ନୂଆଦିଲ୍ଲୀ: ଆମେରିକାରେ ଏକ ଭୟଙ୍କର ଦୁର୍ଘଟଣା ହୋଇଛି। ଏଠାରେ ମେରିଲ୍ୟାଣ୍ଡର ଚାର୍ଲସ କାଉଣ୍ଟିରେ ନିଆଁର କରାଳରୂପ ଦେଖିବାକୁ ମିଳିଛି। ନିଆଁ ଏକ ଘରେ ଲାଗିଥିଲା, ଯେଉଁଥିରେ ଜଳି ପୋଡି ୬ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ ରହିଛନ୍ତି । ଅଧିକାରୀ ମାନେ ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ସ୍ଥାନୀୟ ନ୍ୟୁଜ୍ ଚ୍ୟାନେଲ ଅନୁଯାୟୀ, ବାଲ୍ଟିମୋରରୁ ପ୍ରାୟ ୮୮ କିଲୋମିଟର ଦକ୍ଷିଣରେ ଅବସ୍ଥିତ ୱାଲଡୋର୍ଫ ଅଞ୍ଚଳରେ ସ୍ଥାନୀୟ ସମୟ ସକାଳ ୮.୪୦ ସମୟରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି।
ଖବର ଅନୁଯାୟୀ, ଜଣେ ବ୍ୟକ୍ତି କୌଣସି ପ୍ରକାରେ ନିଆଁ ମଧ୍ୟରେ ଘରୁ ବାହାରକୁ ବାହାରି ଆସିବାରେ ସଫଳ ହୋଇଛନ୍ତି। ଅଧିକାରୀ ମାନେ କହିଛନ୍ତି ଯେ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ୭୦ ଜଣ ଅଗ୍ନିଶମ କର୍ମଚାରୀଙ୍କୁ ଘଟଣାସ୍ଥଳକୁ ପଠାଯାଇଥିଲା ଏବଂ ଏକ ଘଣ୍ଟାରୁ ଅଧିକ ସମୟ ମଧ୍ୟରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା। ଏହି ସମୟରେ,ଜଣେ ଆହତ ଅଗ୍ନିଶମ କର୍ମଚାରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା, ଯେତେବେଳେ ଅନ୍ୟ ଜଣଙ୍କୁ ଘଟଣାସ୍ଥଳରେ ଚିକିତ୍ସା କରାଯାଇଥିଲା।
ମେରିଲ୍ୟାଣ୍ଡ ରାଜ୍ୟର ଅଗ୍ନିଶମ ବିଭାଗର ଜଣେ ବରିଷ୍ଠ ଅଧିକାରୀ ଅଲିଭର ଆଲକୟାର କହିଛନ୍ତି ଯେ, ଅଗ୍ନିକାଣ୍ଡର କାରଣ ଖୋଜିବା ପାଇଁ ପ୍ରୟାସ କରାଯାଉଛି। ଅଧିକାରୀ ମାନେ ମୃତକଙ୍କ ନାମ ଏବଂ ବୟସ ସ୍ପଷ୍ଟ କରିନାହାନ୍ତି । ଆଲକାୟର କହିଛନ୍ତି ଯେ ଘରେ ଥିବା ଅଗ୍ନି ସତର୍କୀକରଣ ଯନ୍ତ୍ର କାମ କରୁଥିଲା କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହି ଦୁର୍ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଲହରୀ ଖେଳିଯାଇଛି।