ଭୁବନେଶ୍ବର,୨୩\୭ :  ଆସୁଛି ଏଆଇ ପ୍ରସ୍ତୁତ ୱେବ୍ସିରିଜ୍ ‘ଶ୍ରୀଜଗନ୍ନାଥ’ । ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା । ଓଡ଼ିଆ ମନୋରଞ୍ଜନ ଜଗତରେ ସ୍ଥାପନ ହେବାକୁ ଯାଉଛି ନୂଆ ମାଇଲଖୁଣ୍ଟ । ଆସୁଛି ସମ୍ପୂର୍ଣ୍ଣ ଏଆଇ (କୃତ୍ରିମ ବୁଦ୍ଧିମତା) ବ୍ୟବହାରରେ ପ୍ରସ୍ତୁତ ମେଗା ୱେବ୍ସିରିଜ୍ ‘ଶ୍ରୀଜଗନ୍ନାଥ’ । ଯାହା ଓଡ଼ିଆରେ ପ୍ରଥମ । 

ଏହା ଏକକାଳୀନ ହିନ୍ଦୀ ଏବଂ ଓଡ଼ିଆ ଭାଷାରେ କଞ୍ଚାଲଙ୍କା ଓଟିଟିରେ ଷ୍ଟ୍ରିମିଂ ହେବ । ବୁଧବାର ଫାଷ୍ଟ ଲୁକ୍ ଓ ପୋଷ୍ଟର୍ ଉନ୍ମୋଚନ ଅବସରରେ କଞ୍ଚାଲଙ୍କାର ଅଧ୍ୟକ୍ଷ ଅକ୍ଷୟ ପରିଜା କହିଛନ୍ତି, ସମ୍ବେଦନଶୀଳତା ଓ ବ୍ୟାପକତା ସହ ମହାପ୍ରଭୁଙ୍କ କଥାକୁ ଦର୍ଶକଙ୍କ ପାଖରେ ପହଞ୍ଚାଇବା ଲକ୍ଷ୍ୟ । ଏହି ପବିତ୍ର କାହାଣୀ ଓଡ଼ିଶା ବାହାରେ ଆଦୃତ ହେବ ବୋଲି ଆଶା । ସିରିଜ୍ ଟି ମଲ୍ଟି ସିଜନ୍ ଏପିକ୍ ଭାବେ ନିର୍ମାଣ ହୋଇଛି । ପ୍ରଥମ ସିଜନ୍ ରେ ୨୦ଟି ଅଧ୍ୟାୟ ରହିବ । 

କାହାଣୀଟି ଶବର ରାଜାଙ୍କ ଦ୍ୱାରା ନୀଳମାଧବଙ୍କ ଗୁପ୍ତ ପୂଜାରୁ ଆରମ୍ଭ ହୋଇଛି । ଏଥିସହ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ୱାରା ଶ୍ରୀମନ୍ଦିର ନିର୍ମାଣ ଏବଂ ଚତୁର୍ଦ୍ଧାମୂର୍ତ୍ତିଙ୍କ ପ୍ରତିଷ୍ଠା ପର୍ଯ୍ୟନ୍ତ ରୋମାଞ୍ଚକର ତଥା ଭକ୍ତିପୂର୍ଣ୍ଣ ଘଟଣାବଳୀକୁ ଦେଖାଯିବ । ଆଗାମୀ ସିଜନ୍ ରେ ମନ୍ଦିର ନିର୍ମାଣ ପରବର୍ତ୍ତୀ ଐତିହ୍ୟକୁ ଦେଖାଯିବ । ଆସନ୍ତା ଅକ୍ଟୋବରରୁ ଏହି ସିରିଜ୍ ଷ୍ଟ୍ରିମିଂ ଆରମ୍ଭ ହେବ ।