ହାଟଡିହି, ୩/୭ : ଶିକ୍ଷକ ମାଡ଼ରେ ଅସୁସ୍ଥ ହୋଇ ପଡ଼ିଥିବା ଛାତ୍ରର ମୃତ୍ୟୁ ଅଭିଯୋଗ । ବିନା ବ୍ୟବଚ୍ଛେଦରେ ଶବ ଛାଡ଼ି ଦେଲେ ମେଡିକାଲ୍ କର୍ତ୍ତୃପକ୍ଷ । ସୂଚନା ଅନୁସାରେ ବିଦ୍ୟାଧରପୁର (ସାରୁକୋଣା ଶାସନ)ଗାଁର ଅପର୍ଣ୍ଣା ଜେନା ଓ ମୁନା ଜେନାଙ୍କ ୧୧ବର୍ଷର ପୁଅ ମଣ୍ଟୁ ଜେନା ନିକଟସ୍ଥ ବାଲିବରେଇ ହାଇସ୍କୁଲରେ ୬ଷ୍ଠ ଶ୍ରେଣୀରେ ପାଠ ପଢନ୍ତି। ସେ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇ ସୁସ୍ଥ ହେବାପରେ ସ୍କୁଲକୁ ଯାଉଥିଲେ।
ମଣ୍ଟୁଙ୍କ ମା’ସ୍କୁଲକୁ ଯାଇ ପୁଅକୁ ମାର୍ ପିଟ ନ କରିବା, ଚାପ ନ ଦେବା ପାଇଁ ଅନୁରୋଧ କରି ଆସିଥିଲେ। ମାତ୍ର ଦୁଇ ଦିନ ତଳେ ସ୍କୁଲରେ ପାଠପଢ଼ା କରିନଥିବାରୁ ଜଣେ ଶିକ୍ଷକ ମଣ୍ଟୁଙ୍କୁ କୁଆଡେ ମାଡ଼ ମାରିଥିଲେ । ତାପରେ ମଣ୍ଟୁ ଘରକୁ ଆସି ଅସୁସ୍ଥ ହୋଇପଡ଼ିଥିଲେ ଓ ବାନ୍ତି କରିଥଲେ ତାଙ୍କୁ ପରିବାର ଲୋକେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ ସେଠାରୁ ଡାକ୍ତର ତାଙ୍କୁ କଟକ ନେବା ପାଇଁ ରେଫର କରିଥିବା ବେଳେ ମଣ୍ଟୁଙ୍କର ମୃତ୍ୟୁ ହୋଇଯାଇଥିଲା।
ଆଉ ଚିକିତ୍ସାକାରି ଡାକ୍ତର ବିନା ପୋଷ୍ଟମର୍ଟମରେ ମଣ୍ଟୁଙ୍କ ଶବକୁ ଛାଡ଼ି ଦେଇଥିଲେ। ଶିକ୍ଷକଙ୍କ ମାଡ଼ ପାଇଁ ପୁଅର ଜୀବନ ଯାଇଥିବା ଅଭିଯୋଗ କରିଛନ୍ତି ମା‘। ଏ ନେଇ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଅପର୍ଣ୍ଣା ବେହେରା କହିଛନ୍ତି ଯେ, ଛାତ୍ରଟି ତା’ର ରୋଗ ପାଇଁ ମୃତ୍ୟୁ କରିଛି। ଦଣ୍ଡ ମୁକ୍ତ ଅଞ୍ଚଳରେ ଆମେ କୌଣସି ଛାତ୍ର ଛାତ୍ରୀଙ୍କୁ ଦଣ୍ଡ ଦେଉନୁ ବୋଲି କହିଛନ୍ତି।