ନୂଆଦିଲ୍ଲୀ,୧୭/୧୦: ୨୦୨୪ରେ  ପ୍ରାୟ ୧୨.୯ କୋଟି ଭାରତୀୟ ଅତି  ଦାରିଦ୍ର‌୍ୟରେ ରହିଛନ୍ତି । ଦିନକୁ ମାତ୍ର ୧୮୧  ଟଙ୍କା(୨.୧୫ ଡଲାର)ରୁ କମ୍‌ରେ ଏମାନେ  ଚଳୁଛନ୍ତି । ମଙ୍ଗଳବାର ବିଶ୍ୱ ବ୍ୟାଙ୍କ ପକ୍ଷରୁ  ଜାରି ଏକ ରିପୋର୍ଟରେ ଏହା ଉଲ୍ଲେଖ  କରାଯାଇଛି । ତେବେ ୧୯୯୦ ତୁଳନାରେ  ଦେଶରେ ଅତିଦରିଦ୍ରଙ୍କ ସଂଖ୍ୟା କମିଛି ।  ସେତେବେଳେ ଏମାନଙ୍କ ସଂଖ୍ୟା ଥିଲା  ୪୩.୧ କୋଟି ।  

ମଧ୍ୟମ ଆୟ ରାଷ୍ଟ୍ରଗୁଡ଼ିକ ପାଇଁ  ଦିନକୁ ୬.୮୫ ଡଲାର ବା ୫୭୬  ଟଙ୍କାରେ ଜୀବନ ଧାରଣ କରିବାକୁ  ଉଚ୍ଚ ଦାରିଦ୍ର‌୍ୟ ଭାବେ ବର୍ଗୀକରଣ  କରାଯାଇଛି । ଉକ୍ତ ହିସାବରେ ୧୯୯୦  ତୁଳନାରେ ୨୦୨୪ରେ ଅଧିକ ସଂଖ୍ୟକ  ଭାରତୀୟ ଦାରିଦ୍ର‌୍ୟ ସୀମାରେଖା ତଳେ  ବା ବିପିଏଲ୍‌ ବର୍ଗରେ ଥିବା ବିଶ୍ୱ ବ୍ୟାଙ୍କ  ଏହାର ରିପୋର୍ଟ ‘ପଭର୍ଟି, ପ୍ରସ୍‌ପରିଟି  ଆଣ୍ଡ୍‌ ପ୍ଲାନେଟ୍‌:ପାଥ୍‌ୱେଜ୍‌ ଆଉଟ୍‌ ଅଫ୍‌  ଦ ପଲିକ୍ରାଇସିସ୍‌’ ରେ ପ୍ରକାଶ କରିଛି ।  ବିଶେଷ କରି ଜନସଂଖ୍ୟା ବୃଦ୍ଧି ଯୋଗୁ  ଏଭଳି ସ୍ଥିତି ଉପୁଜିଥିବା ଏହା କହିଛି । ପୂର୍ବରୁ ବିଶ୍ୱବ୍ୟାଙ୍କ ପ୍ରକାଶ କରିଥିଲା  ଯେ, ୨୦୨୧ରେ ଭାରତରେ ଅତିଦାରିଦ୍ର‌୍ୟ  ୩.୮ କୋଟି ଖସି ୧୬.୭୪୯ କୋଟି  ରହିଛି, ଯାହାକି ପୂର୍ବ ଦୁଇ ବର୍ଷରେ  ବଢ଼ିଥିଲା । 

ସଦ୍ୟ ରିପୋର୍ଟରେ ଉଲ୍ଲେଖ  କରାଯାଇଛି ଯେ, ବିଶ୍ୱ ଦାରିଦ୍ର‌୍ୟ  ଦୂରୀକରଣ ମନ୍ଥର ରହିଛି । ୨୦୨୦- ୨୦୩୦ରେ ଏ ଦିଗରେ ରହିଥିବା ଲକ୍ଷ୍ୟ  ହାସଲ ସମ୍ଭବ ହୋଇ ନ ପାରେ ।  ବର୍ତ୍ତମାନର ଅଗ୍ରଗତି ହିସାବରେ ଅତି  ଦାରିଦ୍ର‌୍ୟ ଦୂରୀକରଣ ପାଇଁ ଦଶନ୍ଧି ଦଶନ୍ଧି  ସମୟ ଲାଗିବ ବୋଲି ବିଶ୍ୱବ୍ୟାଙ୍କ ପ୍ରକାଶ  କରିଛି । ଲୋକଙ୍କ ଦୈନିକ ଖର୍ଚ୍ଚ ସାମର୍ଥ୍ୟକୁ  ୬.୮୫ ଡଲାର ଉପରକୁ ନେବା ପାଇଁ  ଶତାବ୍ଦିରୁ ଊଦ୍ଧ୍ୱର୍ ସମୟ ଲାଗିବ ବୋଲି ଏହା  ପ୍ରକାଶ କରିଛି । ଏ ଦିଗରେ ରାଷ୍ଟ୍ରଗୁଡ଼ିକ  ମଜଭୂତ ରଣନୀତି ଆଣି ଆଗକୁ ବଢ଼ିବା  ଦରକାର । ଏହାସହିତ ବିଭିନ୍ନ ପ୍ରକାର  ନୀତିଗତ ପରିବର୍ତ୍ତନ ଲୋଡ଼ା ବୋଲି  ଅର୍ଥନୀତିଜ୍ଞମାନେ ପ୍ରକାଶ କରିଛନ୍ତି । 

ଆଗାମୀ ଦଶନ୍ଧିରେ ବିଶ୍ୱ ଅତି  ଦାରିଦ୍ୟରେ ଭାରତର ଭାଗ ବଡ଼ ଆକାରରେ କମିବ ବୋଲି ବିଶ୍ୱ ବ୍ୟାଙ୍କ  ଆକଳନ କରିଛି । ଆସନ୍ତା ଦଶନ୍ଧିରେ  ମୁଣ୍ଡ ପିଛା ଜିଡିପି ଅଭିବୃଦ୍ଧି ପୂର୍ବାନୁମାନ  ଆଧାରରେ ଏ ଆକଳନ କରାଯାଇଛି ।  ୨୦୩୦ରେ ଭାରତରେ ଅତି ଦାରିଦ୍ର‌୍ୟ  ହାର ଶୂନକୁ ଆସିଯିବ ବୋଲି ବିଶ୍ୱବ୍ୟାଙ୍କ  ଆକଳନ କରିଛି । ଅନ୍ୟପକ୍ଷରେ,  ଆଲୋଚ୍ୟ ସମୟରେ ବିଶ୍ୱ ଅତି ଦାରିଦ୍ର‌୍ୟ  ହାର ୭.୩୧%ରୁ ୬.୭୨%କୁ ଖସିବ ବୋଲି  ପୂର୍ବାନୁମାନ ରହିଛି । ଏହା ୩%ର ଧାର୍ଯ୍ୟ  ଲକ୍ଷ୍ୟ ତୁଳନାରେ ବହୁ ମାତ୍ରାରେ ଅଧିକ ।