨୫ ତାରିଖ: 

ପୂର୍ବରୁ ଖବର ଆସିଥିଲା ଯେ ଆଇପିଏଲ୍‌ ୨୦୨୫ର ଫାଇନାଲ୍ କୋଲକାତାର ଇଡେନ୍ ଗାର୍ଡେନରେ ଖେଳାଯିବ, କିନ୍ତୁ ଭାରତ-ପାକିସ୍ତାନ ଉତ୍ତେଜନା ଯୋଗୁଁ, ଆପିଏଲ୍‌କୁ ପ୍ରାୟ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ ରଖାଯାଇଥିଲା। ଏହି କାରଣରୁ, ଚଳିତ ଫାଇନାଲକୁ ମେ' ୨୫ ତାରିଖରୁ ଜୁନ ୩ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଏବେ ଏହା ନିଶ୍ଚିତ ହୋଇଛି ଯେ ଚଳିତ ଆଇପିଏଲ୍‌ର ଫାଇନାଲ୍ ଜୁନ୍ ୩ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ।