ନୂଆଦିଲ୍ଲୀ - ଦିଲ୍ଲୀରୁ ନେଇ ପାଟନା ଓ ଉତ୍ତର ପ୍ରଦେଶ ପର୍ଯ୍ୟନ୍ତ ଯାଏ, ପାଗ ଓ ପରିବେଶ ସିଧାସଳଖ ସ୍କୁଲ ପାଠପଢାକୁ ପ୍ରଭାବିତ ପକାଇଛି। ରାଜଧାନୀ ଦିଲ୍ଲୀରେ, ବିଷାକ୍ତ ବାୟୁ ପିଲାମାନଙ୍କ ଶ୍ୱାସକ୍ରିୟାକୁ ପ୍ରଭାବିତ କରିଛି, ଯେଉଁଥି ପାଇଁ ସରକାରଙ୍କୁ ସରକାରୀ ସ୍କୁଲର ଶ୍ରେଣୀଗୃହରେ ଏୟାର ପ୍ୟୁରିଫାୟର୍ ଲଗାଇବା ନିଷ୍ପଭି ନେବାକୁ ପଡିଛି। ସେପଟେ ବିହାରର ରାଜଧାନୀ ପାଟନାରେ ହ୍ରାସ ପାଉଥିବା ତାପମାତ୍ରା ଏବଂ ଘନ କୁହୁଡ଼ି ପିଲାମାନଙ୍କ ସ୍ୱାସ୍ଥ୍ୟ ପାଇଁ ବିପଦ ପାଲଟିଛି , ଯାହା ଯୋଗୁଁ ସ୍କୁଲଗୁଡ଼ିକର ସମୟକୁ ସୀମିତ କରାଯାଇଛି। ଅନ୍ୟପକ୍ଷରେ, ଉତ୍ତର ପ୍ରଦେଶର ଅନେକ ଜିଲ୍ଲାରେ, ଶୀତ ଲହରୀ ଏବଂ କମ୍ ଦୃଶ୍ୟମାନତା ଯୋଗୁଁ ସ୍କୁଲଗୁଡ଼ିକୁ ବନ୍ଦ କରିବାକୁ ପଡିଛି କିମ୍ବା ସମୟରେ ପରିବର୍ତ୍ତନ କରାଯାଇଛି।

ଜାତୀୟ ରାଜଧାନୀ ଦିଲ୍ଲୀରେ ଲଗାତାର ବିଗୁଡ଼ି ଥିବା ବାୟୁର ଗୁଣବତ୍ତା ହ୍ରାସ ପାଉଥିବା ବେଳେ, ଦିଲ୍ଲୀ ସରକାର ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ସରକାରୀ ସ୍କୁଲରେ ପିଲାମାନଙ୍କୁ ପ୍ରଦୂଷଣରୁ ରକ୍ଷା କରିବା ପାଇଁ, ସରକାର ପ୍ରଥମ ପର୍ଯ୍ୟାୟରେ ୧୦ ହଜାର ଶ୍ରେଣୀଗୃହରେ ଏୟାର ପ୍ୟୁରିଫାୟର ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀର ଶିକ୍ଷାମନ୍ତ୍ରୀ ଆଶିଷ ସୁଦ ୧୮ ଡିସେମ୍ବର, ୨୦୨୫ (ଗୁରୁବାର)ରେ ଏହି ଯୋଜନାର ଘୋଷଣା କରିଥିଲେ। ଆଶିଷ ସୁଦ ସ୍ପଷ୍ଟ ଭାବେ କହିଥିଲେ ଯେ, ସରକାରୀ ସ୍କୁଲରେ ପିଲାମାନଙ୍କୁ ପ୍ରଦୂଷଣର ସଜା ମିଳିବା ଉଚିତ୍ ନୁହେଁ । ସେ କହିଥିଲେ ଯେ, ପ୍ରଥମ ପର୍ଯ୍ୟାୟରେ ୧୦ ହଜାର ଶ୍ରେଣୀଗୃହକୁ କଭର କରାଯିବ। ଏହାପରେ ଦିଲ୍ଲୀର ସମସ୍ତ ସରକାରୀ ସ୍କୁଲର ପ୍ରତ୍ୟେକ ଶ୍ରେଣୀଗୃହକୁ ବିସ୍ତାର କରାଯିବ ।

କେବଳ ଦିଲ୍ଲୀ ନୁହେଁ, ବରଂ ନୋଏଡା, ଗ୍ରେଟର ନୋଏଡା ଓ ଗୁରୁଗ୍ରାମରେ ମଧ୍ୟ ପ୍ରଦୂଷଣ ଯୋଗୁଁ ସ୍କୁଲର ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି। ଦିଲ୍ଲୀରେ, ନର୍ସରୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ କେବଳ ଅନଲାଇନ୍ କ୍ଲାସ ଚାଲୁଛି। ଷଷ୍ଠ ଶ୍ରେଣୀରୁ ୧୧ ଶ୍ରେଣୀ ଯାଏ ହାଇବ୍ରିଡ୍ ମୋଡ୍ ଅଛି, ଯେତେବେଳେ କି ୧୦ ଓ ୧୨ ଶ୍ରେଣୀ ପାଇଁ ଅଫଲାଇନ୍ କ୍ଲାସ ଜାରି ରହିଛି। ନୋଏଡା, ଗ୍ରେଟର ନୋଏଡା ଓ ଗୁରୁଗ୍ରାମରେ, ସବୁ ଛାତ୍ରଛାତ୍ରୀଙ୍କୁ ହାଇବ୍ରିଡ୍ ମୋଡର ବିକଳ୍ପ ଦିଆଯାଇଛି। ୨୦୨୬ରେ ବୋର୍ଡ ପରୀକ୍ଷାକୁ ଦୃଷ୍ଟିରେ ରଖି, ୧୦ ଓ ୧୨ମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଅଫଲାଇନ୍ ପାଠପଢ଼ା ଜାରି ରଖାଯାଇଛି।

ବିହାରର ରାଜଧାନୀ ପାଟନାରେ କ୍ରମାଗତ ଭାବେ ହ୍ରାସ ପାଉଥିବା ତାପମାତ୍ରା ଏବଂ ଘନ କୁହୁଡ଼ିକୁ ଦୃଷ୍ଟିରେ ରଖି, ଜିଲ୍ଲା ପ୍ରଶାସନ ସମସ୍ତ ସ୍କୁଲର ସମୟକୁ ବଦଳାଇ ଦେଇଛନ୍ତି। ୨୦ ଡିସେମ୍ବରରୁ ୨୫ ଡିସେମ୍ବର ପର୍ଯ୍ୟନ୍ତ ସ୍କୁଲ ସକାଳ ୧୦ଟା ରୁ ଅପରାହ୍ନ ୩ଟା ୩୦ ପର୍ଯ୍ୟନ୍ତ ଚାଲିବ। ଜିଲ୍ଲା ମାଜିଷ୍ଟ୍ରେଟ୍ ଡକ୍ଟର ୟାଗରାଜନ୍ ଏସ୍.ଏମ୍. ନିର୍ଦ୍ଦେଶ ଜାରି କରି କହିଛନ୍ତି ଯେ, ପିଲାମାନଙ୍କ ସ୍ବାସ୍ଥ୍ୟ ଏବଂ ସୁରକ୍ଷା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ତଥାପି, ବୋର୍ଡ ଏବଂ ପ୍ରି-ବୋର୍ଡ ପରୀକ୍ଷାକୁ ଏହି ନିର୍ଦ୍ଦେଶରୁ ମୁକ୍ତ କରାଯାଇଛି।

ଅନ୍ୟପଟେ , ଉତ୍ତର ପ୍ରଦେଶର ଅନେକ ଜିଲ୍ଲାରେ ଥଣ୍ଡା ଓ ଘନ କୁହୁଡ଼ିର ପ୍ରଭାବ ସ୍ପଷ୍ଟ ନଜର ଆସିଛି। ଆମ୍ବେଦକରନଗରରେ, ଡିସେମ୍ବର ୨୦ ତାରିଖରେ ୧ମ ରୁ ୧୨ମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରହିବ।ଗୋଣ୍ଡା ଏବଂ ସମ୍ଭଲରେ, ଡିସେମ୍ବର ୧୯ ଓ ୨୦ ତାରିଖରେ ସ୍କୁଲ ଗୁଡ଼ିକରେ ଛୁଟି ଘୋଷଣା କରାଯାଇଛି।