ଭଞ୍ଜନଗର,୨୫/୧୧ : ସ୍ଥାନୀୟ କବି ସମ୍ରାଟ ଷ୍ଟାଡିୟମରେ ଚାଲିଥିବା ସର୍ବଭାରତୀୟ ଭଞ୍ଜ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ଦିନ ମ୍ୟାଚରେ କୋରାପୁଟକୁ ୩-୨ଗୋଲ୍ ବ୍ୟବଧାନରେ ହରାଇ ସୁନ୍ଦରଗଡ଼ ଦୋସ୍ତି ବ୍ରଦର୍ସ ବିଜୟ ଲାଭ କରିଛି । ଏଥିସହ ଏହି ଟିମ୍ ସେମି ଫାଇନାଲ ରାଉଣ୍ଡକୁ ଉଠିଛି । ବୁଧବାର ବିହାରର ବକ୍ସର ଟିମ୍ ସହ ସୁନ୍ଦରଗଡ଼ ଟିମ୍ ମଧ୍ୟରେ ସେମି ଫାଇନାଲ ଲଢେଇ ଆୟୋଜିତ ହେବ।

ମଙ୍ଗଳବାର ଆୟୋଜିତ ଦ୍ବିତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ କୋରାପୁଟ ଓ ସୁନ୍ଦରଗଡ଼ ମଧ୍ୟରେ ଆୟୋଜିତ ହୋଇଥିଲା । ତେବେ ପ୍ରାରମ୍ଭରୁ ହିଁ ସୁନ୍ଦରଗଡ଼ ଟିମ୍ ପ୍ରତିପକ୍ଷ କୋରାପୁଟ ଟିମକୁ ଚାପରେ ରଖିବାକୁ ଭରପୁର ପ୍ରୟାସ କରି ଏଥିରେ ସଫଳ ହୋଇଥିଲା । ଖେଳର ପ୍ରଥମାର୍ଦ୍ଧର ୪ର୍ଥ ମିନିଟରେ ଏହି କାରଣରୁ କୋରାପୁଟ ପ୍ରଥମ ଗୋଲ୍ ଖାଇଥିଲେ । ପରେ ୨୩ ମିନିଟରେ ଦଳ ପକ୍ଷରୁ ଦ୍ବିତୀୟ ଗୋଲ୍ ସ୍କୋର କରିଥିଲେ ୧୬ନମ୍ବର ଖେଳାଳି ଆକାଶ ଓରାମ। ପରେ ଚାପରୁ ବାହାରି କୋରାପୁଟ ଟିମର ଖେଳାଳି ସପନ ଜାନୀ ୩୪ମିନିଟରେ ଦଳ ପାଇଁ ପ୍ରଥମ ଗୋଲ୍ ସ୍କୋର କରିଥିଲେ। ଆଉ ଏହାର ୩ମିନିଟ ମଧ୍ୟରେ ସୁନ୍ଦରଗଡ଼ ପକ୍ଷରୁ ୩ୟ ଗୋଲ୍ ସ୍କୋର କରାଯାଇଥିଲା। ଆଉ ପ୍ରଥମାର୍ଦ୍ଧର ହୁଇସିଲ ବାଜିବା ପୂର୍ବରୁ କୋରାପୁଟ ପକ୍ଷରୁ ଦ୍ବିତୀୟ ଗୋଲ୍ ସ୍କୋର କରି ଦଳର ବିଜୟ ସମ୍ଭାବନାକୁ ଉଜ୍ଜୀବିତ ରଖିଥିଲେ ୧୧ନମ୍ବର ଖେଳାଳି ସପନ ଜାନୀ। ପ୍ରଥମାର୍ଦ୍ଧ ଖେଳ ୩-୨ରେ ଶେଷ ହୋଇଥିବାବେଳେ ଦ୍ବିତୀୟାର୍ଦ୍ଧ ଖେଳ ଗୋଲ୍ ଶୁନ୍ୟ ରହିଥିଲା। ଫଳରେ ସୁନ୍ଦରଗଡ଼ ଟିମ୍ କୋରାପୁଟକୁ ୩-୨ଗୋଲରେ ପରାଜିତ କରି ଦ୍ବିତୀୟ ଦଳ ଭାବେ ସେମିରେ ପ୍ରବେଶ କରିଛି । ବୁଧବାର ବିହାରର ବକ୍ସର ଟିମ୍ ସହ ସୁନ୍ଦରଗଡ଼ ଟିମର ସେମି ଫାଇନାଲ ଲଢେଇ ଅନୁଷ୍ଠିତ ହେବ।

ମଙ୍ଗଳବାର ମ୍ୟାଚରେ ଅତିଥି ଭାବେ ଯୋଗଦେଇଥିଲେ ପୁର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସତ୍ୟ ରଞ୍ଜନ ପରିଡା, ନିର୍ବାହୀ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ନାୟକ, ଅତିରିକ୍ତ ତହସିଲଦାର ଅବିନାଶ ମାହାର ଓ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ମୁରଲୀ କୃଷ୍ଣ ପଣ୍ଡା। ଟୁର୍ଣ୍ଣାମେଣ୍ଟ କମିଟି ସଭାପତି ବିଷ୍ଣୁ ପ୍ରସାଦ ପ୍ରଧାନ, ସଂପାଦକ ମାନସ ଜେନା, ଉପସଭାପତି ଧୀରେଶ ମହାନ୍ତି ଓ କୋଷାଧ୍ୟକ୍ଷ ଗିରିଜା ଶଙ୍କର ଭୂୟାଁ ଅତିଥିମାନଙ୍କୁ ସ୍ବାଗତ ଜଣାଇବା ସହ ମଞ୍ଚ ଉପରକୁ ପାଛୋଟି ନେଇଥିଲେ । ପ୍ରାରମ୍ଭରେ ଜାତୀୟ ସଙ୍ଗୀତ ଗାନ ସହ ଅତିଥିମାନେ ଖେଳାଳିଙ୍କ ସହ କର ମର୍ଦ୍ଦନ କରିଥିଲେ। ସୁନ୍ଦରଗଡ଼ ଟିମର ଖେଳାଳି ଆକାଶ ଓରାମ ଦଳ ପକ୍ଷରୁ ଏକାକୀ ୩ଟି ଗୋଲ୍ ସ୍କୋର କରି ଦଳକୁ ବିଜୟୀ କରାଇଥିବାବେଳେ ଶେଷରେ ଅତିଥିମାନଙ୍କଠାରୁ ମ୍ୟାନ ଅଫ୍ ଦ ମ୍ୟାଚ ପୁରସ୍କାର ଲାଭ କରିଥିଲେ।