ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ରୁଷ ଗସ୍ତ କରିବାର ସମ୍ଭାବନା ରହିଛି। ସେଠାରେ ସେ S-400 ବାୟୁ ପ୍ରତିରକ୍ଷା ପ୍ରଣାଳୀର ବିତରଣକୁ ନେଇ ସରକାରଙ୍କ ସହିତ ଆଲୋଚନା କରିବେ । ୨ଟି ବାୟୁ ପ୍ରତିରକ୍ଷା ପ୍ରଣାଳୀର ବିତରଣ ଏପର୍ଯ୍ୟନ୍ତ ବାକି ରହିଛି।
ଦି ଇକୋନୋମିକ୍ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଅଜିତ ଡୋଭାଲଙ୍କ ମସ୍କୋ ଗସ୍ତ ସମୟରେ, ଭାରତ ନୂତନ ବାୟୁ ପ୍ରତିରକ୍ଷା ପ୍ରଣାଳୀ ମଧ୍ୟ ଅର୍ଡର କରିବ ଏବଂ ରୁଷ ସରକାରଙ୍କ ସହିତ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିବାର ସମ୍ଭାବନା ରହିଛି । ଅଜିତ ଡୋଭାଲଙ୍କ ଗସ୍ତ ପୂର୍ବରୁ, ଗୁରୁବାର ଠାରୁ ଭାରତୀୟ ସାଂସଦ ମାନଙ୍କର ମସ୍କୋ ଗସ୍ତ ଆରମ୍ଭ ହେବ, ଯାହା ଅଧିନରେ ସାଂସଦ ମାନେ ପାକିସ୍ତାନର ଆତଙ୍କବାଦକୁ ସମର୍ଥନ କରିବାର ମନୋଭାବ ବିଷୟରେ ରୁଷ ସରକାରଙ୍କୁ ଅବଗତ କରିବେ।
ଅପରେସନ ସିନ୍ଦୁର ଅଧୀନରେ ଭାରତ ଦ୍ୱାରା ପାକିସ୍ତାନରେ କରାଯାଇଥିବା ବାୟୁସେନା ଆକ୍ରମଣ ପରେ ଡୋଭାଲଙ୍କ ମସ୍କୋ ଗସ୍ତ ହେବାକୁ ଯାଉଛି। ପାକିସ୍ତାନରେ ଆତଙ୍କବାଦୀ ଶିବିର ଉପରେ ହୋଇଥିବା ବାୟୁସେନା ଆକ୍ରମଣରେ ବ୍ରହ୍ମୋସ କ୍ଷେପଣାସ୍ତ୍ରର ଏକ ବଡ଼ ଭୂମିକା ଥିଲା। ଏହା ବ୍ୟତୀତ, ଭାରତ ଏବଂ ରୁଷର ମିଳିତ ଉଦ୍ୟମ ଏବଂ S-400 ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ପାକିସ୍ତାନ ସହିତ ସଂଘର୍ଷ ସମୟରେ ଅନ୍ୟ କିଛି ରୁଷ ପ୍ରତିରକ୍ଷା ପ୍ରଣାଳୀ ମଧ୍ୟ ବ୍ୟବହୃତ ହୋଇଥିଲା।
ସୂତ୍ର ଅନୁଯାୟୀ, ପାକିସ୍ତାନ ସହିତ ଉତ୍ତେଜନା ମଧ୍ୟରେ, ଭାରତ ଏବଂ ରୁଷ ମଧ୍ୟରେ ଦୃଢ଼ ସୁରକ୍ଷା ଏବଂ ରଣନୈତିକ ସହଭାଗୀତାକୁ ଧ୍ୟାନରେ ରଖି ପାକିସ୍ତାନୀ ଆତଙ୍କବାଦୀ ଭିତ୍ତିଭୂମିର ମୁକାବିଲା ପାଇଁ ଭାରତ ରୁଷ ସହିତ ଏକ ଦୃଢ଼ ରାଜନୈତିକ ସମ୍ପର୍କ ରଖିବାକୁ ଚାହୁଁଛି। ରୁଷର ସୁରକ୍ଷା ପରିଷଦ ଦ୍ୱାରା ଆୟୋଜିତ ସୁରକ୍ଷା ସମ୍ପର୍କିତ ଏକ ବୈଠକ ୨୭ ରୁ ୨୯ ମେ ପର୍ଯ୍ୟନ୍ତ ରୁଷର ରାଜଧାନୀ ମସ୍କୋରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକରେ ଅଜିତ ଡୋଭାଲ ଯୋଗ ଦେବେ ବୋଲି ଆଶା କରାଯାଉଛି।