ଭୁବନେଶ୍ବର, ୧୪।୭ : ଡାକ୍ତରୀ କେବଳ ଏକ ବୃତ୍ତି ନୁହେଁ, ଏହା ଏକ ବ୍ରତ। ଏହା ୧୦ରୁ ୫ ଡ୍ୟୁଟି ନୁହେଁ, ସବୁବେଳେ କାମ କରିବାକୁ ହେବ। ଆଉ ଏଥିରୁ ଆପଣଙ୍କୁ ଯେଉଁ ଆତ୍ମସନ୍ତୋଷ ମିଳିବ, ଏହାର ତୁଳନା ନାହିଁ। ଗାଁ ଗହଳିରେ ଡାକ୍ତରଙ୍କୁ ଭଗବାନ ବୋଲି ମାନନ୍ତି । ଭୁବନେଶ୍ୱର ଏମ୍ସର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେଇ ଏହା କହିଛନ୍ତି। ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ଏବଂ ସ୍ବର୍ଣ୍ଣ ପଦକ ରାଷ୍ଟ୍ରପତି ପ୍ରଦାନ କରିଥିଲେ।
ଏହି ଅବସରରେ ରାଷ୍ଟ୍ରପତି ଡିଗ୍ରୀପ୍ରାପ୍ତ ଛାତ୍ରୀଛାତ୍ରଙ୍କୁ ଅଭିନନ୍ଦନ ଜଣାଇବା ସହ କାର୍ଯ୍ୟକ୍ରମରେ ଯୋଗ ଦେଇ ଖୁସି ଅନୁଭବ କରୁଥିବା କହିଛନ୍ତି। ଏହାସହ ପୁଅଙ୍କ ତୁଳନାରେ ଅଧିକ ଝିଅଙ୍କୁ ସ୍ବର୍ଣ୍ଣ ପଦକୁ ମିଳିଥିବାରୁ ଖୁସି ପ୍ରକାଶ କରିଥିଲେ। ରାଷ୍ଟ୍ରପତି କହିଛନ୍ତି ଏମ୍ସରେ ସ୍ବଳ୍ପ ଖର୍ଚ୍ଚରେ ଗୁଣାତ୍ମକ ଚିକିତ୍ସା ମିଳୁଛି । ଗତ ୧୦ ବର୍ଷରେ ୧୦ ଲକ୍ଷ ଲୋକ ଏମ୍ସରେ ଚିକିତ୍ସିତ ହୋଇଛନ୍ତି।
ସେହିଭଳି ସମାବର୍ତ୍ତନ ଉତ୍ସବରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ,ଦେଶରେ ଭୁବନେଶ୍ବର ଏମ୍ସ ଉଲ୍ଲେଖନୀୟ ସ୍ଥାନ ପାଇଛି। ସ୍ବାସ୍ଥ୍ୟ ସେବାରେ ଡିଜିଟାଲ ବ୍ୟବସ୍ଥା ଲାଗୁ କରିଛି। ସ୍ବାସ୍ଥ୍ୟ ସେବାରେ ଏମ୍ସ ଏକ ଗୁରୁତ୍ବପୂର୍ଣ୍ଣ ଅନୁଷ୍ଠାନ। ସ୍ବାସ୍ଥ୍ୟ ସେବାରେ ପିଏମ ମୋଦୀଙ୍କର ସ୍ବତନ୍ତ୍ର ଭିଜନ ରହିଛି। ଏମ୍ସ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ। ଏହି ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳ ଡଃ ହରିବାବୁ କମ୍ଭମପାଟି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବର ସାଂସଦ ଅପରାଜିତା ଷଢଙ୍ଗୀ, ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ।