ଝରିଗାଁ ,୧୬।୨ ( ଆ ପ୍ର) - ଶିଶୁ ସେଵିକା ନିଯୁକ୍ତିରେ ଅନିୟମିତତା ଅଭିଯୋଗ କରି ବିଦ୍ୟାଳୟ ପ୍ରବେଶ ଫାଟକରେ ଗ୍ରାମବାସୀ ତାଲା ପକାଇଛନ୍ତି । ଯାହା ଫଳରେ ଶତାଧିକ ଛାତ୍ର ଛାତ୍ରୀ ବିଦ୍ୟାଳୟ ସମ୍ମୁଖ ରାସ୍ତାରେ ବହି ବସ୍ତାନି ଧରି ବସିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଝରିଗାଁ ବ୍ଲକ ,କାନାକୋଟ ପଞ୍ଚାୟତ ଅନ୍ତର୍ଗତ ପୁର୍ଲା ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟରେ । ଶିଶୁ ସେବିକା ଭାବେ ନିଯୁକ୍ତି ପାଇଥିବା ଯୁବତୀଙ୍କୁ ବରଖାସ୍ତ କରାଯାଇ ପଦବୀ ପାଇଁ ଆବେଦନ କରିଥିବା ଅନ୍ୟ ଯେ କୌଣସି ପ୍ରାର୍ଥୀନୀ ଙ୍କୁ ନିଯୁକ୍ତି ଦିଆଯାଉ ବୋଲି ଜିଦ୍ ଧରି ବସିଛନ୍ତି ଗ୍ରାମବାସୀ।
ଗ୍ରାମବାସୀ ଶିଶୁ ସେବିକା ନିଯୁକ୍ତି କୁ ବିରୋଧ କରିବା ସହ ଏହାର ପୁନଃ ବିଚାର କରି ଶିଶୁ ସେବିକା ନିଯୁକ୍ତି କରିବାକୁ ଅଡି ବସିଛନ୍ତି। ଗ୍ରାବାସୀଙ୍କ ଅଭିଯୋଗ ପ୍ରକାରେ ବର୍ତ୍ତମାନ ଏହି ପଦବୀରେ ନିଯୁକ୍ତି ପାଇଥିବା ପ୍ରାର୍ଥୀନୀ ବିଦ୍ୟାଳୟ କମିଟି ର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ନିଯୁକ୍ତି ପ୍ରକ୍ରିୟା କରାଯାଇନଥିବା ଜୟଦେବ ଭତରା,ଡମ୍ବରୁ ଧର ଭତରା ବିଷ୍ଣୁ ଭତରା,ଶ୍ୟାମ ଭତରା,ହରାଇ ଭତରା,,ଦେବ ଗୌଡ଼ ,ଗାଣ୍ଡା ଗୌଡ଼ ,ଲଚିମି ପୂଜାରୀ ପ୍ରମୁଖ ଅଭିଯୋଗ କରିଛନ୍ତି। ଏହି ଘଟଣା ସଂପର୍କରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ପୂର୍ବରୁ ଜଣାଇଥିବା କହିଛନ୍ତି ଗ୍ରାମବାସୀ। ତେବେ ବିଦ୍ୟାଳୟ ପରିଚାଳନା କମିଟି ଏବଂ ଗ୍ରାମବାସୀ ମଧ୍ୟରେ ସମସ୍ୟାର ସମାଧାନ କରିବାକୁ ଗୋଷ୍ଠୀ ଶିକ୍ଷା କର୍ତ୍ତୃପକ୍ଷ ପରାମର୍ଶ ଦେଇଥିବା ଜୟଦେବ ଭତରା କହିଛନ୍ତି ।
ଏ ନେଇ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ତୁଳା ରାମ ଭତରାଙ୍କୁ ପଚାରିବାରୁ ଗାଇଡ୍ ଲାଇନ୍ ଅନୁଯାୟୀ ଏବଂ ପ୍ରାର୍ଥୀଙ୍କ ଯୋଗ୍ୟତା ଭିତ୍ତିରେ ଶିଶୁ ସେବିକା ନିଯୁକ୍ତି ହୋଇଛି। କିନ୍ତୁ ଏହାକୁ ଗ୍ରାମର ଏକ ଗୋଷ୍ଠୀ ବିରୋଧ କରି ତାଲା ପକାଇଛନ୍ତି। ଛାତ୍ରଛାତ୍ରୀ ପହଞ୍ଚି ତାଲା ଝୁଲୁଥିବା ଦେଖି ବାଧ୍ୟ ହୋଇ ରାସ୍ତା ଉପରେ ବସିଛନ୍ତି ବୋଲି କହିଛନ୍ତି। ଝରିଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ରସ୍ମିତା ନେତମ୍କୁ ଯୋଗାଯୋଗ କରିବାରୁ ତୁରନ୍ତ ବିଦ୍ୟାଳୟକୁ ଅଧିକାରୀଙ୍କୁ ପଠାଇବାକୁ ନିର୍ଦ୍ଦେଶ ଦେବେ ବୋଲି କହିଛନ୍ତି।