ନୂଆଦିଲ୍ଲୀ,୦୬/୦୨; ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ବୁଝାମଣା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି । କେବଳ ଔପଚାରିକ ଘୋଷଣା ବାକି ଅଛି । ଭାରତ-ଆମେରିକା ବାଣିଜ୍ୟ ବୁଝାମଣାକୁ ନେଇ ନୂଆ ଦାବି କରାଯାଉଛି । ଦୁଇଦେଶ ମଧ୍ୟରେ ଏହି ବୁଝାମଣା ସମ୍ଭବ ହୋଇଛି ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍ଏସ୍ଏ) ଅଜିତ ଡୋଭାଲଙ୍କ ପଛଦ୍ୱାର ଆଲୋଚନା ଯୋଗୁ । ବ୍ଲୁମବର୍ଗ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏଭଳି ଦାବି କରାଯାଇଛି ।
ରିପୋର୍ଟରେ କୁହାଯାଇଛି ଯେ, ଗତବର୍ଷ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନ୍ ଯାଇଥିଲା ବେଳେ ସେଠାକାର ରାଷ୍ଟ୍ରପତି ସି ଜିନ୍ପିଙ୍ଗ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଥିଲେ । ଏହା ପରେ ଆମେରିକା ସହ ବିଗୁଡୁଥିବା ସମ୍ପର୍କକୁ ସୁଧାରିବା ଲାଗି ଭାରତ ପ୍ରୟାସ କରିଥିଲା । ଏହି କ୍ରମରେ ବିଦେଶ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କୁ ଆମେରିକା ପଠାଯାଇଥିଲା । ସେଠାରେ ସେ ମାର୍କିନ ବିଦେଶ ମନ୍ତ୍ରୀ ମାର୍କୋ ରୁବିଓଙ୍କୁ ଭେଟିଥିଲେ । ତାଙ୍କୁ ସେ ଜଣାଇଥିଲେ କି, ସମ୍ପର୍କରେ ସୁଧାର ଆଣିବାକୁ ଭାରତ ଚାହୁଁଛି । ବାଣିଜ୍ୟ ବୁଝାମଣା ନେଇ ପୁନର୍ବାର ଆଲୋଚନା କରିବାକୁ ଭାରତ ପ୍ରସ୍ତୁତ । କିନ୍ତୁ ସେ ସ୍ପଷ୍ଟ କରିଦେଇଥିଲେ କି ଭାରତ କୌଣସି ଚାପରେ ଆସିବ ନାହିଁ କିମ୍ବା ମୁଣ୍ଡ ନୁଆଁଇବ ନାହିଁ । ଯଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପ୍ରଶାସନ କଠୋର ଆଭିମୁଖ୍ୟ ରଖନ୍ତି ତେବେ ଭାରତ ଟ୍ରମ୍ପଙ୍କ ବର୍ତ୍ତମାନର କାର୍ଯ୍ୟକାଳ ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବ ।
ଏହା ବି ପଢନ୍ତୁ...ପ୍ରଧାନମନ୍ତ୍ରୀଙ୍କ 'ପରୀକ୍ଷା ପେ ଚର୍ଚ୍ଚା'ର ଆଜି ୯ମ ସଂସ୍କରଣ, ଚାପମୁକ୍ତ ପରୀକ୍ଷା ପାଇଁ ପିଲାଙ୍କୁ ଟିପ୍ସ ଦେବେ ମୋଦି
ପୂର୍ବରୁ ମଧ୍ୟ ଭାରତ ଆମେରିକା ସରକାରଙ୍କ ଏଭଳି ଆଭିମୁଖ୍ୟକୁ ସାମ୍ନା କରିସାରିଛି । ଅପେକ୍ଷା କରିବାରେ ଅସୁବିଧା ନାହିଁ । ଜୟଶଙ୍କର ଆହୁରି ମଧ୍ୟ କହିଥିଲେ ଯେ ଟ୍ରମ୍ପ ଓ ତାଙ୍କ ଟିମ୍ ଯେଭଳି ଭାରତ ବିରୋଧରେ ଖୋଲାଖୋଲି ବୟାନବାଜି କରୁଛନ୍ତି ତାହା ବନ୍ଦ କରିବାକୁ ପଡିବ । ଯାହାଫଳରେ ସମ୍ପର୍କରେ ସୁଧାର ଆସିପାରିବ । ସେହି ସମୟରେ ଟ୍ରମ୍ପଙ୍କ ବୟାବାନଜିକୁ ନେଇ ଭାରତ ଅସନ୍ତୁଷ୍ଟ ଥିଲା । କାରଣ ଟ୍ରମ୍ପ ଗତବର୍ଷ ଅଗଷ୍ଟରେ ଭାରତୀୟ ସାମଗ୍ରୀ ଉପରେ ୫୦ ପ୍ରତିଶତ ଟାରିଫ ଲଗାଇଥିଲେ । କେବଳ ଏତିକି ନୁହେଁ ଭାରତର ଅର୍ଥ ବ୍ୟବସ୍ଥାକୁ ମୃତ ବୋଲି କହିଥିଲେ ଏବଂ ରୁଷରୁ ତେଲ କିଣି ଭାରତ ୟୁକ୍ରେନ ଯୁଦ୍ଧକୁ ଇନ୍ଧନ ଯୋଗାଉଥିବା ଟ୍ରମ୍ପ ବୟାନ ଦେଇଥିଲେ । ରୁବିଓଙ୍କୁ ଡୋଭାଲଙ୍କ ସାକ୍ଷାତ ପରେ ଦୁଇ ଦେଶର ସମ୍ପର୍କରେ ସୁଧାର ଆସିବା ଦେଖାଯାଇଥିଲା । ସେପ୍ଟେମ୍ବର ୧୬ରେ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ୍ କରିଥିଲେ ଏବଂ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ । ପରେ ଉଭୟ ନେତା ଅନେକଥର ଟେଲିଫୋନ୍ରେ କଥାବାର୍ତ୍ତା ମଧ୍ୟ ହୋଇଥିଲେ । ଡୋଭାଲ ରୁବିଓଙ୍କୁ କହିଥିଲେ ଭାରତ ଟ୍ରମ୍ପଙ୍କ ଧମକକୁ ଡରୁନାହିଁ, ଟ୍ରମ୍ପଙ୍କ କାର୍ଯ୍ୟକାଳ ଯାଏ ଅପେକ୍ଷା କରିବୁ ।