ନବରଙ୍ଗପୁର,୨୫।୬( ଆପ୍ର): ୭ ଦଫା ଦାବିରେ ଆସନ୍ତା ଜୁଲାଇ ୧୪ ରୁ ଅମଲା କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବେ । ଏନେଇ ଓଡିଶା ଅମଲାସଂଘର ନବରଙ୍ଗପୁର ଜିଲ୍ଲାଶାଖା ସଭାପତି ଆଶୁତୋଷ ମହାନ୍ତିଙ୍କ ନେତୃତ୍ୱରେ ରାଜ୍ୟସରକାରଙ୍କ ଉଦ୍ଦେଶ୍ୟରେ ନବରଙ୍ଗପୁର ଜିଲ୍ଲାପାଳ ଡା.ଶୁଭଙ୍କର ମହାପାତ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ସେମାନେ ଦାବି ଗୁଡିକ ହେଲା, ରାଜସ୍ବ ଅମଲାଙ୍କ ମୂଳଦରମା ଓଆର୍ଏସ୍ପି -୨୦୧୭ ନିୟମ ଅନୁଯାୟୀ, ଲେବୁଲ-୯କୁ ବୃଦ୍ଧି କରାଯାଉ। ସେଭଳି ଜିଲ୍ଲାପାଳ ମାନଙ୍କ ତଥ୍ୟ ଅନୁଯାୟୀ ଜିଲ୍ଲାରେ ନୂତନ ପଦବୀ ସୃଷ୍ଟି ଓ ପଦବୀର ପୁନଃର୍ଗଠନ କରାଯାଉ। ସମସ୍ତ ସରକାରୀ କର୍ମଚାରୀଙ୍କୁ ବାର୍ଷିକ ୨୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟବୀମା ଲାଗୁ କରାଯାଉ । ୨୦୨୦ର ଲାଗୁ କରାଯାଇଥିବା ପୁନଃଥଇଥାନ ଯୋଜନାର ନିୟମକୁ ସଂପୂର୍ଣ ଉଚ୍ଛେଦ କରାଯାଉ । ୧୯୯୦ର ନିୟମକୁ ଲାଗୁ କରି ମୃତସରକାରୀ କର୍ମଚାରୀଙ୍କ ପରିବାରର ଜଣକୁ ଯୋଗ୍ୟତା ଭଭିରେ ନିଯୁକ୍ତି ପ୍ରଦାନ କରାଯାଉ । ସେଭଳି ରାଜସ୍ବ ଅମଲାଙ୍କୁ ଶତପ୍ରତିଶତ ପଦୋନ୍ନତି ପ୍ରଦାନ କରାଯାଉ ବୋଲି ଦାବି କରାଯାଇଛି। ଏହି ଦାବି ପୂରଣ ପାଇଁ ଆସନ୍ତା ଜୁଲାଇ ୭ ଠାରୁ ୧୧ ଯାଏଁ ଅମଲା ମାନେ କଳାବ୍ୟାଜ୍ ପରିଧାନ କରିବେ ।
ଏହା ସତ୍ତ୍ୱେ ରାଜ୍ୟସରକାର ଦାବିପୂରଣ କରିବାରେ ବିଫଳ ହେଲେ ଆସନ୍ତା ୧୪ ଜୁଲାଇ ଠାରୁ ଅନିର୍ଦ୍ଦିଷ୍ଟକାଳ ଯାଏଁ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଅମଲା ସଂଘ ଓହ୍ଲାଇବ ବୋଲି ରାଜ୍ୟସରକାରଙ୍କୁ ଚେତାବନୀ ଦିଆଯାଇଛି। ଏହି ଦାବିପତ୍ର ପ୍ରଦାନ ବେଳେ ରାଜ୍ୟ ଅମଲା ସଂଘର ସଭାପତି ତ୍ରିପତି ବାଲାଜୀ ସାହୁ, ଖଣ୍ଡୀୟଉପସଭାପତି ମୈଥୁଲି ପଟନାୟକ, କୈଳାଶ ଚନ୍ଦ୍ର ଦାଶ, ବିଜୟ ସାହୁ, ସୀତାରାମ ବେହେରା, ମଧୁସ୍ମିତା ମିରଗାନ ସମେତ ବହୁ ଅମଲା ଉପସ୍ଥିତ ଥିଲେ ।