ନୂଆଦିଲ୍ଲୀ,୩୦/୦୧: ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କର ଭୟଙ୍କର ବିମାନ ଦୁର୍ଘଟଣାରେ ଦେହାନ୍ତ ହେବା ପରେ ସ୍ତବ୍ଧ ମହାରାଷ୍ଟ୍ର। ଶୋକାଭିଭୂତ ମୁମ୍ବାଇ । ଗତ ବୁଧବାର ମହାରାଷ୍ଟ୍ର ବାରାମତୀରେ ଏନସିପି ନେତା ତଥା ମହାରାଷ୍ଟ୍ର ଡେପୁଟି ସିଏମ ଅଜିତ ପାୱାରଙ୍କର ଚାର୍ଟାର୍ଡ ବିମାନ ଦୁର୍ଘଟଣାରେ ଦେହାନ୍ତ ହୋଇଥିଲା । ଦୁର୍ଘଟଣାରେ ଅଜିତଙ୍କ ସମେତ ସୁରକ୍ଷାକର୍ମୀ, ଦୁଇଜଣ ପାଇଲଟ ଓ ଜଣେ ମହିଳା କ୍ରୁ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣା ପରେ ମହିଳା ପାଇଲଟଙ୍କୁ ନେଇ ଅଜିତଙ୍କର ଏକ ପୁରୁଣା ପୋଷ୍ଟ ଭାଇରାଲ ହେଉଛି ।
୨୦୨୪ ମସିହା ଜାନୁଆରୀ ୧୮ ତାରିଖରେ ଅଜିତ ପାୱାରଙ୍କର ଏକ ଏକ୍ସ ପୋଷ୍ଟ (ସେବେର ଟ୍ୱିଟ୍) ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସେ ପୋଷ୍ଟ କରିଥିଲେ, ଆମେ ଯେବେ ହେଲିକପ୍ଟର କିମ୍ବା ପ୍ଲେନରେ ଯାତ୍ରା କରୁ, ଯଦି ତୁମ ପ୍ଲେନ୍ ସୁରକ୍ଷିତ ବା ଆରାମରେ ଅବତରଣ କରେ, ଆମକୁ ବୁଝି ନେବାକୁ ହେବ ଯେ, ପାଇଲଟ ଜଣେ ମହିଳା । ଏହା ସହ ଶେଷ ଭାଗକୁ ଲେଖାଯିବ #NCPWomenPower । ତାଙ୍କର କହିବା କଥା ଯଦି ବିମାନ ଜଣେ ମହିଳା ପାଇଲଟ ଚଳାଉଥିଲେ ତେବେ ସେ ସୁରକ୍ଷିତ ମଣୁଥିଲେ । ବାରାମତିରେ ଯେଉଁ ପ୍ଲେନ୍ କ୍ରାସ ହୋଇଥିଲା ସେଥିରେ ଦୁଇଜଣ ପାଇଲଟ ଥିଲେ । ଜଣେ ମହିଳା ଏବଂ ଜଣେ ପୁରୁଷ । ମୁଖ୍ୟ ପାଇଲଟ ଥିଲେ ସୁମିତ ଏବଂ ମହିଳା କୋ ପାଇଲଟ ଥିଲେ ଶାମ୍ଭାବୀ । କେହି କେବେ ଭାବିନଥିଲେ ଏମିତି ଦୁର୍ଘଟଣା ଘଟିବ । ଏବେ ଅଜିତଙ୍କର ସେହି ପୋଷ୍ଟ ଭାଇରାଲ ହେଉଛି ।
When we travel by helicopter or plane, if our plane or helicopter lands smoothly, we understand that the pilot is a woman.#NCPWomenPower
— Ajit Pawar (@AjitPawarSpeaks) January 18, 2024
ମିଳିଛି ବିମାନ ବ୍ଲାକବକ୍ସ- ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣା ଦିନକ ପରେ ସେ ଯେଉଁ ଚାର୍ଟାର୍ଡ ବିମାନରେ ଯାତ୍ରା କରୁଥିଲେ ତାର ବ୍ଲାକ୍ବକ୍ସ ଉଦ୍ଧାର ହୋଇଛି । ଦୁର୍ଘଟଣାର କାରଣ ସଂପର୍କରେ ଜାଣିବାକୁ ତାର ଯାଞ୍ଚ କରାଯିବ । ଏଥିଲାଗି ଦିଲ୍ଲୀରୁ ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନ୍ଭେଷ୍ଟିଗେସନ୍ ବ୍ୟୁରୋ(ଏଏଆଇବି) ଏବଂ ମୁମ୍ବାଇସ୍ଥିତ ଡିଜିସିଏର ଟିମ୍ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଥିବା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପ୍ରକାଶ କରିଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ଙ୍କ ଏକ ଚିଠିର ଉତ୍ତର ଦେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ ଆହୁରି କହିଛନ୍ତି ଯେ, ସ୍ୱଚ୍ଛ ଏବଂ ସମୟବଦ୍ଧ ଯାଞ୍ଚକୁ ସୁନିଶ୍ଚିତ କରିବା ଆମର ସର୍ବୋଚ୍ଚ ପ୍ରାଥମିକତା । ଘଟଣାକ୍ରମ ସଂପର୍କରେ ଜାଣିବା ଲାଗି ସମସ୍ତ ପ୍ରାସଙ୍ଗିକ ସାକ୍ଷ୍ୟର ଯାଞ୍ଚ କରାଯାଉଛି । ତଦନ୍ତ ରିପୋର୍ଟ ମିଳିବା ପରେ ଭବିଷ୍ୟତରେ ଏଭଳି ଅଘଟଣକୁ ରୋକିବା ଲାଗି ଉଚିତ୍ ଉପାୟ ଗ୍ରହଣ ସଂପର୍କରେ ମନ୍ତ୍ରଣାଳୟ ବିଚାର କରିବ ।