ନୂଆଦିଲ୍ଲୀ ୨୭/୦୫: ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ)ର ଗାଣିତିକ ଉପଲବ୍ଧି ଏବେ ଚର୍ଚ୍ଚାରେ । ଓପନ୍ ଏଆଇର ଚାଟ୍ଜିପିଟି ୮୦ ବର୍ଷ ପୁରୁଣା ଅସମାହିତ ଗଣିତ ପ୍ରଶ୍ନର ସମାଧାନ କରିଛି । ୧୯୪୬ରେ ପ୍ରସିଦ୍ଧ ଗଣିତଜ୍ଞ ପଲ୍ ଏର୍ଡୋସ ଏକ ପ୍ରଶ୍ନ ପଚାରିଥିଲେ ‘ଏକ ସମତଳ ପୃଷ୍ଠରେ କିଛି ବିନ୍ଦୁ ପ୍ରସ୍ତୁତ କରାଯାଉ । ସେହି ବିନ୍ଦୁ ମଧ୍ୟରୁ ଏମିତି କେତେ ଯୋଡ଼ା ହୋଇପାରେ, ଯାହା ମଧ୍ୟରେ ଦୂରତା ଠିକ୍ ୧ ୟୁନିଟ୍ ହୋଇଥିବ?’ ଏହି ପ୍ରଶ୍ନକୁ ‘ପ୍ଲାନାର ୟୁନିଟ୍ ଡିଷ୍ଟାନ୍ସ ପ୍ରୋବ୍ଲେମ୍’ କୁହାଗଲା । ଦୀର୍ଘ ଦଶନ୍ଧି ଧରି ଗଣିତଜ୍ଞଙ୍କ ଧାରଣ ଥିଲା, ସ୍କେ୍ୱୟାର ଗ୍ରିଡ୍ ଅର୍ଥାତ୍ ଚାରିକୋଣିଆ ଜାଲ ଭଳି ସଂରଚନାରୁ ଏହାର ସବୁଠୁ ଠିକ୍ ସମାଧାନ ମିଳିପାରେ । କିନ୍ତୁ ଦୀର୍ଘ ୮୦ ବର୍ଷ ହେଲା ଏହାର ଠିକ୍ ଉତ୍ତର ମିଳିଲା ନାହିଁ, ଯାହାକୁ ନେଇ ସମସ୍ତ ବିଶେଷଜ୍ଞ ଏକମତ ହୋଇପାରିବେ । ଏହି ସ୍ଥିତିରେ ଚାଟ୍ଜିପିଟି ଏଭଳି ଅଗଣିତ ଉଦାହରଣ ଖୋଲିଲା ଯେଉଁଥିରେ ପୂର୍ବାପେକ୍ଷା ବହୁତ ଅଧିକ ଦୂରତା ଯୋଡ଼ା ପ୍ରସ୍ତୁତ ହୋଇପାରିବ । 

ଚକିତ କଲା ପ୍ରଶ୍ନ ସମାଧାନର ଶୈଳୀ :
ଏହି ପ୍ରଶ୍ନର ସମାଧାନ ଲାଗି ଚାଟ୍ଜିପିଟିକୁ କୌଣସି ଗୋଟିଏ ସ୍ୱତନ୍ତ୍ର ଗାଣିତିକ ପ୍ରଶ୍ନ ପାଇଁ ପ୍ରଶିକ୍ଷିତ କରାଯାଇ ନ ଥିଲା । ସାମାନ୍ୟ ତର୍କ ଓ ଜଟିଳ ଚିନ୍ତା କରିବାର କ୍ଷମତା ସହ ଏହାକୁ ବିକଶିତ କରାଯାଇଥିଲା । ଯେତେବେଳେ ଏହାକୁ ଏର୍ଡୋସଙ୍କର ପ୍ରସିଦ୍ଧ ସମସ୍ୟା ସମାଧାନ ଲାଗି ଦିଆଗଲା, ଏହା ନିଜେ ନୂଆ ଦିଗରେ ଚିନ୍ତା କରି ସମାଧାନ ପ୍ରସ୍ତୁତ କଲା । ଗଣିତରେ କୌଣସି ସମସ୍ୟାର ସମାଧାନ କରିବା କେବଳ ଉତ୍ତର ଲେଖିବା ନୁହେଁ । ଏଥିରେ ପ୍ରତ୍ୟେକ ସୋପାନ ତାର୍କିକ ରୂପେ ଠିକ୍ ହେବା ଜରୁରି । ଗୋଟିଏ ଛୋଟ ଭୁଲ ପୂରା ଦଲିଲକୁ ଭୁଲ କରିପାରେ । ସେଥିପାଇଁ ଗଣିତକୁ ଏଆଇର ଗଭୀର ଚିନ୍ତନ କ୍ଷମତା ଓ ନିରନ୍ତର ଉଚିତ୍ ତର୍କ ବଜାୟ ରଖିବାର ସବୁଠୁ କଠିନ ପରୀକ୍ଷା ରୂପେ ବିବେଚନା କରାଯାଏ । ଏ ମାମଲାରେ ଚାଟ୍ଜିପିଟି ଲମ୍ବା ଓ ଜଟିଳ ଗାଣିତିକ ଦଲିଲ ପ୍ରସ୍ତୁତ କଲା, ଯାହାକୁ ପରେ ବିଶେଷଜ୍ଞମାନେ ଯାଞ୍ଚ କରି ଠିକ୍ ବୋଲି ପାଇଲେ ।

ବୀଜଗାଣିତିକ ସଂଖ୍ୟା ସିଦ୍ଧାନ୍ତର ଉପଯୋଗ :
ଚାଟ୍ଜିପିଟି ବୀଜଗାଣିତିକ ସଂଖ୍ୟା ସିଦ୍ଧାନ୍ତ ଭଳି ଅତ୍ୟନ୍ତ ଜଟିଳ ଗାଣିତିକ ସିଦ୍ଧାନ୍ତର ଉପଯୋଗ କଲା, ଯାହା ବିଶେଷଜ୍ଞଙ୍କୁ ସବୁଠୁ ଅଧିକ ଚକିତ କଲା । କାରଣ ପୂର୍ବରୁ କେହି ଭାବିନଥିଲେ ଯେ ଏହି ଜ୍ୟାମିତିକ ସମସ୍ୟା ସହ ତା’ର ସମ୍ବନ୍ଧ ଥାଇପାରେ । ଅର୍ଥାତ୍ ଚାଟ୍ଜିପିଟି କେବଳ ପୁରୁଣା ସୂଚନାକୁ ଦୋହରାଇଲା ତାହା ନୁହେଁ, ବରଂ ଗଣିତର ଦୁଇଟି ଭିନ୍ନ ଭିନ୍ନ କ୍ଷେତ୍ର ମଧ୍ୟରେ ନୂଆ ସମ୍ପର୍କକୁ ମଧ୍ୟ ଦର୍ଶାଇଲା । ପ୍ରସିଦ୍ଧ ବ୍ରିଟିଶ ଗଣିତଜ୍ଞ ଟିମୋଥି ଗୋଅର୍ସ ଏହାକୁ ଗଣିତ ଇତିହାସରେ ମାଇଲଖୁଣ୍ଟ କହିଛନ୍ତି । ଅନ୍ୟ ବିଶେଷଜ୍ଞଙ୍କ ଅନୁସାରେ, ଏବେ ଏଆଇ କେବଳ ମଣିଷକୁ ସାହାଯ୍ୟ କରୁଥିବା ଉପକରଣ ହୋଇନାହିଁ³ ନୂଆ ଓ ମୌଳିକ ବିଚାର ପ୍ରଦାନର କ୍ଷମତା ମଧ୍ୟ ପ୍ରଦର୍ଶନ କରୁଛି ।

ଆହୁରି ପଢନ୍ତୁ- ଭାରତର ସୁରକ୍ଷାରେ ନୂଆ ବ୍ରହ୍ମାସ୍ତ୍ର, ଜେନ୍‌ ଟେକ୍ନୋଲୋଜିସ୍‌ର ପ୍ରଥମ ଏଆଇ ଆଣ୍ଟି-ଡ୍ରୋନ୍‌ କବଚ

କ’ଣ ହେବ ଉପଲବ୍ଧିର ପ୍ରଭାବ? 
ଏହି ଉପଲବ୍ଧିର ପ୍ରଭାବ କେବଳ ଗଣିତ ମଧ୍ୟରେ ସୀମିତ ହୋଇନାହିଁ । ଯଦି କୌଣସି ଏଆଇ ଜଟିଳ ତର୍କକୁ ଦୀର୍ଘ ସମୟ ଧରି ଠିକ୍ ଶୈଳୀରେ ସମ୍ଭାଳିପାରେ ଏବଂ ଭିନ୍ନ ଭିନ୍ନ କ୍ଷେତ୍ରର ବିଚାରକୁ ଯୋଡ଼ିପାରେ, ତେବେ ଭବିଷ୍ୟତରେ ଏହି କ୍ଷମତା ଜୀବବିଜ୍ଞାନ, ଔଷଧ ପ୍ରସ୍ତୁତି, ଇଞ୍ଜିନିୟରିଂ ଓ ଭୌତିକ ବିଜ୍ଞାନ ଭଳି କ୍ଷେତ୍ରରେ ମଧ୍ୟ ଉପଯୋଗ ହୋଇପାରିବ । ତେବେ ବିଶେଷଜ୍ଞଙ୍କ ବିଶ୍ୱାସ, ଏସବୁ ପରେ ବି ମଣିଷର ଭୂମିକା ଶେଷ ହୋଇଯିବନି । ଏଆଇ ସମାଧାନ ଖୋଜିପାରେ, କିନ୍ତୁ କେଉଁ ପ୍ରଶ୍ନ ଗୁରୁତ୍ୱପୂର୍ଣ୍ଣ, ତା’ ଫଳାଫଳର ଅର୍ଥ କ’ଣ ଏବଂ ଆଗକୁ କେଉଁ ଦିଗରେ ଯିବାକୁ ହେବ, ଏହି ନିଷ୍ପତ୍ତି ଆଗକୁ ମଧ୍ୟ ମଣିଷ ନେବ ।