ପ୍ରମୂଖ ଖବର

ଦିଲ୍ଲୀ AIIMSରେ MRI ପାଇଁ ରୋଗୀଙ୍କୁ ମିଳୁଛି ୩ ବର୍ଷ ପରର ତାରିଖ, ଉତ୍ତମ ସ୍ବାସ୍ଥ୍ୟସେବା ପାଇଁ ଅପେକ୍ଷା କରିବାକୁ ପଡୁଛି ଦୀର୍ଘ ସମୟ...

Published By : Ladu Kishor | November 20, 2024 5:59 PM

ନୂଆଦିଲ୍ଲୀ: ଆପଣ କେବେ କୌଣସି ଘରୋଇ ଡାକ୍ତରଖାନାରେ ଏମଆରଆଇ (MRI) କରିଛନ୍ତି କି ? ଏଥିପାଇଁ ପାଖାପାଖି ୪ ରୁ ୫ ଘଣ୍ଟା ସମୟ ଲାଗେ । କିନ୍ତୁ ଆପଣ ଜାଣନ୍ତି କି ଦେଶର ସବୁଠାରୁ ଅଧିକ ଜଣାଶୁଣା ଡାକ୍ତରଖାନା AIIMS ରେ ଏମଆରଆଇ କରିବାକୁ ତିନି ବର୍ଷ ଅପେକ୍ଷା କରିବାକୁ ପଡୁଛି । ଆମେ କହୁଛୁ ରାଜଧାନୀ ଦିଲ୍ଲୀ AIIMS ର କଥା। ଯଦି ଏଠାରେ ଏମଆରଆଇ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ତିନି ବର୍ଷ ପର୍ଯ୍ୟନ୍ତ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡିବ । 

ବର୍ତ୍ତମାନ ସେମିତି ଏକ ଖବର ଚର୍ଚ୍ଚାର ପରିଧିକୁ ଆସିଛି । ବାସ୍ତବରେ, ଏଠାରେ ଜଣେ ରୋଗୀଙ୍କ ସହ ଏମିତି ଘଟଣା ଘଟିଛି । ଜୟଦୀପ୍ ଦେ ନାମକ ଏହି ରୋଗୀ ଜଣକ ତାଙ୍କ ଡାହାଣ ଗୋଡରେ ଆଘାତ ପାଇ AIIMS ଡାକ୍ତରଖାନା ଯାଇଥିଲେ । ତେବେ ଆଘାତ ଲାଗି ଏମଆରଆଇ ସ୍କାନ କରିବାକୁ ସେ ୨୦୨୭ ବର୍ଷ ପର୍ଯ୍ୟନ୍ତ ତାଙ୍କୁ ଅପେକ୍ଷା କରିବାକୁ ପଡିବ । ଏଠାରେ କହି ରଖୁଛୁ କି ସେ ୨୦୨୭ ପାଇଁ ତାରିଖ ପାଇଛନ୍ତି । ତେବେ ଘରୋଇ ଡାକ୍ତରଖାନା ଗୁଡିକରେ MRI ସ୍କାନର ମୂଲ୍ୟ ୧୮ ହଜାରରୁ ୨୫ ହଜାର ଟଙ୍କା ରହିଥିବା ବେଳେ AIIMS ରେ ଏହାର ମୂଲ୍ୟ ୨ ରୁ ୩ ହଜାର ରହିଥିବା ଜଣାପଡିଛି । 

୨୦୨୨ ମସିହାରେ, AIIMS ସ୍ଥିର କରିଥିଲା ଯେ, ସମସ୍ତ ଏମଆରଆଇ ମେସିନ୍ ୨୪ ଘଣ୍ଟା ଚାଲିବ ଯାହା ଦ୍ବାରା ରୋଗୀଙ୍କୁ ଅଧିକ ସମୟ ଅପେକ୍ଷା କରିବାକୁ ପଡିବ ନାହିଁ। କିନ୍ତୁ ତା’ପରେ ମଧ୍ୟ ରୋଗୀଙ୍କୁ ବହୁତ ସମୟ ଅପେକ୍ଷା କରିବାକୁ ପଡୁଛି । ଏନେଇ ଜଣେ AIIMS ଅଧିକାରୀ କହିଛନ୍ତି ଯେ, ଡାକ୍ତରଖାନା ରୋଗୀଙ୍କୁ ସେମାନଙ୍କର ଅସୁସ୍ଥତା ଅନୁଯାୟୀ ଭାଗ କରିଥାଏ । ଯେଉଁ ରୋଗୀମାନେ ଜରୁରୀ ଏମଆରଆଇ ଆବଶ୍ୟକ କରନ୍ତି ସେମାନେ ତୁରନ୍ତ ଏମଆରଆଇ ଯୋଗାଇ ଦିଆଯାଏ । କିନ୍ତୁ ଯେଉଁ ରୋଗୀଙ୍କୁ ତୁରନ୍ତ ଏମଆରଆଇର ଆବଶ୍ୟକତା ନାହିଁ, ସେମାନଙ୍କୁ ଅଧିକ ସମୟ ଅପେକ୍ଷା କରିବାକୁ ପଡିଥାଏ । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.