ନୂଆଦିଲ୍ଲୀ, ୨୪/୦୨ : ଉତ୍ତର ଆମେରିକାରେ ଭୟଙ୍କର ବରଫ ଝଡ଼। ଭାଙ୍ଗିଲା ୧୦ ବର୍ଷର ରେକର୍ଡ। ବିଭିନ୍ନ ସ୍ଥାନରେ ୨ ଫୁଟରୁ ଅଧିକ ତୁଷାରପାତ। ଆମେରିକାରେ ଏମରଜେନ୍ସି। ୫୬୦୦ରୁ ଅଧିକ ଫ୍ଲାଇଟ୍ କ୍ୟାନସଲ୍। ସ୍କୁଲ-କଲେଜ ବନ୍ଦ। ଘରୁ ବାହାରି ପାରୁନାହାଁନ୍ତି ଲୋକେ। ଆହୁରି ଭୀଷଣ ଝଡ଼ ସହ ଝଟ୍‌କା ପବନ ନେଇ ପାଣିପାଗ ବିଶେଷଜ୍ଞଙ୍କ ଚେତାବନୀ। ଲୋକେ ଆତଙ୍କିତ। 

ଉତ୍ତର ଆମେରିକାର ମ୍ୟାରିଲ୍ୟାଣ୍ଡ ଠାରୁ ନେଇ ମେନ୍ ଯାଏଁ ଭୀଷଣ ବରଫ ଝଡ଼ ହୋଇଛି। ଯେଉଁଥିପାଇଁ ମେଟ୍ରୋପଲିଟାନ ନର୍ଥ-ଇଷ୍ଟର ବିଭିନ୍ନ ସ୍ଥାନରେ ୨ ଫୁଟରୁ ଅଧିକ ତୁଷାରପାତ ହୋଇଛି। ବିଭିନ୍ନ ସ୍ଥାନରେ ବରଫ ଜମିବା ଯୋଗୁଁ ରାସ୍ତାଘାଟ ବନ୍ଦ ହୋଇଯାଇଛି। ଯାତାୟାତ ଠପ୍ ହୋଇଯାଇଛ। ଏପରିକି ବରଫ ଝଡ଼ ପାଇଁ ଜାତିସଂଘ ସୁରକ୍ଷା ପରିଷଦ ବୈଠକ ସ୍ଥଗିତ ରଖାଯାଇଛି। ନ୍ୟୁୟର୍କ ସମେତ ବହୁ ସହରରେ ଏମରଜେନ୍ସି ଘୋଷଣା ହୋଇଛି। ସୋମବାର ଆମେରିକାରେ ୫୬୦୦ରୁ ଅଧିକ ଫ୍ଲାଇଟ୍ କ୍ୟାନସଲ୍ ହୋଇଛି। ସେହିପରି ମଙ୍ଗଳବାର ୨୦୦୦ରୁ ଅଧିକ ବିମାନ ରଦ୍ଦ କରାଯାଇଛି। ଅଧିକାଂଶ ନ୍ୟୁୟର୍କ, ନ୍ୟୁଜର୍ସି ଏବଂ ବୋଷ୍ଟନକୁ ଯିବା ଆସିବା କରୁଥିବା ବିମାନ ରଦ୍ଦ କରାଯାଇଛି। ୨୫୦୦ରୁ ଅଧିକ ଫ୍ଲାଇଟ୍ ବିଳମ୍ଵରେ ଚାଲୁଛି।  

​​​​​​​

ନ୍ୟୁୟର୍କରେ ବରଫ ଝଡ଼ ଗତ ୬ ବର୍ଷର ରେକର୍ଡ ଭାଙ୍ଗିଛି। ପାଣିପାଗ ବିଶେଷଜ୍ଞମାନେ ଆଉ ଏକ ଝଡ଼ ନେଇ ଆକଳନ କରୁଛନ୍ତି। ଯେଉଁଥିପାଇଁ ଲୋକଙ୍କ ମନରେ ଛନକା ପଶିଛି। ପାଣିପାଗ ବିଭାଗ ଏହି ଝଡ଼କୁ ଉତ୍ତର-ପୂର୍ବ ଉପକୂଳରେ ଏକ କ୍ଲାସିକ୍ ବମ୍ ସାଇକ୍ଲୋନ୍ ବୋଲି କହିଛି। ଯେତେବେଳେ ୨୪ ଘଣ୍ଟା ମଧ୍ୟରେ ଝଡ଼ର ଚାପ ଯଥେଷ୍ଟ ହ୍ରାସ ପାଏ ସେତେବେଳେ ଏକ ବମ୍ ସାଇକ୍ଲୋନ୍ ହୁଏ। ଏହା ପ୍ରାୟତଃ ଶରତ ଏବଂ ଶୀତ ଋତୁରେ ଘଟେ ଯେତେବେଳେ ଥଣ୍ଡା ଆର୍କଟିକ୍ ପବନ ଦକ୍ଷିଣକୁ ପହଞ୍ଚେ ଏବଂ ଗରମ ତାପମାତ୍ରା ସହିତ ଧକ୍କା ହୁଏ।

ଏହି ଖବରଟିକୁ ପଢନ୍ତୁ- ‘ଯେଉଁ ଦେଶ ଖେଳ କରିବ...’ ଟ୍ରମ୍ପ ପୁଣି ଦେଲେ ଚେତାବନୀ , କହିଲେ -ପୂର୍ବାପେକ୍ଷା ଅଧିକ ଟାରିଫ୍ ଲାଗିବ