ହରଭଙ୍ଗା, ୩୦।୭  : ସ୍ୱାଧୀନତାର ୭୭ ବର୍ଷ ପରେ ବି ଗାଁକୁ ପହଁଞ୍ଚି ପାରିଲା ନାହିଁ ବିକାଶ। ଏପର୍ଯ୍ୟନ୍ତ ଗାଁକୁ ଖଣ୍ଡିଏ ସ୍ଥାୟୀ ରାସ୍ତା ନାହିଁ l ଫଳରେ ବିଭିନ୍ନ ସମୟରେ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।  ଏପରିକି ଜଣେ ରୋଗୀଙ୍କୁ  ନେବା ପାଇଁ ଆସିଥିବା ଆମ୍ବୁଲାନ୍ସ  କାଦୁଅରେ ଫସିଯାଇଥିଲା।  ଶେଷରେ ରୋଗୀଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ପାଖକୁ ଆଣିଥିଲେ ପରିବାର ଲୋକ।  ଏଭଳି ଚିତ୍ର ସାମ୍ନାକୁ ଆସିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଂକୁଳେଇ ପଞ୍ଚାୟତ ହରିହରପୁର ଗ୍ରାମରେ।  

ଗ୍ରାମର ବିଷ୍ଣୁ ପ୍ରଧାନଙ୍କ ଦେହ ଅସୁସ୍ଥ ଥିବାରୁ ସେ ବୁଧବାର ଗୁରୁତର ହୋଇଥିଲେ। ଫଳରେ ପରିବାର ଲୋକ  ଆମ୍ବୁଲାନ୍ସ କୁ ଡାକିଥିଲେ ।  ରାସ୍ତା ଖରାପ ଥିବାରୁ ଗାଁ ଭିତରକୁ ଆମ୍ବୁଲାନ୍ସ ଯାଇ ନପାରି ଅଧା ବାଟରେ ଅଟକି ରହିଥିଲା l ଫଳରେ ଗୁରତର ବ୍ୟକ୍ତି ଙ୍କୁ ଖଟିଆରେ ବୋହି ଅଧ ବାଟକୁ ଆଣି ପୁଣି ଷ୍ଟେଚର ସାହାଯ୍ୟରେ ଆମ୍ବୁଲାନ୍ସ କୁ ଆଣିବାକୁ ପଡିଥିଲା l ଉକ୍ତ ଗାଁ ରାସ୍ତା ସମସ୍ୟା ନେଇ ଗ୍ରାମବାସୀ ପକ୍ଷରୁ ସ୍ଥାୟୀ ରାସ୍ତା ଖଣ୍ଡିଏ ପାଇଁ ଅନେକଥର ଜନ ପ୍ରତିନିଧି ଠୁ ଆରମ୍ଭ କରି ପ୍ରଶାସନ ଅଧିକାରୀ ପର୍ଯ୍ୟନ୍ତ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ। ରାସ୍ତା ସମସ୍ୟା ଦୂର ନହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓଲ୍ହାଇବୁ ବୋଲି ଚେତାବନୀ ଦେଇଛନ୍ତି l