ଭୁବନେଶ୍ୱର,୦୭/୦୮: ଆମ ବସ୍ ଦୁର୍ଘଟଣା ରୋକିବାକୁ ନୂଆ ଯୋଜନା କରିଛି କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପର୍ଟ (କ୍ରୁଟ୍) । ଏଣିକି ଡ୍ରାଇଭର ପାଖ ସିଟ୍ରେ ଅଧିକାରୀ ସପ୍ତାହକୁ ୨ ଦିନ ବସି ଯାତ୍ରା କରିବେ । ଯାତ୍ରୀଙ୍କ ଅଭିଯୋଗ ଶୁଣିବେ । ଏନେଇ ନୋଟିସ ଜାରି କରାଯାଇଛି । ଏହିକ୍ରମର ଖୋଦ୍ କ୍ରୁଟ୍ର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଏନ୍ ଥିରୁମାଲା ନାଏକ ବସ୍ରେ ବସି ଯାତ୍ରା କରିବା ସହ ଯାତ୍ରୀଙ୍କ ସୁବିଧା ବୁଝିଛନ୍ତି ।
To enhance #AmaBus services, @ThirumalaNaik4, MD CRUT, has directed all staff to ride the bus twice a week for firsthand commuter insights.
— Capital Region Urban Transport (@CRUT_BBSR) August 6, 2025
Today he travelled on Route 10 & 13 during peak hours and interacted with commuters.
Soon commuter feedback form will be available online. pic.twitter.com/aCfpnYBrBX
ଆମ ବସ୍ ସଂଖ୍ୟା କମ୍, ହେଲେ ବିବାଦ ଅଧିକ । କେତେବେଳେ ଦୁର୍ଘଟଣାରେ ମୁଣ୍ଡ ଗଲାଣି, ତ ପୁଣି କେବେ କାହାକୁ ପିଟି ଗୁରୁତର କଲାଣି । ଏମିତିକି ଲୋକଙ୍କୁ ଚଳନ୍ତା ଗାଡ଼ିରୁ ବସ୍ କର୍ମଚାରୀ ଠେଲି ଦେବାର ଉଦାହରଣ ରହିଛି । ହାତାହାତି ମାଡ଼ପିଟ ତ ନିତିଦିନିଆ ଘଟଣା । ଚଳିତ ବର୍ଷ ଦୁର୍ଘଟଣାରେ ଆମ ବସ୍ ପାଖାପାଖି ୬ରୁ ଅଧିକ ଜୀବନ ନେଇଛି । ପାତ୍ରପଡ଼ା ଦୁର୍ଘଟଣାରେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ସେହିପରି ନନ୍ଦନକାନନ ରାସ୍ତାରେ ଛାତ୍ରୀଙ୍କୁ ମଡ଼ାଇଥିଲା । ଏମିତି ପ୍ରତିଦିନ ଲମ୍ବା ତାଲିକା ।
ମାଳ ମାଳ ଅଭିଯୋଗ କ୍ରୁଟ ଅଧିକାରୀଙ୍କ ନିଦ ହଜାଇ ଦେଲାଣି । ଆମ ବସ୍ ସେବାରେ ସାଧାରଣ ଯାତ୍ରୀଙ୍କ ଯାତ୍ରା ଅଭିଜ୍ଞତା ବୃଦ୍ଧି ନେଇ କ୍ରୁଟ୍ ପକ୍ଷରୁ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । କ୍ରୁଟ୍ ପରିଚାଳନା ନିର୍ଦ୍ଦେଶକ ଏନ୍ ଥିରୁମାଲା ନାଏକ କ୍ରୁଟ୍ ଅଧିକାରୀମାନଙ୍କୁ ସପ୍ତାହରେ ଅନ୍ତତଃ ୨ ଥର ଆମ ବସ୍ରେ ଯାତ୍ରା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବସ୍ ଯାତ୍ରା ବେଳେ ଅନ୍ଲାଇନ୍ ଫର୍ମ ମାଧ୍ୟମରେ ଆମବସ୍ ସେବାର ସ୍ୱରୂପ ଉପରେ ମତାମତ ସଂଗ୍ରହ ହେବ । ଯାହାକୁ ଆଧାର କରି ବସ୍ ସେବାର ଉନ୍ନତୀକରଣ ପାଇଁ କାର୍ଯ୍ୟ କରାଯିବ ।
ବୁଧବାର ଡକ୍ଟର ନାୟକ ନିଜେ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସମେତ କ୍ରୁଟ୍ କାର୍ଯ୍ୟାଳୟରୁ ବାହାରି ୧୦ ନମ୍ବର ବସ୍ରେ କିଟ୍ ଛକରୁ ଇନେ୍ଫାସିଟି ଏବଂ ୧୩ ନମ୍ବର ରୁଟ୍ରେ ଟ୍ରାଇଡ଼େଣ୍ଟ ମହାବିଦ୍ୟାଳୟରୁ କେଶରୀ ଟକିଜ୍ ଯାଏଁ ଯାତ୍ରା କରି ପ୍ରକୃତ ଅବସ୍ଥା ପରଖିଛନ୍ତି । ନିଜେ ଟିକଟ୍ କାଟି ସାଧାରଣ ଯାତ୍ରୀଙ୍କ ଭଳି ଯାତ୍ରା ଅନୁଭୂତି ନେଇଛନ୍ତି । ସେଭଳି ଅନେକ ଯାତ୍ରୀଙ୍କ ସହ ଯୋଗାଯୋଗ କରି ସେମାନଙ୍କ ଯାତ୍ରା ଅଭିଜ୍ଞତା ବିଷୟରେ ସିଧାସଳଖ ମତାମତ ସଂଗ୍ରହ କରିଛନ୍ତି । ପ୍ରଶାସନିକ ସ୍ତରରେ ନିର୍ଣ୍ଣୟ ହେଉଥିବା ଯୋଜନା ଏବଂ ତୃଣମୂଳସ୍ତରରେ ବାସ୍ତବତା ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା ଏବଂ ସମସ୍ତ ବର୍ଗର ଯାତ୍ରୀମାନଙ୍କ ପାଇଁ ଆମ ବସ୍ ସେବାକୁ ଅଧିକ ସୁଗମ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ରହିଛି ।
ସେହିଭଳି କ୍ରୁଟ୍ ମହା ପ୍ରବନ୍ଧକ ସଞ୍ଜୟ ବିଶ୍ୱାଳ ଅଚାନକ ଯାଞ୍ଚ କରିବା ଅବସରରେ କଟକ ସିଡ଼ିଏ ୯ରୁ ଭୁବନେଶ୍ୱର କଳାରାହାଙ୍ଗ ପର୍ଯ୍ୟନ୍ତ ବସ୍ରେ ଯାତ୍ରା କରି ସେବାର ମୂଲ୍ୟାଙ୍କନ କରିଥିଲେ । ଏହି ପଦକ୍ଷେପ ମାଧ୍ୟମରେ ପ୍ରତ୍ୟେକଟି ମତାମତକୁ ଗୁରୁତ୍ୱର ସହିତ ଗ୍ରହଣ କରି ଏହାକୁ ମୂଲ୍ୟାଙ୍କନ କରାଯିବ । ଆମ ବସ୍ ସେବାରେ ରୁଟ୍ ସମ୍ପର୍କିତ ମତାମତ,ଗୋଟିଏ ବସ୍ ପରେ ଅନ୍ୟ ବସ୍ ସମୟ, ଆମ ବସ୍ ଆପ୍ଲିକେସନ୍, ପ୍ରଯୁକ୍ତିବିଦ୍ୟା ଓ ଜ୍ଞାନ କୈାଶଳର ବୃଦ୍ଧି ଭଳି ସାମଗ୍ରକି ସେବାର ଉନ୍ନତି ଦିଗରେ ମତାମତ ସଂଗ୍ରହ ହେବ । ଯାତ୍ରୀ ଅନୁଭୂତି ପାଇଁ ଆମ ବସ୍ ମୋବାଇଲ୍ ଆପ୍ଲିକେସନ୍ରେ ମଧ୍ୟ ଏକ ମତାମତ ଫର୍ମ ଯୋଡ଼ାହେବ । ସେଥିରେ ନିୟମିତ ଭାବେ ବିଭିନ୍ନ ମତାମତକୁ ନେଇ ଆମ ବସ୍ ସେବାକୁ ଉନ୍ନତ କରାଯିବ ।