ନୂଆଦିଲ୍ଲୀ, ୨୨।୫: ଆପଣମାନଙ୍କ ଭିତରୁ କେତେଜଣଙ୍କୁ ଲାଉ ତରକାରୀ ଖାଇବାକୁ ଭଲ ଲାଗେ ? ହୁଏତ ଅନେକ ଲୋକ ଅଛନ୍ତି, ଯେଉଁମାନେ ଲାଉର ନାଁ ଶୁଣିଲେ ବି ନାକ ଟେକନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଲାଉ ବିଷୟରେ ନୁହେଁ, ବରଂ ଲାଉ କାଟିବା ପରେ ଆପଣ ଯେଉଁ ଜିନିଷକୁ ଅଦରକାରୀ ଭାବି ଡଷ୍ଟବିନ୍‌ରେ ଫିଙ୍ଗି ଦିଅନ୍ତି, ସେଇ ବିଷୟରେ ଏକ ଚମକାଇ ଦେବା ଭଳି ତଥ୍ୟ ଜଣାଇବୁ । ଆମେ କହୁଛୁ "ଲାଉ ମଞ୍ଜି" ବିଷୟରେ । ଏଣିକି ଲାଉ ମଞ୍ଜିକୁ ଅଳିଆ ଭାବି ଫୋପାଡ଼ିବା ପୂର୍ବରୁ ଦଶ ଥର ଚିନ୍ତା କରନ୍ତୁ, କାରଣ ଏହି ଛୋଟ ଛୋଟ ମଞ୍ଜି ଭିତରେ ଲୁଚି ରହିଛି ଅମୃତ ସମାନ ଗୁଣ ! ଆସନ୍ତୁ ଜାଣିବା ଏହାର ଆଶ୍ଚର୍ଯ୍ୟଜନକ ସ୍ୱାସ୍ଥ୍ୟ ଉପକାରିତା ବିଷୟରେ ।

ପୋଷକ ତତ୍ତ୍ୱର ଗନ୍ତାଘର: ଲାଉ ମଞ୍ଜି

ରିପୋର୍ଟ ଅନୁଯାୟୀ, ଲାଉ ମଞ୍ଜି କେବଳ ଏକ ବର୍ଜ୍ୟବସ୍ତୁ ନୁହେଁ, ଏହା ହେଉଛି ପୋଷକ ତତ୍ତ୍ୱର ପାୱାରହାଉସ୍ । ଏଥିରେ ପ୍ରଚୁର ପରିମାଣରେ ପ୍ରୋଟିନ୍, ଫାଇବର, ମ୍ୟାଗେନିସିୟମ୍, ଆଣ୍ଟିଅକ୍ସିଡାଣ୍ଟ ଏବଂ ସୁସ୍ଥ ଚର୍ବି ବା Healthy Fats) ଭଳି ଜରୁରୀ ଉପାଦାନ ରହିଛି । ଶରୀରକୁ ସୁସ୍ଥ ଓ ନିରୋଗ ରଖିବା ପାଇଁ ଏହା ଏକ ଚମତ୍କାରୀ ସୁପରଫୁଡ୍।

ଲାଉ ମଞ୍ଜିର ୭ଟି ବଡ଼ ଫାଇଦା: ଜାଣିଲେ ଆଶ୍ଚର୍ଯ୍ୟ ହେବେ

୧. ପାଚନ ପ୍ରକ୍ରିୟାରେ ସୁଧାର:

ଯଦି ଆପଣ କୋଷ୍ଠକାଠିନ୍ୟ, ଗ୍ୟାସ୍ କିମ୍ବା ପେଟ ଫୁଲିବା ଭଳି ସମସ୍ୟାରେ ଗତି କରୁଛନ୍ତି, ତେବେ ଲାଉ ମଞ୍ଜି ଆପଣଙ୍କ ପାଇଁ ବରଦାନ ସଦୃଶ । ଏଥିରେ ଥିବା ଉଚ୍ଚ ଫାଇବର ହଜମ ପ୍ରକ୍ରିୟାକୁ ସୁଦୃଢ଼ କରିଥାଏ ।

​​​​​​​

୨. ହୃଦୟ ପାଇଁ ସୁରକ୍ଷା କବଚ:

ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀରେ ହୃଦ୍‌ରୋଗ ଏକ ବଡ଼ ସମସ୍ୟା । ଲାଉ ମଞ୍ଜିରେ ଥିବା ମ୍ୟାଗ୍ନେସିୟମ୍ ଆମ ହାର୍ଟକୁ ସୁସ୍ଥ ରଖିବା ସହ ବ୍ଲଡ୍ ପ୍ରେସର ବା ରକ୍ତଚାପକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରେ ।

୩. ଓଜନ ହ୍ରାସ କରିବାରେ ସହଯୋଗୀ:

ବଢ଼ୁଥିବା ଓଜନକୁ ନେଇ ଚିନ୍ତିତ ଥିବା ଲୋକଙ୍କ ପାଇଁ ଏହା ଏକ ଭଲ ଡାଏଟ୍ । ଏଥିରେ ଥିବା ପ୍ରୋଟିନ୍ ଓ ଫାଇବର ଯୋଗୁଁ ଏହାକୁ ଖାଇବା ପରେ ଅଧିକ ସମୟ ପର୍ଯ୍ୟନ୍ତ ପେଟ ପୂରି ରହିଲା ଭଳି ଲାଗେ, ଯାହାଦ୍ୱାରା ବାରମ୍ବାର ଭୋକ ଲାଗେନାହିଁ ଏବଂ ଓଜନ ନିୟନ୍ତ୍ରଣ ହୋଇଥାଏ ।

୪. ଶରୀରକୁ ମିଳିବ ପ୍ରଚୁର ଶକ୍ତି:

ଦିନସାରା କାମ କରି ଯଦି ଆପଣ ଥକ୍କାପଣ କିମ୍ବା ଦୁର୍ବଳତା ଅନୁଭବ କରୁଛନ୍ତି, ତେବେ ଏହି ମଞ୍ଜିକୁ ନିଜ ଖାଦ୍ୟରେ ସାମିଲ କରନ୍ତୁ । ଏଥିରେ ଥିବା ଜରୁରୀ ଖଣିଜ ପଦାର୍ଥ ଶରୀରକୁ ତତ୍କାଳ ଶକ୍ତି ଯୋଗାଇଥାଏ ।

୫. ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି:

ଋତୁ ପରିବର୍ତ୍ତନ ସମୟରେ ବାରମ୍ବାର ରୋଗରେ ପଡ଼ୁଥିବା ଲୋକଙ୍କ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ । ଲାଉ ମଞ୍ଜିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଆମ ଶରୀରର ଇମ୍ୟୁନିଟି ବା ରୋଗ ପ୍ରତିରୋଧକ ଶକ୍ତିକୁ ଭିତରୁ ମଜବୁତ କରିଥାଏ ।

୬. କେଶ ଝଡ଼ିବା ବନ୍ଦ ଓ ଚମକଦାର ତ୍ୱଚା ଲାଉ:

ଆଜିକାଲି ଯୁବପିଢ଼ିଙ୍କ ମଧ୍ୟରେ କେଶ ଝଡ଼ିବା ଏକ ସାଧାରଣ ସମସ୍ୟା ପାଲଟିଛି । ଲାଉ ମଞ୍ଜିରେ ଥିବା ପୋଷକ ତତ୍ତ୍ୱ କେଶର ମୂଳକୁ ଶକ୍ତ କରିଥାଏ ଏବଂ ତ୍ୱଚାକୁ ଉଜ୍ଜ୍ୱଳ ଓ ସୁସ୍ଥ ରଖିବାରେ ସାହାଯ୍ୟ କରେ ।

୭. ଅନିଦ୍ରା ସମସ୍ୟାରୁ ମୁକ୍ତି:

ଆଜିକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ମୋବାଇଲ୍ ସ୍କ୍ରୋଲିଂ କରିବା ଯୋଗୁଁ ଯୁବପିଢ଼ି ନିଦ୍ରାହୀନତା ବା ଇନସୋମନିଆର ଶିକାର ହେଉଛନ୍ତି। ଲାଉ ମଞ୍ଜିରେ ଥିବା ମ୍ୟାଗ୍ନେସିୟମ୍ ମସ୍ତିଷ୍କ ଏବଂ ଶରୀରକୁ ଶାନ୍ତ ରଖିବାରେ ସାହାଯ୍ୟ କରେ, ଯାହାଫଳରେ ଆପଣଙ୍କୁ ଏକ ଗଭୀର ଓ ଭଲ ନିଦ ଆସିଥାଏ ।

ଏବେ ଆପଣ ଭାବୁଥିବେ ଏହି ମଞ୍ଜିକୁ ଖାଇବେ କେମିତି ? ଆପଣ ଏହି ମଞ୍ଜିଗୁଡ଼ିକୁ ଶୁଖାଇ, ହାଲୁକା ଭାଜି ସ୍ନାକ୍ସ ଭାବରେ ଖାଇପାରିବେ । ଏହାଛଡ଼ା ଆପଣ ଏହାକୁ ସାଲାଡ୍ କିମ୍ବା ସ୍ମୁଦିରେ ସାମିଲ କରିପାରିବେ । ଏହା ଖାଇବାକୁ ଯେତିକି ସ୍ୱାଦିଷ୍ଟ, ସ୍ୱାସ୍ଥ୍ୟ ପାଇଁ ସେତିକି ହିତକର । ତେଣୁ ପରବର୍ତ୍ତୀ ସମୟରେ ଆପଣଙ୍କ ଘରେ ଲାଉ କଟାହେଲେ, ମଞ୍ଜିଗୁଡ଼ିକୁ ଡଷ୍ଟବିନ୍‌ରେ ନ ଫେପାଡ଼ି ନିଜର ସ୍ୱାସ୍ଥ୍ୟ ସୁଧାରିବା ପାଇଁ ବ୍ୟବହାର କରନ୍ତୁ ।

ଆହୁରି ପଢ଼ନ୍ତୁ... ଜଳଶୁଷ୍କତାକୁ ଦୂର କରିବାରେ କାହାର କ୍ଷମତା ଅଧିକ? ଆଖୁ ରସ ନା ପଇଡ଼ ପାଣି