ହାଇଦ୍ରାବାଦ: ପୁଷ୍ପା ପ୍ରିମିୟର ଶୋରେ ହୋଇଥିବା ଦଳଚକଟା ଘଟଣାରେ ମୃତ ରେବତୀଙ୍କ ପରିବାରକୁ ୨ କୋଟି ଟଙ୍କା ସହାୟତା ରାଶି ଘୋଷଣା କରାଯାଇଛି । ‘ପୁଷ୍ପା-୨ ଦି ରୁଲ’ ସିନେମା ଟିମ୍ ପକ୍ଷରୁ ଏହି ପୁରସ୍କାର ରାଶି ଘୋଷଣା କରାଯାଇଛି । ଡିସେମ୍ବର ୪ ତାରିଖରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟର ନିକଟରେ ଏହି ଦଳଚକଟା ଘଟଣା ଘଟିଥିଲା । ପୁଷ୍ପା-୨ର ପ୍ରିମିୟର ଶୋ ଦେଖିବାକୁ ଅଲ୍ଲୁ ଅର୍ଜୁନ ଆସିଥିଲେ । ତାଙ୍କୁ ଦେଖିବାକୁ ଜମିଥିବା ଭିଡ଼ ଯୋଗୁ ହୋଇଥିବା ଦଳଚକଟାରେ ଜଣେ ୩୬ ବର୍ଷୀୟା ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଶିଶୁ ପୁତ୍ରଙ୍କ ବ୍ରେନ୍ ଡେଡ୍ ହୋଇଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ କହିଥିଲେ । 

ଘଟଣାରେ ପ୍ରଥମେ ୨୫ ଲକ୍ଷ ପରେ ୫୦ ଲକ୍ଷ ଏବେ ଦୁଇ କୋଟି ଟଙ୍କା ସହାୟତା ରାଶି ଘୋଷଣା କରାଯାଇଛି । ଏଥିରେ ଅଲ୍ଲୁ ଅର୍ଜୁନ ୧ କୋଟି ଟଙ୍କା ଦେବାକୁ ଥିବା ସିନେମାର ପ୍ରୟୋଜନା ସଂସ୍ଥା ଓ ନିର୍ଦ୍ଦେଶକ ସୁକୁମାର ୫୦ ଲକ୍ଷ ଟଙ୍କା ଲେଖାଏଁ ଟଙ୍କା ଦେବେ । ଏହି କ୍ଷତିପୂରଣ ଚଳଚ୍ଚିତ୍ର ନିର୍ମାତା ତଥା ତେଲେଙ୍ଗାନା ଚଳଚ୍ଚିତ୍ର ବିକାଶ ନିଗମର ଅଧ୍ୟକ୍ଷ ଦିଲ ରାଜୁଙ୍କ ଦ୍ୱାରା ପରିବାରକୁ ଦିଆଯିବ । ଅଲ୍ଲୁ ଅର୍ଜୁନଙ୍କ ବାପା ଅଲ୍ଲୁ ଅରବିନ୍ଦ ଏହି ପୁରସ୍କାର ରାଶି ଘୋଷଣା କରିଛନ୍ତି । କିମ୍ସ ହସ୍‌ପିଟାଲ ହାଇଦ୍ରାବାଦ୍‌ରେ ଚିକିତ୍ସିତ ହେଉଥିବା ସେହି ୯ ବର୍ଷୀୟ ବାଳକଙ୍କଚ ଦେଖିବାକୁ ହସ୍‌ପିଟାଲ୍‌ ଯାଇଥିବା ବେଳେ ଅରବିନ୍ଦ ଏହି ଘୋଷଣା କରିଛନ୍ତି। 
 

ସେହିପରି ପୀଡ଼ିତ ୯ ବର୍ଷର ଶିଶୁ ଶ୍ରୀ ତେଜ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ, ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରୁଛି। ସେ ଏବେ ନିଜେ ନିଜେ ନିଃଶ୍ୱାସ ନେଲେଣି। ବୋଧହୁଏ ୨ ଦିନ ଭିତରେ ତାଙ୍କୁ ଭେଣ୍ଟିଲେଟରରୁ ବାହାର କରି ଦିଆଯିବ। ତାଙ୍କ ସୁସ୍ଥ ହେବାରେ ଆମେ ଖୁସି ବୋଲି ଅରବିନ୍ଦ କହିଛନ୍ତି । ଦଳଚକଟା ଘଟଣାରେ ଗତକାଲି ଅଲ୍ଲୁ ଅର୍ଜୁନଙ୍କୁ ହାଇଦ୍ରାବାଦ ପୋଲିସ ପ୍ରାୟ ଚାରି ଘଣ୍ଟା ପଚରାଉଚରା କରିଥିଲା। ପ୍ରିମିୟରର ଦିନକ ପରେ ସେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ ବୋଲି ଅଲ୍ଲୁ ଅର୍ଜୁନ କହିଛନ୍ତି । ସେପଟେ ଏହା ପୂର୍ବରୁ ଅଲ୍ଲୁ ଅର୍ଜୁନଙ୍କୁ ପୋଲିସ ଗିରଫ କରିଥିଲା । ପରେ ତାଙ୍କୁ ହାଇକୋର୍ଟରୁ ଜାମିନ୍‌ ମଧ୍ୟ ମିଳିଥିଲା ।