ପାଟଣାଗଡ଼,୪।୮ (ଆପ୍ର ): ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଅଞ୍ଚଳର ବିଭିନ୍ନ ପଞ୍ଚାୟତ ଗୁଡିକରେ ସୁସ୍ଥ ସବଳ ବ୍ୟକ୍ତି ନକଲି ଭିନ୍ନକ୍ଷମ ସାର୍ଟିଫିକେଟ ହାତେଇ ଭିନ୍ନକ୍ଷମ ଭତ୍ତା ହରିଲୁଟ କରୁଥିବା ଅଭିଯୋଗ ହେଉଛି। ଏହି ହରିଲୁଟ ଘଟଣାରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ସହ ପାଟଣାଗଡ଼ ବ୍ଲକ ରେ କାର୍ଯ୍ୟରତ ଜୈନିକ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି।ଏ ନେଇ ପାଟଣାଗଡ଼ ବିଡ଼ିଓ ସୁମନ ମିଞ୍ଜ ପାଟଣାଗଡ଼ ଥାନାରେ ଏହାର ତଦନ୍ତ ପାଇଁ ଲିଖିତ ଅଭିଯୋଗ କରିଛନ୍ତି। ଏଥିସହ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ପାଟଣାଗଡ଼ ଓ ଉପଜିଲ୍ଲାପାଳ ପାଟଣାଗଡ଼ଙ୍କୁ ଅବଗତ କରାଇଛନ୍ତି।
ପାଟଣାଗଡ଼ ବ୍ଲକ ଅଞ୍ଚଳର ଜନୈକ କର୍ମଚାରୀ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟ କରୁଛନ୍ତି। ସେ ଦଲାଲ ମାଧ୍ୟମରେ ସୁସ୍ଥ ଲୋକଙ୍କୁ ଭିନ୍ନକ୍ଷମ ସାର୍ଟିଫିକେଟ ଯୋଗାଇଦେବା ପାଇଁ ଜଣ ପିଛା ଦଶ ରୁ କୋଡିଏ ହଜାର ଟଙ୍କା ନେଉଛନ୍ତି ବୋଲି ଅଭିଯୋଗ ହେଉଛି। ପାଟଣାଗଡ଼ ବ୍ଲକର ଦେଉଳଗାଁ ପଞ୍ଚାୟତରେ ସୁସ୍ଥ ସବଳ ପୁରୁଷ ଓ ମହିଳା ଏଭଳି ଭିନ୍ନକ୍ଷମ ସାର୍ଟିଫିକେଟ ହାତେଇ ମଧୁବାବୁ ପେନସନ ଯୋଜନାରେ ପ୍ରତିମାସ ଭିନ୍ନକ୍ଷମ ଭତ୍ତା ହାତଉଥିବା ଜଣାପଡିଛି। ଏଥିସହ ତମିଆଁ, ଉଲବା, ଭଇଁଷା, ଖୁଣ୍ଟସମଲେଇ ସହ ଅନ୍ୟାନ୍ୟ ପଞ୍ଚାୟତ ଗୁଡିକରେ ମଧ୍ୟ ଏଭଳି ଚଞ୍ଚକତା କରି ଅନେକ ସୁସ୍ଥ ସବଳ ଭିନ୍ନକ୍ଷମ ଭତ୍ତା ହରିଲୁଟ କରୁଥିବା ଅଭିଯୋଗ ହେଉଛି
ଏ ଘଟଣାରେ ପାଟଣାଗଡ଼ ଥାନାଧିକାରୀ ହରିବନ୍ଧୁ ଗଡ଼ତ୍ୟାଙ୍କୁ ପଚାରିବାରୁ ସେଭଳି ଅଭିଯୋଗ କିଛି ହୋଇନଥିବା କହିଥିଲେ।ଏ ବିଷୟରେ ବଲାଙ୍ଗିର ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପଚାରିବାରୁ ଏହି ଘଟଣାରେ ଏକ ଵଡ଼ଧରଣର କାର୍ଯ୍ୟାନୁଷ୍ଠାନ ହେବାକୁ ଯାଉଛି ତାହା ଫୋନରେ କହିହେବ ନାହିଁ ବୋଲି କହିଥିଲେ।