ନୂଆଦିଲ୍ଲୀ, ୧୩।୬: ଏୟାର ଇଣ୍ଡିଆ ବିମାନର ଜରୁରୀକାଳୀନ ଅବତରଣ କରାଯାଇଛି । ଉଡ଼ାଣ ଆରମ୍ଭ କରିବା ପରେ ବୋମା ଧମକ ମିଳିଥିଲା । ଯାହା ପରେ ଥାଇଲାଣ୍ଡର ଫୁକେଟରେ ଏୟାର ଇଣ୍ଡିଆର ବିମାନ ଏଆଇ-୩୭୯ର ଜରୁରୀ ଅବତରଣ କରାଯାଇଥିଲା । ବିମାନଟି ଥାଇଲାଣ୍ଡର ଫୁକେଟରୁ ଦିଲ୍ଲୀ ଆସୁଥିଲା ବୋଲି ଜଣାପଡ଼ିଛି । କହିରଖୁ କି, ଗୁରୁବାର ଅହମ୍ମଦାବାଦରେ ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଥିବା ୨୪୨ ଜଣଙ୍କ ମଧ୍ୟରୁ ୨୪୧ ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟପଟେ ଶୁକ୍ରବାର ଫୁକେଟରୁ ନୂଆଦିଲ୍ଲୀ ଆସୁଥିବା ବିମାନକୁ ବୋମା ଧମକ ମିଳିଛି । ଶୁକ୍ରବାର ବୋମା ଧମକ ପରେ ଏହାକୁ ଜରୁରୀକାଳୀନ ଅବତରଣ କରିବାକୁ ପଡ଼ିଥିଲା । ଏହି ଘଟଣା ଶୁକ୍ରବାର ସକାଳ ୯ଟା ୩୦ରେ ଘଟିଛି ।
ରଏଟର୍ସର ଏକ ରିପୋର୍ଟ ଅନୁଯାୟୀ, ଏୟାର ଇଣ୍ଡିଆର ବିମାନ ଏଆଇ ୩୭୯ ଫୁକେଟରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା । ଏଥିରେ ୧୫୬ ଜଣ ଯାତ୍ରୀ ଥିଲେ । କିନ୍ତୁ ଉଡ଼ାଣ ଆରମ୍ଭ କରିବା ପରେ ବୋମା ଧମକ ମିଳିଥିଲା । ଏହା ପରେ, ଆଣ୍ଡାମାନ ସାଗର ଚାରିପାଖରେ ଘୂରି ବୁଲିଥିଲା । ପରେ ବିମାନଟି ଫେରି ଆସିଥିଲା ଏବଂ ଏହାର ଜରୁରୀକାଳୀନ ଅବତରଣ କରାଯାଇଥିଲା । ତେବେ ଏୟାରପୋର୍ଟ ଅଫ୍ ଥାଇଲାଣ୍ଡ(AOT) ଦ୍ୱାରା ଏପର୍ଯ୍ୟନ୍ତ ବୋମା ଧମକ ନିଶ୍ଚିତ କରାଯାଇନାହିଁ । ଫୁକେଟ ବିମାନବନ୍ଦରର ଜଣେ ଅଧିକାରୀ କହିଛନ୍ତି ଯେ, ଜରୁରୀକାଳୀନ ଅବତରଣ ପରେ ଯାତ୍ରୀମାନଙ୍କୁ ବିମାନରୁ ବାହାର କରାଯାଉଛି ଏବଂ ସମସ୍ତେ ସୁରକ୍ଷିତ ଅଛନ୍ତି ।