ରାଜନଗର, ୨୭/୦୫ : ପାରିବାରିକ କଳହରେ ଅତିଷ୍ଠ ମା’-ପୁଅ ନ୍ୟାୟ ପାଇବା ଆଶାରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ ତାଳଚୁଆ ସାମୁଦ୍ରିକ ଥାନାକୁ ଯାଇଥିଲେ । ସେଠାରେ ନ୍ୟାୟ ମିଳିବ କ’ଣ ଓଲଟା ଥାନାଧିକାରୀ ମା’-ପୁଅଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଅଭିଯୋଗକାରିଣୀ ମା’ଙ୍କ ମୁଣ୍ଡରୁ ସିନ୍ଦୂର ପୋଛି ଦେଇଥିଲେ । ଖାଲି ସେତିକି ନୁହେଁ ପୁଅକୁ ମଧ୍ୟ ପାଇଖାନା ମଧ୍ୟରେ ପୂରାଇ ନିସ୍ତୁକ ମାଡ଼ ମାରିଥିଲେ । ପୁଲିସର ଏଭଳି ଦବଙ୍ଗଗିରି ବିରୋଧରେ ସ୍ୱର ଉଠାଇ ଅଭିଯୋଗ ବାଢିଛନ୍ତି ମା’- ପୁଅ । ସେମାନେ ପଟ୍ଟାମୁଣ୍ଡାଇ ଏସ୍‌ଡିପିଓ ସୁକାନ୍ତ ପାତ୍ରଙ୍କ ନିକଟରେ ତାଳଚୁଆ ସାମୁଦ୍ରିକ ଥାନା ଆଇଆଇସି ସଂଧ୍ୟାରାଣୀ ଜେନାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । 

ଅଭିଯୋଗରୁ ପ୍ରକାଶ, ପାରିବାରିକ ଗଣ୍ଡଗୋଳକୁ ନେଇ ରାଜନଗର ବ୍ଲକ୍‌ ବାଘମାରି ପଞ୍ଚାୟତ ଗିରିଆପାହି ଗ୍ରାମର ପବନ ମଣ୍ଡଳ ତାଙ୍କ ପତ୍ନୀ ଅନ୍ନପୂର୍ଣ୍ଣା ମଣ୍ଡଳ(୫୮) ଓ ପୁଅ ଅନନ୍ତ ମଣ୍ଡଳ(୩୧) ଙ୍କ ବିରୋଧରେ ତାଳଚୁଆ ସାମୁଦ୍ରିକ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଡାକରାରେ ମା’-ପୁଅ ୨୫ ତାରିଖ ସନ୍ଧ୍ୟାରେ ଥାନାକୁ ଯାଇଥିଲେ । ଥାନାରେ ପହଞ୍ଚି ଅନ୍ନପୂର୍ଣ୍ଣା ତାଙ୍କ ସ୍ୱାମୀ ପବନ ମଣ୍ଡଳଙ୍କ ବିରୋଧରେ ପାଲଟା ଅଭିଯୋଗପତ୍ର ଥାନା ଅଧିକାରୀ ସଂଧ୍ୟାରାଣୀ ଜେନାଙ୍କୁ ଦେଇଥିଲେ । ମାତ୍ର ଆଇଆଇସି ତାଙ୍କ ଅଭିଯୋଗପତ୍ର ରଖିବା ପରିବର୍ତ୍ତେ ମା’-ପୁଅଙ୍କୁ ଗାଳିଗୁଲଜ କରି ଅନ୍ନପୂର୍ଣ୍ଣାଙ୍କ ଚୁଟି ଟାଣି ଘୋଷାରିଥିଲେ । ପୁଅ ସମ୍ମୁଖରେ ତାଙ୍କୁ ଅର୍ଦ୍ଧଉଲଗ୍ନ କରି ଚାପୁଡ଼ା ମାରିବା ପରେ ମଥାରୁ ସିନ୍ଦୂର ପୋଛି ଦେଇଥିଲେ । ଏହାପରେ ଅନନ୍ତଙ୍କୁ ପାଇଖାନା ମଧ୍ୟରେ ପୂରାଇ ଅନ୍ୟ ଜଣେ କନେଷ୍ଟବଳଙ୍କ ସହିତ ନିସ୍ତୁକ ପିଟିଥିଲେ । ଅନନ୍ତଙ୍କ ତଣ୍ଟି ଚିପି ଧରିବାରୁ ସେ ଜୀବନ ବିକଳରେ ଚିତ୍କାର କରିଥିଲେ । ଏହାପରେ ଆଇଆଇସି ତାଙ୍କୁ ଛାଡ଼ି ଦେଇ ତାଙ୍କ ମୋବାଇଲ ନେଇ ଯାଇଥିବା ଅନ୍ନପୂର୍ଣ୍ଣା ଅଭିଯୋଗପତ୍ରରେ ଦର୍ଶାଇଛନ୍ତି । 

ଏହି ଖବରଟିକୁ ପଢନ୍ତୁଗଞ୍ଜେଇ କିଲୋ ୧ ଲକ୍ଷ, ତରଳରେ ୧୫ ଲକ୍ଷ... ମାଲ୍‌ ପାଇଁ ଦେଶବିଦେଶରୁ ବରାଦ, ଆନ୍ଧ୍ର ଛାଡ଼ି ଓଡ଼ିଶାରେ ବେପାରୀଙ୍କ ଆଡ୍ଡା

ମା’-ପୁଅ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେବା ପରେ ପଟ୍ଟାମୁଣ୍ଡାଇ ଏସ୍‌ଡିପିଓଙ୍କ ନିକଟରେ ଅଭିଯୋଗ କରି ନ୍ୟାୟ ଭିକ୍ଷା କରିଛନ୍ତି । ଏ ସଂପର୍କରେ ଥାନାଧିକାରୀ ଶ୍ରୀମତୀ ଜେନାଙ୍କୁ ପଚାରିବାରେ ସେ କହିଛନ୍ତି, ଏହା କପୋଳକଳ୍ପିତ ଓ ମିଥ୍ୟା ଅଭିଯୋଗ । ପାରିବାରିକ ଗଣ୍ଡଗୋଳକୁ ସମାଧାନ କରିବା ପାଇଁ ଭଦ୍ରଲୋକଙ୍କ ଉପସ୍ଥିତିରେ ଆଲୋଚନା କରାଯାଇଥିଲା । ମୁଁ ମଧ୍ୟ ମା’-ପୁଅଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲି । ମାତ୍ର ସେମାନେ ଉଦ୍ଦେଶ୍ୟମୂଳକ ଭବେ ମୋ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି । ଥାନାରେ ସିସିଟିଭି ଲାଗିଛି । ଅନୁଧ୍ୟାନ କଲେ ସତ୍ୟାସତ୍ୟ ଜଣାପଡ଼ିବ । ଏସ୍‌ଡିପିଓ ଶ୍ରୀ ପାତ୍ର ଅଭିଯୋଗ ପାଇଥିବା ସ୍ୱୀକାର କରିଛନ୍ତି।