ନୂଆଦିଲ୍ଲୀ: ବିହାର ଭୋଟର ତାଲିକାରେ ସ୍ବତନ୍ତ୍ର ବ୍ୟାପକ ସଂଶୋଧନ ଏବଂ ଭୋଟ ଚୋରି ଅଭିଯୋଗରେ ନିର୍ବାଚନ କମିଶନଙ୍କୁ ଘେରିବାରେ ଲାଗିଛନ୍ତି ବିରୋଧୀ । ଆଜି (ସୋମବାର) ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟକୁ ଯାଉଥିବା ବେଳେ ସମସ୍ତ ବିରୋଧୀ ଦଳର ସାଂସଦଙ୍କୁ ଅଟକାଇଥିଲା ପୁଲିସ । ସବୁ ସାଂସଦଙ୍କୁ ପ୍ରାୟ ଦୁଇ ଘଣ୍ଟା ଧରି ଅଟକ ରଖିବା ପରେ ପୁଲିସ ସେମାନଙ୍କୁ ଛାଡ଼ିଛି । ଏନେଇ ସଂସଦ ମାର୍ଗ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ଆଜି ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ଏବଂ ତୃଣମୂଳ କଂଗ୍ରେସ ନେତା ସାଗରିକା ଘୋଷଙ୍କ ସମେତ ୩୦ ରୁ ଅଧିକ ସାଂସଦଙ୍କୁ ସଂସଦ ମାର୍ଗ ପୁଲିସ ଥାନାରେ ଅଟକ ରଖିଥିଲା । ପୁଲିସ ଅଧିକାରୀମାନେ କହିଛନ୍ତି ଯେ, ନିର୍ବାଚନ କମିଶନ କେବଳ ୩୦ ଜଣ ସାଂସଦଙ୍କୁ କାର୍ଯ୍ୟାଳୟ ପରିସରରେ ପ୍ରବେଶ କରିବାକୁ ଅନୁମତି ଦେଇଥିଲେ । କିନ୍ତୁ ବିକ୍ଷୋଭକାରୀ ସାଂସଦଙ୍କ ସଂଖ୍ୟା ଖୁବ ଅଧିକ ଥିଲା ।
ଏହା ବ୍ୟତୀତ କମିଶନଙ୍କ କାର୍ଯ୍ୟାଳୟରେ ପ୍ରତିବାଦ ଶୋଭାଯାତ୍ରା ପାଇଁ ଅନୁମତି ନଥିଲା। ବିଭିନ୍ନ ଦଳର ସାଂସଦମାନେ ସଂସଦ ଭବନରୁ ପ୍ରାୟ ଏକ କିଲୋମିଟର ଦୂରରେ ନିର୍ବାଚନ କମିଶନ ମୁଖ୍ୟାଳୟକୁ ପ୍ରତିବାଦ ଶୋଭାଯାତ୍ରା ଆରମ୍ଭ କରିଥିଲେ । କିନ୍ତୁ ପୁଲିସ ସେମାନଙ୍କୁ ମଝି ରାସ୍ତାରେ ଅଟକାଇ ଦେଇଥିଲା। ସାଂସଦମାନଙ୍କୁ ରୋକିବା ପାଇଁ ପୁଲିସ 'ପିଟିଆଇ ବିଲଡିଂ' ବାହାରେ ବ୍ୟାରିକେଡ୍ ଲଗାଇଥିଲା । ସାଂସଦମାନଙ୍କୁ ଅଟକାଇବା ମାତ୍ରେ ଅନେକ ସାଂସଦ ରାସ୍ତାରେ ବସି ସ୍ଲୋଗାନ ଦେଇଥିଲେ ।
ତୃଣମୂଳ କଂଗ୍ରେସର ମହୁଆ ମୋଇତ୍ର ଏବଂ କଂଗ୍ରେସର ସଞ୍ଜନା ଜାଟଭଙ୍କ ସମେତ କିଛି ମହିଳା ସାଂସଦ ବ୍ୟାରିକେଡ୍ ଉପରେ ଚଢ଼ି ନିର୍ବାଚନ କମିଶନଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ । ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ, କେବଳ ୩୦ ଜଣ ସାଂସଦଙ୍କୁ ନିର୍ବାଚନ କମିଶନଙ୍କ କାର୍ଯଞାଳକୁ ଯିବାକୁ ଅନୁମତି ଦିଆଯାଇଥିବା ନେଇ ସାଂସଦଙ୍କୁ ସୂଚନା ଦିଆଯାଇଥିଲା । ନିର୍ବାଚନ କମିଶନଙ୍କ ମୁଖ୍ୟାଳୟ ନିକଟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ରାସ୍ତାରେ ଅନେକ ସ୍ଥାନରେ ବ୍ୟାରିକେଡ୍ ଲଗାଯାଇଥିଲା।
ଇଣ୍ଡିଆ ମେଣ୍ଟର ସାଂସଦଙ୍କ ବିକ୍ଷୋଭକୁ ନେଇ ବିଜେପି ସାଂସଦ ଦିନେଶ ଶର୍ମା କହିଛନ୍ତି, ‘ବିରୋଧୀ ତାମସା କରୁଛନ୍ତି । ସଂସଦ ଚଲାଇ ଦେଉନାହାନ୍ତି । ସେମାନେ 'ତାମସା ମାର୍ଚ୍ଚ' କରୁଛନ୍ତି । ଏଥିରୁ କେବଳ ତାଙ୍କୁ କିଛି ମିଳିବ ନାହିଁ । ସମ୍ବିଧାନର ଉପହାସ କରିବା ସେମାନଙ୍କର କାମ। ହାତରେ ନାଲି ବହି ଧରି ସମ୍ବିଧାନକୁ ଅପମାନ କରୁଛନ୍ତି ।’